ଓଡିଶା

odisha

ଆଦିବାସୀ ଛାତ୍ରୀଙ୍କ ଗୁହାରୀ ଶୁଣୁନି ପ୍ରଶାସନ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆମରଣ ଅନଶନ

By

Published : Mar 31, 2023, 7:44 PM IST

କଲେଜ କର୍ତ୍ତୃପକ୍ଷ ନକଲି ଆଡ୍‌ମିଟ କାର୍ଡ ଦେଇଥିବାରୁ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଥିଲେ ଅନୁଗୋଳ ଜିଲ୍ଲା ଛେଣ୍ଡିପଦାସ୍ଥିତ ସାଇ ଶ୍ରଦ୍ଧା ନର୍ସିଂ କଲେଜର ୫ ଆଦିବାସୀ ଛାତ୍ରୀ । ଏନେଇ ବାରମ୍ବାର ଅଭିଯୋଗ ପରେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆମରଣ ଅନଶନରେ ବସି ଆତ୍ମାହୁତି ଉଦ୍ୟମ କଲେ ୩ ଛାତ୍ରୀ । ଅଧିକ ପଢ଼ନ୍ତୁ

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆତ୍ମାହୁତି ଉଦ୍ୟମ
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆତ୍ମାହୁତି ଉଦ୍ୟମ

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆତ୍ମାହୁତି ଉଦ୍ୟମ

ଅନୁଗୋଳ: ଜିଲ୍ଲାର ଛେଣ୍ଡିପଦାସ୍ଥିତ ସାଇ ଶ୍ରଦ୍ଧା ନର୍ସିଂ କଲେଜରେ ୫ ଜଣ ଆଦିବାସୀ ଛାତ୍ରୀଙ୍କୁ କଲେଜ କର୍ତ୍ତୃପକ୍ଷ ନକଲି ଆଡ୍‌ମିଟ କାର୍ଡ ଦେଇଥିବାରୁ ସେମାନେ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଥିଲା । ଏନେଇ ସେମାନେ ବାରମ୍ବାର ପୋଲିସ ଓ ପ୍ରଶାସନକୁ ଅଭିଯୋଗ କରିବା ପରେ ମଧ୍ୟ କୌଣସି ସୁଫଳ ନମିଳିବାରୁ ବାଧ୍ୟ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆମରଣ ଅନଶନରେ ବସିଛନ୍ତି । ଏହାସହ ତାଙ୍କ ସମସ୍ୟାର ସମାଧାନ ନହେଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ହିଁ ଆତ୍ମାହୁତି ଦେବେ ବୋଲି ଚେତାବନୀ ଦେଇଛନ୍ତି ।

ଧାରଣାରତ ଛାତ୍ରୀମାନଙ୍କ ଅଭିଯୋଗ ଅନୁସାରେ, ସେମାନେ ସମସ୍ତେ ଅନୁଗୋଳ ଛେଣ୍ଡିପଦାସ୍ଥିତ ସାଇ ଶ୍ରଦ୍ଧା ନର୍ସିଂ କଲେଜରେ ଦ୍ଵିତୀୟ ବର୍ଷର ଛାତ୍ରୀ । କଲେଜରେ ନାମଲେଖା ଓ ପରୀକ୍ଷା ଫର୍ମ ପୂରଣ ପାଇଁ ଲକ୍ଷାଧିକ ଟଙ୍କା ଜମା କରିଛନ୍ତି । ଜାନୁଆରୀ ମାସ ୯ ତାରିଖରେ ଜିଲ୍ଲାର ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ସେମାନଙ୍କ ପରୀକ୍ଷା କେନ୍ଦ୍ର ହୋଇଥିଲା । ଯେତେବେଳେ ଆଡ୍‌ମିଟ କାର୍ଡ ଧରି ପରୀକ୍ଷା କେନ୍ଦ୍ରକୁ ଯାଇଥିଲେ ସେତେବେଳେ ଦାୟିତ୍ୱରେ ଥିବା ଅଧିକାରୀମାନେ ତାହା ଯାଞ୍ଚ କରି ନକଲି ବୋଲି ଜାଣି ପାରିଥିଲେ । ଛାତ୍ରୀ ମାନଙ୍କୁ ପରୀକ୍ଷା ଦେବାକୁ ବାରଣ ମଧ୍ୟ କରିଥିଲେ । ଏହାପରେ ଛାତ୍ରୀମାନେ ସେମାନଙ୍କ ଅଭିଭାବକଙ୍କୁ ସାଥିରେ ନେଇ ନର୍ସିଂ କଲେଜ ଯାଇ ଅଧ୍ୟକ୍ଷଙ୍କୁ ପଚାରିବା ପରେ ଅଧ୍ୟକ୍ଷ ସେମାନଙ୍କୁ ଧମକଚମକ ଦେଇ ବିଦା କରି ଦେଇଥିଲେ । ଏହାପରେ ସେମାନେ ଛେଣ୍ଡିପଦା ଥାନାର ଦ୍ୱାରସ୍ଥ ହୋଇଥିଲେ । ସେଠାରେ ମଧ୍ୟ ନ୍ୟାୟ ନମିଳିବାରୁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ଏହିପରି ବାରମ୍ବାର ପୋଲିସ ଓ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ।

ଶେଷରେ ଛେଣ୍ଡିପଦା ପୋଲିସ ସେହି ମାସ ୧୯ ତାରିଖରେ ନର୍ସିଂ କଲେଜ ଅଧ୍ୟକ୍ଷଙ୍କ ବିରୋଧରେ ଦଫା ୪୨୦, ୪୬୮ ଓ ୪୭୧ରେ ମୋକଦମା ରୁଜୁ କରିଥିଲା । କିନ୍ତୁ ଅଭିଯୁକ୍ତକୁ ଗିରଫ ନକରିବାରୁ ସେ କଲେଜ ତାଲା ପକାଇ କେଉଁଆଡ଼େ ଫେରାର ହୋଇ ଯାଇଛି । ଅନୁଗୋଳ ଉପଜିଲ୍ଲାପାଳ ମଧ୍ୟ ଘଟଣାର ତଦନ୍ତ କରିବାକୁ ଯାଇଥିବା ବେଳେ କଲେଜ ତାଲା ପଡିଥିଲା । ତେବେ ପୋଲିସ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗରେ ଛାତ୍ରୀମାନେ ପୂର୍ବରୁ ମଧ୍ୟ ଆମରଣ ଅନଶନରେ ବସିଥିଲେ । ସେତେବେଳେ ଉପଜିଲ୍ଲାପାଳ ସେମାନଙ୍କ ସହ ଆଲୋଚନା କରି ତୁରନ୍ତ ଏହାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଏହାରି ଭିତରେ ଅନେକ ଦିନ ବିତି ଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆ ନଯିବାରୁ ବାଧ୍ୟ ହୋଇ ପୁଣିଥରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ୩ ଛାତ୍ରୀ । ଏହାସହ ସମସ୍ୟାର ସମାଧାନ ନହେଲେ ଏହିଠାରେ ହିଁ ଆତ୍ମାହୁତି ଦେବାକୁ ଚେତାବନୀ ଦେଇଛନ୍ତି । ଖବର ପାଇ ପୋଲିସ ସେଠାରେ ପହଞ୍ଚି ସେମାନଙ୍କଠାରୁ ପେଟ୍ରୋଲ ଜବତ କରିଛି । ତେବେ ଯେଉଁ ଗରିବ ଆସିବାସୀ ଛାତ୍ରୀମାନେ ଏତେ ଟଙ୍କା ଦେଇ ନର୍ସିଂ ପାଠ ପଢୁଥିଲେ, ଏବେ ସେମାନଙ୍କ ଭବିଷ୍ୟତ କଣ ହେବ ତାହାକୁ ନେଇ ପ୍ରଶ୍ନ ଉଠିଛି ।

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details