ଅନୁଗୋଳ: ସଫଳ ହେଲା ଦୀର୍ଘ ୧୦ ଘଣ୍ଟାର ଅପରେସନ । ସାତକୋଶିଆ ଅଭୟାରଣ୍ୟ ପୁରୁଣାକୋଟ ରେଞ୍ଜ ଅନ୍ତର୍ଗତ ଗୋପାଳପୁର ଗାଁ ନିକଟରେ ଶିକାରୀ ଫାଶରେ ପଡିଥିବା ଏକ କଲରାପତାରିଆ ବାଘକୁ କରାଗଲା ଉଦ୍ଧାର । ବାଘକୁ ଅକ୍ଷତ ଭାବେ ଉଦ୍ଧାର କରି ହାତିବାରି ଜଙ୍ଗଲରେ ଛାଡ଼ିଛି ବନ ବିଭାଗ ।
ସାତକୋଶିଆ ଅଭୟାରଣ୍ୟର ପୁରୁଣାକୋଟ ରେଞ୍ଜ ଅନ୍ତର୍ଗତ ଗୋପାଳପୁର ଗାଁ । ଗାଁ ଠାରୁ ଅତି ନିକଟ ରାସ୍ତା ପାର୍ଶ୍ଵରେ ଥିବା ଏକ ବୁଦୁବୁଡୁକିଆ ଜଙ୍ଗଲ ଭିତରେ ଫାଶରେ ପଡି ଛଟପଟ ହେଉଥିଲା କଲରାପତରିଆ ବାଘ । ବଡ଼ି ଭୋର ସମୟରେ ଗାଁର କିଛି ଯୁବକ ବୁଲାବୁଲି କରୁଥିବା ବେଳେ ଏହା ଦେଖି ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ସାତକୋଶିଆ ଡିଏଫଓ, ଏସିଏଫ, ରେଞ୍ଜ ଅଫିସର ଓ ଅନ୍ୟାନ୍ୟ ବନ କର୍ମଚାରୀ ପହଞ୍ଚି ତଦାରଖ କରିଥିଲେ। ସାତକୋଶିଆ ପଶୁ ଡାକ୍ତର ସମ୍ବଲପୁର ହାତୀ ଚିକିତ୍ସା ପାଇଁ ଯାଇଥିବାରୁ ସେ ଆସିବା ବିଳମ୍ବ ହୋଇଥିଲା ।
ଫଳରେ ଦୀର୍ଘ ୧୦ରୁ ୧୨ଘଣ୍ଟା ଅପେକ୍ଷା କରିବାକୁ ପଡିଥିଲା । ବାଘଟି ଫସି ରହିଥିବା ସ୍ଥାନ ଚାରିପଟେ ଜାଲ ଲଗା ଯାଇଥିଲା । କୌଣସି ବାହାର ଲୋକଙ୍କୁ ସେ ସ୍ଥାନକୁ ଛଡା ଯାଇନଥିଲା । ବାଘଟିର ଆଗ ଗୋଡ଼ରେ ଲୁହା ତାରରେ ଲଗା ଯାଇଥିବା ଫାଶ ଲାଗି ଯାଇଥିଲା। ତେଣୁ ସେ ଛଟପଟ ହେଉଥିଲା । ତା ଉପରେ ପାଣି ସିଞ୍ଚନ କରାଯାଇଥିଲା । ଅପରାହ୍ନ ପ୍ରାୟ ୨ଟା ସମୟରେ ଡାକ୍ତର କିଶୋର ସାହୁ ପହଞ୍ଚିବା ପରେ ଟ୍ରାଙ୍କୁଲାଇଜ କରିଥିଲେ । ଏହାପରେ ଫାଶକୁ କଟା ଯାଇଥିଲା । ସବୁଠାରୁ ବଡ଼ କଥା ହେଉଛି ବାଘର କୌଣସି ଆଘାତ ଲାଗିନାହିଁ ।
ବାଘଟି ଏକ ମାଈ ବାଘୁଣୀ ଏବଂ ତା ବୟସ ପ୍ରାୟ ୩ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ବାଘର ପ୍ରାଥମିକ ଚିକିତ୍ସା ପରେ ବାଘକୁ ପଞ୍ଜୁରୀ ଭିତରେ ନେଇ ଅଭୟାରଣ୍ୟ ଭିତରେ ହାତିବାରି ଜଙ୍ଗଲରେ ଛଡା ଯାଇଥିଲା । ଆଜିର ଏହି କଲରାପତରିଆ ଉଦ୍ଧାର କାର୍ଯ୍ୟରେ ସାମିଲ ଥିଲା ଇଟିଭି ଭାରତ ଟିମ । କଲରାପତରିଆ ବାଘ ଗୋପାଳପୁର ଗାଁର ଖୁବ ନିକଟରେ ଥିବାରୁ ଏବେ ଗ୍ରାମବାସୀ ଭୟଭୀତ ହୋଇ ପଡିଛନ୍ତି । ରାତି ପାହିଲେ ଲୋକେ ଜଙ୍ଗଲକୁ ଜାଳ କାଠ ଓ ଅନ୍ୟାନ୍ୟ ଜିନିଷ ସଂଗ୍ରହ କରିବାକୁ ଯାଆନ୍ତି ।