ଅନୁଗୋଳ: ଆଉ ମାତ୍ର ଦିନକ ପରେ ମଣ୍ଡପରେ ପୂଜା ପାଇବେ ଦୁର୍ଗତିନାଶିନୀ ମା’ ଦୁର୍ଗା। ସେଥିପାଇଁ ପୁରପଲ୍ଲୀଠାରୁ ନଗର ପର୍ଯ୍ୟନ୍ତ ସବୁଠି ଚଳଚଞ୍ଚଳ। ସମସ୍ତେ ଲାଗି ପଡିଛନ୍ତି ପ୍ରସ୍ତୁତିରେ। ଏପଟେ ଅନୁଗୋଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ମଧ୍ୟ ମା’ ଦୁର୍ଗାଙ୍କ ପାଇଁ ସୁନ୍ଦର ଓ ସୁସଜ୍ଜିତ କରାଯାଇଛି ମଣ୍ଡପ। ଏଥର ମଧ୍ୟ ମହାମାରୀ କୋରୋନା ଯୋଗୁଁ ଖୁବ ନିରାଡ଼ମ୍ବର ଭାବେ ଅନୁଷ୍ଠିତ ହେବ ମା’ଙ୍କ ପୂଜା। ତେବେ ବିଧି ସମ୍ପନ୍ନ କରିବାକୁ ପୂଜା କମିଟିର କର୍ମକର୍ତ୍ତା ଲାଗି ପଡିଛନ୍ତି।
ଅନୁଗୋଳ ଜିଲ୍ଲାର ଅନୁଗୋଳ, ତାଳଚେର, ଛେଣ୍ଡିପଦା, ଆଠମଲ୍ଲିକ, ପାଲଲହାଡ଼ା ଓ ବଅଁରପାଳ ଭଳି ଛୋଟ ମୋଟ ସହରାଞ୍ଚଳ ସମେତ ବହୁ ଗାଁ ଗହଳିରେ ମଧ୍ୟ ବେଶ ଧୁମଧାମରେ ପାଳନ ହୁଏ ଦଶହରା। ଏପଟେ ଆଜିଠାରୁ ବିଭିନ୍ନ ମଣ୍ଡପରେ ଷଷ୍ଠୀ ପୂଜା ଆରମ୍ଭ ହେବ। ସେଥିପାଇଁ ମୂର୍ତ୍ତି କାରିଗରଙ୍କଠାରୁ ପୂଜା କମିଟିର କର୍ମକର୍ତ୍ତା ପର୍ଯ୍ୟନ୍ତ ସମସ୍ତେ ପ୍ରସ୍ତୁତିରେ ଲାଗି ପଡିଛନ୍ତି। କିଭଳି ଯଥା ସମୟରେ ମୂର୍ତ୍ତି ନିର୍ମାଣ ଶେଷ ହୋଇପାରିବ ଏବଂ ମଣ୍ଡପ ଭିତରେ ସାଜ ସଜ୍ଜା ଶେଷ ହୋଇ ପାରିବ ସେଥିପାଇଁ କାରିଗରମାନେ ଲାଗି ପଡିଛନ୍ତି। ଯଥାବିଧି ମା’ଙ୍କ ପୂଜାର୍ଚ୍ଚନା ସମ୍ପନ୍ନ କରିବାକୁ କର୍ମକର୍ତ୍ତାମାନେ ଯଥାସାଧ୍ୟ ଉଦ୍ୟମ କରୁଛନ୍ତି ।