ଅନୁଗୋଳ: ଅନୁଗୋଳ ଜିଲ୍ଲାର ତାଳଚେରରେ ଛଅ ଦିନ ଧରି ଚାଲିଛି ଟ୍ରକ ଧର୍ମଘଟ । ଟ୍ରକ ଭଡ଼ା ବୃଦ୍ଧି ଦାବି ନେଇ ଗତ 9 ତାରିଖରୁ ଏହି ଆନ୍ଦୋଳନ ଡାକରା ଦେଇଥିଲା ଟ୍ରକ ମାଲିକ ସଂଘ । ପ୍ରଶାସନ ଓ ପ୍ଲାଣ୍ଟ କତ୍ତୃପକ୍ଷଙ୍କ ସହିତ ଟ୍ରକ ମାଲିକ ଆଲୋଚନା କରିଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଆଜି(ବୁଧବାର)ଠାରୁ ତାଳଚେର ଅଞ୍ଚଳର ସମସ୍ତ କୋଇଲା ଖଣିରୁ ଟ୍ରେନ ଯୋଗେ କୋଇଲା ପରିବହନକୁ ବନ୍ଦ କରାଯାଇଛି । ଆନ୍ଦୋଳନକୁ ଓହ୍ଲାଇଛନ୍ତି ଟ୍ରକ୍ ମାଲିକ । ରେଳ ରୋକ କରିବା ସହ କୋଇଲା ପରିବହନକୁ ଠପ୍ କରି ଦେଇଛନ୍ତି । ...
ଜିଦରେ ଅଟଳ ଟ୍ରକ ମାଲିକ: ଟ୍ରକ ଭଡ଼ା ବୃଦ୍ଧି ଦାବିରେ ଧର୍ମଘଟ ଚଳାଇଛନ୍ତି ଟ୍ରକ ମାଲିକ ସଂଘ । ଗତ 6 ଦିନ ହେଲା ଧର୍ମଘଟ ଜାରି ରହିବା ସତ୍ତ୍ବେ କୌଣସି ସମାଧାନ ନ ହେବାରୁ, ଆଜି(ବୁଧବାର)ଠାରୁ ଖଣିଗୁଡ଼ିକରୁ କୋଇଲା ନେଇ ଯାଉଥିବା ସବୁ ଟ୍ରେନକୁ ବନ୍ଦ କରାଯାଇଛି । ଟ୍ରକ ମାଲିକମାନେ ରେଳ ଧାରଣାରେ ବସିବା ସହ ନାରାବାଜି କରିଛନ୍ତି । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଧର୍ମଘଟ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ଟ୍ରକ ମାଲିକଙ୍କ ରେଳ ରୋକୋ ଯୋଗୁଁ, କୋଇଲା ପରିବହନ ଠପ୍ ହୋଇଯାଇଛି । ମାତ୍ର ବର୍ତ୍ତମାନ ସୁଦ୍ଧା କମ୍ପାନୀ କର୍ତ୍ତୃପକ୍ଷ କିମ୍ବା ଜିଲ୍ଲା ପ୍ରଶାସନ କୌଣସି ଆଲୋଚନା ଟେବୁଲକୁ ଆସୁନାହାନ୍ତି କିମ୍ବା ଦାବି ପୂରଣ ନେଇ କୌଣସି ଠୋସ୍ ପଦକ୍ଷେପ ନେଉନଥିବା ଅଭିଯୋଗ କରିଛନ୍ତି ଟ୍ରକ ମାଲିକ । ଟ୍ରକ ମାଲିକମାନେ ନିଜ ଜିଦରେ ଅଟଳ ଥିବା ବେଳେ, ଧର୍ମଘଟକୁ ନେଇ କୌଣସି ନିଷ୍କର୍ଷ ବାହାରି ପାରୁନାହିଁ ।