ଅନୁଗୋଳ: ତାଳଚେରସ୍ଥିତ ଟିଟିପିଏସ ପ୍ଲାଣ୍ଟ ବନ୍ଦ ପ୍ରତିବାଦରେ ଆଜି (ବୁଧବାର) ଜିଲ୍ଲା ବିଜେଡି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ସମ୍ପୂର୍ଣ୍ଣ ସଫଳ ହୋଇଛି । ଜିଲ୍ଲାର ଆଠମଲ୍ଲିକ ଠାରୁ ପାଲଲହଡା, ଅନୁଗୋଳ ଠାରୁ ଛେଣ୍ଡିପଦା, ବଅଁରପାଳ ଠାରୁ ତାଳଚେର ଓ କଣିହାଁ ପର୍ଯ୍ୟନ୍ତ ସବୁଠି ଦେଖିବାକୁ ମିଳିଥିଲା ବନ୍ଦ । ଗୋଟେପଟେ କେନ୍ଦ୍ର ସରକାର ବିରୁଦ୍ଧରେ ବିଜେଡି ବନ୍ଦ କରିଥିବାବେଳେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବିରୁଦ୍ଧରେ ଏସ ୟୁ ସି ଆଇ ଜିଲା କମିଟି କରିଛି ଜିଲ୍ଲା ବନ୍ଦ ।
ବନ୍ଦ ପ୍ରତିବାଦରେ ବନ୍ଦ । ସରକାରୀ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ବେସରକାରୀ ଅଫିସ ସ୍କୁଲ କଲେଜ, ବ୍ୟାଙ୍କ ଆଦି ସବୁ ବନ୍ଦ । ବିଭିନ୍ନ ସ୍ଥାନରେ ଟାୟାର ଜାଳି ପ୍ରତିବାଦ କରିଛନ୍ତି ବିଜେଡି କର୍ମୀ ଓ ନେତା । ଆଜି ଏଭଳି ଚିତ୍ର ସାମ୍ନାକୁ ଆସିଛି ଅନୁଗୋଳ ଜିଲ୍ଲାରେ । ଟିଟିପିଏସ ପ୍ଲାଣ୍ଟ ବନ୍ଦ ହେଇଯିବା ପରେ ଗତ ମାର୍ଚ୍ଚ ୩୧ତାରିଖ ଠାରୁ ଆଜି ପର୍ଯ୍ୟନ୍ତ ଉତ୍ତେଜନା ଲାଗି ରହିଛି । ବିଭିନ୍ନ ଶ୍ରମିକ ସଂଗଠନ ଓ ରାଜନୈତିକ ଦଳ ଗୁଡିକ ଏହାର ଘୋର ବିରୋଧ କରି ଆସୁଛନ୍ତି । ଶେଷରେ ଜିଲ୍ଲା ବିଜେଡି ମଧ୍ୟ ଏହାର ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛି । ବିଜେଡି ଅଭିଯୋଗ କରିଛି ପ୍ରଦୂଷଣ ଆଳ ଦେଖାଇ କେନ୍ଦ୍ର ସରକାର ଏକ ଚାଲୁଥିବା ପ୍ଲାଣ୍ଟକୁ ଅଚାନକ ବନ୍ଦ କରିଦେଲେ । ଏନେଇକି ରାଜ୍ୟ ସରକାରଙ୍କୁ କୌଣସି ସୂଚନା ଦେଲେ ନାହିଁ । ପ୍ରଦୂଷଣ ଅବଧି ଶେଷ ହୋଇଥିଲେ ମଧ୍ୟ ଅବଧି ନବୀକରଣ ପାଇଁ ପ୍ଲାଣ୍ଟ କର୍ତ୍ତୃପକ୍ଷ ପ୍ରଦୂଷଣ ବୋର୍ଡକୁ ଅନୁମତି ମାଗିଲେ ନାହିଁ । ତେଣୁ ଏହି ପ୍ଲାଣ୍ଟକୁ ଜାଣିଶୁଣି ଚକ୍ରାନ୍ତ କରି ବନ୍ଦ କରି ଦିଆ ଯାଇଛି । ଏଭଳି ଅଚାନକ ବନ୍ଦ କରିଦେବା ଫଳରେ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ୩୦ହଜାର ଶ୍ରମିକ ପରିବାର ପ୍ରଭାବିତ ହୋଇଛନ୍ତି ।