ଅନୁଗୋଳ: ଥମୁନି ହାତୀ ଉପଦ୍ରବ । ପୁଣି ମୁଣ୍ଡ ନେଲା ଦନ୍ତା । ହାତୀ ଆକ୍ରମଣରେ ଚାଲିଗଲା ଦୁଇ ଜଣଙ୍କର ଜୀବନ । ଏଭଳି ଘଟଣା ଘଟିଛି ଅନୁଗୋଳ ପାତେଳି ଗାଁରେ । ମୃତକମାନେ ହେଲେ ଅନୁଗୋଳ ବନଖଣ୍ଡର ଶଙ୍କର ବିଶ୍ୱାଳ ଏବଂ ପାତେଳି ଗ୍ରାମର ଝିଲି ମାଝୀ ବୋଲି ଜଣାପଡିଛି । ଏଥି ସହ ଜଣେ ଆହତ ଥିବା ବେଳେ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।
ସୂଚନା ମୁତାବକ, ଅନୁଗୋଳ ଓ ବନ୍ତଳା ବନାଞ୍ଚଳ ସୀମାନ୍ତରେ ଏକ ଦନ୍ତାହାତୀ ଦୁଇ ଦିନ ହେଲା ବ୍ୟାପକ କ୍ଷୟକ୍ଷତି କରୁଥିଲା । ଆଜି ସକାଳୁ ବନାଞ୍ଚଳ କୁମୁରିସିଂହା ପଞ୍ଚାୟତ ପାତେଳି ଗ୍ରାମର ଝିଲ୍ଲୀ ମାଝୀ ଘର ପାଖ ନାଳକୁ ଯାଇଥିବା ବେଳେ ପ୍ରଥମେ ହାତୀ ଆକ୍ରମଣର ଶିକାର ହୋଇଥିଲେ । ହାତୀ ତାଙ୍କୁ ପାଦରେ ଦଳି ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ସେହିପରି ବନାଞ୍ଚଳର ଶଙ୍କର ବିଶ୍ୱାଳ ଟାକୁଆ ନାଳକୁ ଶୌଚ ହେବାକୁ ଯାଇଥିବା ବେଳେ ହାତୀ ତାଙ୍କୁ ଆକ୍ରମଣ କରିଥିଲା । ଫଳରେ ତାଙ୍କର ମୃତ୍ୟୁ ହୋଇଛି ।
ଅନ୍ୟପଟେ ପାଖ ଗାଁ ସାହାରାଗୁଡା ଗାଁର ଅକ୍ଷୟ ନାଏକ ମଧ୍ୟ ହାତୀ ଆକ୍ରମଣରେ ଗୁରୁତର ହୋଇଥିବା ବେଳେ ତାଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏନେଇ କ୍ଷତିପୂରଣ ଦାବିରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । କ୍ଷତିପୂରଣ ଦାବିରେ ଅନୁଗୋଳ ବନ୍ତଳା ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ଲୋକେ । ଯାହା ଫଳରେ ଗମନାଗମନରେ ଅସୁବିଧା ହେଉଛି । ରାସ୍ତାର ଉଭୟ ପଟେ ଗାଡି ଅଟକି ରହିଛି ।