ଅନୁଗୋଳ: ଜିଲ୍ଲାରେ ଲକଡାଉନ କେବଳ ନାଁକୁ ମାତ୍ର । ସକାଳ ହେବା କ୍ଷଣି ସହରରେ ବଢୁଛି ଭିଡ । ମନଇଚ୍ଛା ଖୋଲୁଛି ଦୋକାନ । ଯାହା କୋରନା ପାଇଁ ଥିବା କଟକଣାକୁ ଖୋଲାଖୋଲି ଉଲ୍ଲଂଘନ କରୁଛି । ଏଥିପ୍ରତି ନା ପୋଲିସ କି ଜିଲ୍ଲା ପ୍ରସାଶନ କାହାର ବି ନଜର ନାହିଁ ।
ଥରେ ଭଲକରି ଦେଖନ୍ତୁ ଏହି ଚିତ୍ରକୁ । ଏ ହେଉଛି ଅନୁଗୋଳ ସହରର ଲକଡାଉନ ସମୟର ଚିତ୍ର । କେହିବି ଏଠି ଲକଡାଉନକୁ ମାନୁନଥିବା ଦେଖିବାକୁ ମିଳିଛି । ସହରରେ ତାଲାବନ୍ଦ ସାମାନ୍ୟ କୋହଳ ପାଇଁ ପ୍ରଶାସନ ଅନୁମତି ଦେଇଥିବା ବେଳେ ଏହାର ଫାଇଦା ଉଠାଉଛନ୍ତି କିଛି ଲୋକେ । ନା ଅଛି ସାମାଜିକ ଦୂରତା ନା ପିନ୍ଧୁଛନ୍ତି ମାସ୍କ । ଶନିବାର ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ପୂରା ସହରରେ ।
ଅନୁଗୋଳରେ ଲକଡାଉନର ଅସଲ ଚିତ୍ର, ସହର ସାରା ଲୋକଙ୍କ ଭିଡ ସେପଟେ ସହରରେ ବିନା ଅନୁମତିରେ ଅନେକ ଦୋକାନ ମଧ୍ୟ ଖୋଲିଥିବା ଦେଖିବାକୁ ମିଳିଥିଲା । କିଛି ବ୍ୟବସାୟୀ ଓ ସାଧାରଣ ଲୋକେ ସବୁ କଟକଣାକୁ ଭୁଲିଯାଇଥିବା ଦେଖିବାକୁ ମଧ୍ୟ ମିଲିଥିଲା । ଯାହାକୁ ନେଇ ସହର ବୁଦ୍ଧିଜୀବୀ ନିଜର ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି ସମସ୍ତେ ଯଦି ସାମାଜିକ ଦୂରତାକୁ ନମାନିବା ତେବେ ପରିଣତି ସମସ୍ତଙ୍କ ପାଇଁ ଭୟଙ୍କର ହେବ ।
ପ୍ରଶାସନ କେବଳ ନିତ୍ୟବ୍ୟବହାର୍ଯ୍ୟ ଦୋକାନ ସହ ସପ୍ତାହରେ 2ଦିନ ବହି ଓ 2ଦିନ ଇଲେକଟ୍ରିକାଲ୍ସ ଦୋକାନ ଖୋଲିବାକୁ ଅନୁମତି ଦେଉଥିବା ବେଳେ ସବୁଠି ସମାଜିକ ଦୂରତ୍ୱ ମାନିବାକୁ ବାଧ୍ୟତାମୂଳକ କରିଛି । କିନ୍ତୁ ଏହାକୁ କିଛି ବ୍ୟବସାୟୀ ଓ ସାଧାରଣ ଲୋକେ ଅବମାନନା କରୁଥିବା ଦେଖିବାକୁ ମିଳିଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ