ଅନୁଗୋଳ: ଗରିବ କଲ୍ୟାଣ ସମାବେଶରେ ଯୋଗ ଦେଇ ଉଦବୋଧନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି କାର୍ଯ୍ୟକ୍ରମରେ ମୋଦି ସରକାରଙ୍କ ୯ବର୍ଷର ସଫଳତା ସମ୍ପର୍କରେ ଲୋକଙ୍କୁ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ । ପାଲଲହଡା ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଖମାର ଠାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ତେବେ ୯ ବର୍ଷରେ ମୋଦି ସରକାର ରାଜ୍ୟକୁ ସବୁ କ୍ଷେତ୍ରରେ ଉନ୍ନତି ପାଇଁ ୬୦ ହଜାର କୋଟି ଟଙ୍କା ଦେଇଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି । ଏହାସହ "ଆବାସ ଯୋଜନାରେ ଘର, ପାନୀୟ ଜଳ ଯୋଗାଣ, ବିଦ୍ୟୁତକରଣ, ଜଳସେଚନ ଆଦି ପାଇଁ କୋଟି କୋଟି ଟଙ୍କା ଦେଇଥିଲେ ମଧ୍ୟ ଦୁର୍ନୀତିଗ୍ରସ୍ତ, ସ୍ଥାଣୁ ରାଜ୍ୟ ସରକାରଙ୍କ ଯୋଗୁଁ ରାଜ୍ୟରେ କୌଣସି ଉନ୍ନତି ହୋଇ ପାରୁନାହିଁ " କହିବା ସହ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଧର୍ମେନ୍ଦ୍ର ।
"ଦୀର୍ଘ ୨୩ ବର୍ଷ ଶାସନ କରିଥିଲେ ମଧ୍ୟ ଅନୁଗୋଳ ଜିଲ୍ଲାର ଇଞ୍ଚେ ଜମିକୁ ଜଳସେଚନ ବ୍ୟବସ୍ଥା କରାଯାଇପାରିନାହିଁ । ଏଠାରେ ରେଙ୍ଗାଲି ରାଇଟ ଏବଂ ଲେଫ୍ଟ କେନାଲ ଅଛି । ଦୁର୍ଗାପୁର ପ୍ରସ୍ତାବିତ ଜଳସେଚନ ପ୍ରକଳ୍ପ, ରେଙ୍ଗାଲି ଜଳସେଚନ ପ୍ରକଳ୍ପ ସବୁ ଥିଲେ ସୁଦ୍ଧା ଜଳ ସେଚନ ବ୍ୟବସ୍ଥା ହୋଇ ପାରିନାହିଁ । ଗାଁ ଗାଁରେ ଲୋକଙ୍କ ଘରେ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ ପାଇଁ ମୋଦି ସରକାର କୋଟି କୋଟି ଟଙ୍କା ଦେଇଛନ୍ତି । ହେଲେ ସରକାରଙ୍କ ଅପାରଗତା ଯୋଗୁ ଏଯାଏଁ ପିଇବା ପାଣି ପହଞ୍ଚି ପାରିଲା ନାହିଁ । ଖଣି ରାଜସ୍ୱ ୫ହଜାର କୋଟିରୁ ୫୦ ହଜାର କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ଫାଇନାନ୍ସ କମିଶନ ରାଜସ୍ୱ ଵୃଦ୍ଧି କରି ୪୫ ହଜାର କୋଟି ଟଙ୍କା ଦେଉଛନ୍ତି । ତଥାପି ରାଜ୍ୟରେ ସମୃଦ୍ଧି ହୋଇପାରୁନାହିଁ । ଏହାକୁ କଣ ସରକାର କୁହାଯାଏ କି ?" ବୋଲି ପ୍ରଶ୍ନ କରିଥିଲେ କେନ୍ଦ୍ରମନ୍ତ୍ରୀ ।