ଅନୁଗୋଳ: ଆଜିଠାରୁ (ସୋମବାର) ଅନୁଗୋଳରେ ଆରମ୍ଭ ହୋଇଛି ୧୮ ବର୍ଷରୁ ୪୪ ବର୍ଷଙ୍କ ପାଇଁ ଟୀକାକରଣ । ଏହି କ୍ୟାମ୍ପରେ ଦୈନିକ ପ୍ରାୟ ୧ ହଜାର ଲୋକଙ୍କୁ ଟୀକା ଦେବାର ଯୋଜନା କରାଯାଇଛି। ସେଥିପାଇଁ ଷ୍ଟାଡିଅମ ପଡ଼ିଆରେ ପ୍ରଶାସନ ତରଫରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ଏଭଳି କ୍ୟାମ୍ପ ଆୟୋଜନ କରିବାର ମୁଖ୍ୟ ଉଦ୍ଦେଶ୍ୟ, କିଭଳି ଅଧିକରୁ ଅଧିକ ଲୋକ ସହଜ ଓ ସୁବିଧାରେ ଟିକା ନେଇ ପାରିବେ । ପ୍ରଶାସନର ଏହି ପଦକ୍ଷେପକୁ ଜିଲ୍ଲାବାସୀ ସ୍ୱାଗତ କରିବା ସହ ପ୍ରସଂଶା କରିଛନ୍ତି।
ଅନୁଗୋଳରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଦୈନିକ ପ୍ରାୟ ୪ ଶହରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ବିଭିନ୍ନ କଟକଣା ସହ ବ୍ୟାପକ ଟୀକାକରଣ ଦ୍ୱାରା ହିଁ ଏହି ସଂକ୍ରମଣକୁ ବ୍ରେକ ଲଗାଇ ହେବ। ସେଥିପାଇଁ ଅନୁଗୋଳ ଜିଲ୍ଲାରେ ଆରମ୍ଭ ହୋଇଛି ୧୮ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ଟିକାଦାନ । ଜିଲ୍ଲାରେ ଟୀକାକରଣକୁ ବ୍ୟାପକ କରିବା ପାଇଁ ମେଗା ଟୀକାକରଣ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଆଜି ଏଥିରେ ଯୋଡି ହୋଇଛି ୧୮ରୁ ୪୪ ବର୍ଷ ଟିକାଦାନ । ଏହି ବୟସ ବର୍ଗର ଟୀକାକରଣ ପାଇଁ ଅନଲାଇନରେ ସ୍ଲଟ ବୁକିଙ୍ଗ କରିବାକୁ ପଡିବ। କୋ-ୱିନ ଆପ କିମ୍ବା ୱେବସାଇଟକୁ ଯାଇ ଟୀକାକରଣ ପାଇଁ ସ୍ଲଟ ବୁକିଙ୍ଗ କରି ଟିକା ନେଇପାରିବେ।