ଓଡିଶା

odisha

ETV Bharat / state

ଭୋଟରଙ୍କୁ ସଚେତନ କରୁଛନ୍ତି କିନ୍ନର ଚିନ୍ମୟୀ ଦାସ - ଚିନ୍ମୟୀ ଦାସ

ଭୋଟ ଦେବା ଆମ ସମସ୍ତଙ୍କର ମୌଳିକ ଅଧିକାର ଓ ନୈତିକ କର୍ତ୍ତବ୍ୟ । ତେଣୁ ସମସ୍ତେ ଭୋଟ ଦେବା ଆବଶ୍ୟକ । ନିର୍ବାଚନରେ ମତଦାନ କରିବାର ଯେ କେତେ ଗୁରୁତ୍ବ ରହିଛି, ତାହା ବୁଝାଇବା ପାଇଁ ମଇଦାନକୁ ଓହ୍ଲାଇଛନ୍ତି ଜିଲ୍ଲାର କିନ୍ନର ସଚେତକ ଚିନ୍ମୟୀ ଦାସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

By

Published : Apr 8, 2019, 9:26 PM IST

ଅନୁଗୋଳ: ଭୋଟ ଦେବା ଆମ ସମସ୍ତଙ୍କର ମୌଳିକ ଅଧିକାର ଓ ନୈତିକ କର୍ତ୍ତବ୍ୟ । ତେଣୁ ସମସ୍ତେ ଭୋଟ ଦେବା ଆବଶ୍ୟକ । ନିର୍ବାଚନୀ ମଇଦାନକୁ ଓହ୍ଲାଇଥିବା ପ୍ରାର୍ଥୀଙ୍କର ଏନେଇ ଚାଲିଛି ଜୋରସୋର ପ୍ରଚାର ଅଭିଯାନ । ବିଭିନ୍ନ ପ୍ରତିଶୃତି ଆଳରେ ଭୋଟରଙ୍କୁ ଦଳ ପ୍ରତି ଆକୃଷ୍ଟ କରିବା ପାଇଁ ଲାଗି ପଡିଛନ୍ତି ପ୍ରତ୍ୟେକ ପ୍ରାର୍ଥୀ । ହେଲେ ନିର୍ବାଚନରେ ମତଦାନ କରିବାର ଯେ କେତେ ଗୁରୁତ୍ବ ରହିଛି, ତାହା ବୁଝାଇବା ପାଇଁ ମଇଦାନକୁ ଓହ୍ଲାଇଛନ୍ତି ଜିଲ୍ଲାର କିନ୍ନର ସଚେତକ ଚିନ୍ମୟୀ ଦାସ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ସମାଜ ହୁଏତ ସେମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ କୁଣ୍ଠାବୋଧ ଅନୁଭବ କରିଥାଏ ପାରେ । ହେଲେ ଏହାକୁ ଟିକେ ବି ଖାତିର ନକରି ଆଗାମୀ ନିର୍ବାଚନକୁ ସ୍ବଚ୍ଛ ଓ ଯଥାର୍ଥ କରିବା ପାଇଁ ସଚେତନତାର ବାର୍ତ୍ତା ଧରି ଘର ଘର ବୁଲୁଛନ୍ତି ଚିନ୍ମୟୀ । ନିର୍ବାଚନରେ ଭୋଟରଙ୍କ ଭୂମିକା କେତେ ଗୁରୁତ୍ବପୂର୍ଣ୍ଣ ଓ ସେମାନଙ୍କ ଭୋଟ କେତେ ମୂଲ୍ୟବାନ, ତାହା ବୁଝାଉଛନ୍ତି ଚିନ୍ମୟୀ । ଏଥିସହ ନିଜ ମୌଳିକ ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ଭୋଟରଙ୍କୁ ଉତ୍ସାହିତ କରୁଛନ୍ତି ଚିନ୍ମୟୀ ।

ଯେଉଁ ପ୍ରାର୍ଥୀ ଭୋଟ ପାଇଁ ମଦ, ମାଂସ ବା ଟଙ୍କା ପଇସାର ଲୋଭ ଦେଖାଉଛନ୍ତି, ସେମାନଙ୍କୁ ଭୋଟ ନଦେବା ପାଇଁ ଆହ୍ବାନ ଦେଇଛନ୍ତି ସେ । ଏଥିସହ ଯେଉଁ ଭୋଟରମାନେ ଭୋଟ ବର୍ଜନ କରିବାକୁ କହୁଛନ୍ତି, ସେମାନଙ୍କୁ ବୁଝାଇବା ସହ ମତଦାନ କେନ୍ଦ୍ରକୁ ନିଶ୍ଚିନ୍ତ ଯିବା ପାଇଁ ଉତ୍ସାହିତ କରୁଛନ୍ତି ଚିନ୍ମୟୀ । ତେବେ ଯଦି କୌଣସି କାରଣରୁ ଭୋଟର ମତଦାନ କେନ୍ଦ୍ର ନଯାଇ ପାରୁଛନ୍ତି, ତେବେ ସେମାନଙ୍କୁ ସେଠାରେ ପହଞ୍ଚାଇବାର ସୁବିଧା କରିବାକୁ ପ୍ରତିଶୃତି ଦେଇଛନ୍ତି ସେ ।

ଚିନ୍ମୟୀଙ୍କର ଏହି ପ୍ରୟାସ ନିଶ୍ଚୟ ସ୍ବାଗତଯୋଗ୍ୟ । ସମାଜର ହଜାର ପ୍ରତିବନ୍ଧକ ପରେ ମଧ୍ୟ ନିଜ ମୌଳିକ ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ଭୋଟରଙ୍କୁ ସଚେତନ କରୁଛନ୍ତି ସେ । ତେବେ ଦେଶ ଗଠନରେ ଚିନ୍ମୟୀଙ୍କ ଏହି ଭୂମିକା ନିଶ୍ଚୟ ସଫଳ ହେଉ ଏହା ଆଶା ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details