ଅନୁଗୋଳ: 'ମୁଁ ସିନା କିନ୍ନର ବୋଲି ଲୋକେ ମୋତେ କାହିଁ କେତେ ଅସମ୍ମାନ କଲେ, ହେଲେ ମୁଁ କାହାକୁ ଅସମ୍ମାନ କରିବିନି । ଏପରିକି ମୋ ସାମ୍ନାରେ କୌଣସି ମୃତଦେହର ମଧ୍ୟ ଅବମାନନା ଦେଖିପାରିବିନି ।' ଏପରି ଉକ୍ତିକୁ ନେଇ ମନୋବଳ ଦୃଢ କରି ମୃତଦେହ ସତ୍କାର କରୁଛନ୍ତି ଜଣେ କିନ୍ନର । କୋରୋନା ସମୟରେ ଆତ୍ମୀୟସ୍ବଜନ ଛାଡି ଚାଲି ଯାଉଥିବା ମୃତଦେହ କିମ୍ବା ସଂକ୍ରମଣ ଭୟରେ ସମ୍ପର୍କୀୟ ପାଖ ମାଡୁନଥିବା ମୃତଦେହର ଅନ୍ତିମ ସତ୍କାର କରୁଛନ୍ତି ଅନୁଗୋଳର କିନ୍ନର ଚିନ୍ମୟୀ ଦାସ ।
ଯେଉଁଠି ମୃତଦେହ ସେଇଠି ଚିନ୍ମୟୀ ବୋଲି ବର୍ତ୍ତମାନ ଏକ ଡାକରା ପଡିଛି ଅନୁଗୋଳରେ । ଯଦି କେଉଁଠି ମୃତଦେହ ପଡିରହିଛି ବୋଲି ସେ ଖବର ପାଆନ୍ତି ତେବେ ତୁରନ୍ତ ପହଞ୍ଚି ସତ୍କାର କାମରେ ଲାଗିପଡନ୍ତି । କେହି ପାଖ ମାଡୁନଥିବା ମୃତଦେହ ପାଖରେ ଆସି ପହଞ୍ଚିଯାଆନ୍ତି ସେ । ନିଜ କାନ୍ଧରେ ମୃତଦେହ କାନ୍ଧେଇ ଅନ୍ତିମ ସତ୍କାର କରନ୍ତି ଚିନ୍ମୟୀ । ଏଯାବତ୍ 25 ରୁ ଊର୍ଦ୍ଧ୍ବ କୋରୋନାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ସତ୍କାର କରିସାରିଲେଣି ସେ । ଯଦି କେହି ସାହାଯ୍ୟ ନକରନ୍ତି ତେବେ ନିଜେ ବାଇକରେ ନେଇ ମୃତଦେହ ସତ୍କାର କରିଥିବା କହନ୍ତି ଚିନ୍ମୟୀ । କେବେଳ ଏତିକି ନୁହେଁ କୋରୋନା ରୋଗୀଙ୍କ ଡାକ୍ତରଖାନାକୁ ନେବାଠାରୁ ଔଷଧ ଏବଂ ଅକ୍ସିଜେନ ଯୋଗାଇବା ପର୍ଯ୍ୟନ୍ତ ସବୁ କାମ କରନ୍ତି । ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ କରୁଛନ୍ତି । ଯେଉଁଠି ରୋଗୀଙ୍କୁ ଦେଖନ୍ତି ସେବା ଶୁଶ୍ରୁଷା କରନ୍ତି। ଏମିତି ଅନେକ କାମ କରି ସ୍ଥାନୀୟ ଅଞ୍ଚଳରେ ଏକ ନିଆରା ପରିଚୟ ସୃଷ୍ଟି କରିଛନ୍ତି ଚିନ୍ମୟୀ ।