ଅନୁଗୋଳ: ଗୁହାରି କରି କରି ଆଣ୍ଠେଇ ପଡିଲେ । ସରକାରୀ କାର୍ଯ୍ୟାଳୟକୁ ଦୌଡି ଦୌଡି ନୟାନ୍ତ ହୋଇଗଲେ । ହେଲେ ନା ଶୁଣିଲା ପ୍ରଶାସନ ନା ନେତା । ପଞ୍ଚାୟତ କାର୍ଯ୍ୟାଳୟକୁ ସଂଯୋଗ କରୁଥିବା ମାଟି ରାସ୍ତାଟି ପ୍ରାୟ 6 କିମି ଦୂର । ରାସ୍ତା ସାରା ଖାଲଖମାରେ ଭର୍ତ୍ତି । ବର୍ଷା ହେଲେ ପାଣି ଜମିବା ସହ ରାସ୍ତା ସାରା କାଦୁଅ ପଚପଚ ହୋଇଯାଏ । ଫଳରେ ଘରୁ ବାହାରିବା ମୁସକିଲ ହୋଇପଡେ । ରାସ୍ତା ଖରାପ ଯୋଗୁଁ ଚାଷବାସ ପାଇଁ କେହି ଘରୁ ପାଦ କାଢୁ ନଥିବାବେଳେ ପନିପରିବାରକୁ ନେଇ ହାଟରେ ବିକ୍ରି ମଧ୍ୟ କରିପାରୁନଥିଲେ। ଏମିତି ନିତିଦିନିଆ ସମସ୍ୟା ସମ୍ମୁଖୀନ ହେଇ ଆସୁଥିଲେ ଅନୁଗୋଳ ଜିଲ୍ଲା ସାତକୋଶିଆ ଅଭୟାରାଣ୍ୟ ଭିତରେ ଥିବା କୋଠଭୂଇଁ ପଞ୍ଚାୟତ ଅନ୍ତର୍ଗତ ସଂକ୍ରୀଡା ଗ୍ରାମବାସୀ । ହେଲେ ଆଉ ନୁହେଁ ନିଜ ସୁବିଧା ନିଜକୁ କରିବାକୁ ପଡିବ । ସେଥିପାଇଁ ପୁରା ଗ୍ରାମବାସୀ ଏକୁଜୁଟ ହୋଇ କାଠରେ ନିର୍ମାଣ କରିଛନ୍ତି ରାସ୍ତା ।
ଏହି ଗାଁରେ ବସବାସ ପ୍ରାୟ ୩୫୦ରୁ ଅଧିକ ଲୋକ ବସବାସ କରୁଛନ୍ତି। ହେଲେ ସେମାନଙ୍କ ପାଇଁ ଯାତାୟତ ଉପଯୋଗୀ ରାସ୍ତାଟିଏ ନାହିଁ। ଫଳରେ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା । ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀଙ୍କ ବାରମ୍ବାର ଦାବି ଆପତ୍ତି ପରେ ପୂର୍ତ୍ତ ବିଭାଗ ନିଜ ହାତକୁ ନେଇ ଟେଣ୍ଡର କରିଥିଲା। ହେଲେ ଜଣେ ଠିକାଦାର କାର୍ଯ୍ୟାଦେଶ ପାଇବାର ଦେଢ ବର୍ଷ ବିତି ଯାଇଥିଲେ ମଧ୍ୟ କାମ ଆରମ୍ଭ କରି ନାହିଁ । ଫଳରେ ପଞ୍ଚାୟତ ତରଫରୁ ଗତ କିଛି ମାସ ପୂର୍ବେ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ମାଟି ପକା ଯାଇଥିଲା। ଯାହାକି ବର୍ଷା ହେଲେ ଆହୁରି ସମସ୍ୟା ବଢାଇ ଦେଇଛି । ଏନେଇ ଗ୍ରାମବାସୀ ବହୁ ବାର ଅଭିଯୋଗ କରିଥିଲେ ମଧ୍ୟ ସେମାନଙ୍କ କଥାକୁ କେହି ଶୁଣୁ ନଥିବା ଅଭିଯୋଗ କରିଥିଲେ । ଏବେ ନିଜେ ନିଜ ପାଇଁ ରାସ୍ତାଟିକୁ ଯାତାୟତ ଉପଯୋଗୀ କରିବାକୁ ଉଦ୍ୟମ କରିଛନ୍ତି।