ଅନୁଗୋଳ:ଜିଲ୍ଲାରେ ଟମାଟୋର ଅଭାବୀ ବିକ୍ରି ଯୋଗୁଁ ହତାଶ ଚାଷୀ । ଉଚିତ ଦର ମିଳୁ ନଥିବାରୁ ଚାଷୀମାନେ ଆଉ କ୍ଷେତରୁ ଟମାଟୋ ତୋଳୁ ନାହାଁନ୍ତି । ଫଳରେ ଏକର ଏକର ଜମିରେ ସଢ଼ୁଛି କ୍ବିଣ୍ଟାଲ କ୍ବିଣ୍ଟାଲ ଟମାଟୋ । ବାହାର ବେପାରୀ ଆସି ଟମୋଟୋ କେଜି ପ୍ରତି ୩ ରୁ ୪ ଟଙ୍କାରେ କିଣି ନେଉଛନ୍ତି । ଟମାଟୋ ତୋଳିବା ପାଇଁ ଯେତିକି ମଜୁରୀ ଦେବାକୁ ପଡୁଛି ସେତିକି ମୂଲ୍ୟର ଟମାଟୋ ବିକ୍ରି ହେଉନାହିଁ । ଫଳରେ ଟଙ୍କା ଉଧାର ଆଣି ଚାଷ କରିଥିବା ଚାଷୀ ଏବେ ଚିନ୍ତାରେ ପଡିଛି ।
ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ, କିଶୋରନଗର, ପାଲଲହଡା, ଛେଣ୍ଡିପଦା ଏବଂ ଅନୁଗୋଳ ବ୍ଲକର ପ୍ରାୟ ୧୦୦ରୁ ଅଧିକ ଗାଁରେ ବ୍ୟାପକ ଟମାଟୋ ଚାଷ କରାଯାଏ । ଉଦ୍ୟାନ ବିଭାଗ ରେକର୍ଡ ଅନୁସାରେ ଜିଲ୍ଲାରେ ପ୍ରାୟ ୪ ହଜାର ଏକର ଜମିରେ ଟମାଟୋ ଫସଲ ହେଉଛି ।ପ୍ରତିବର୍ଷ ଜିଲ୍ଲାରେ ୨୫ ରୁ ୩୦ ହଜାର ମେଟ୍ରିକ ଟନ ଟମାଟୋ ଉତ୍ପାଦନ ହୁଏ । ଆବଶ୍ୟକ ଟମାଟୋ ବିକ୍ରି ହୁଏ ଏବଂ ବଳକା ବାହାରକୁ ବିକ୍ରି ପାଇଁ ଯାଏ । ଚଳିତ ବର୍ଷ ବର୍ତ୍ତମାନ ସମୟରେ ଟମାଟୋ ଅମଳ ଚାଲିଛି । କିନ୍ତୁ ଗତ କିଛିଦିନ ହେଲା ଟମାଟୋ ଦର ଆଶାତୀତ ଭାବେ କମି ଯାଇଛି ।
ବଜାରରେ ଖୁଚୁରା ବେପାରୀମାନେ କେଜି ପ୍ରତି ୧୦ ଟଙ୍କାରୁ କମ ଦାମରେ ବିକ୍ରି କରୁଛନ୍ତି । ବଡ ବଡ ବ୍ୟବସାୟୀମାନେ ଚାଷୀଙ୍କ ପାଖରୁ କେଜି ପ୍ରତି ମାତ୍ର ୩ ରୁ ୪ ଟଙ୍କାରେ କିଣି କିଣୁଛନ୍ତି । ଫଳରେ ସିଧାସଳଖ ଚାଷୀଙ୍କ ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଯେଉଁ ଚାଷୀମାନେ ହାଡଭଙ୍ଗା ପରିଶ୍ରମ କରିବା ସହ ବିହନ, ସାର, ଔଷଧ କିଣି ଚାଷ କରିଥିଲେ ସେମାନଙ୍କ ଖର୍ଚ୍ଚ ମଧ୍ୟ ଉଠୁ ନାହିଁ । ଟମାଟୋ ତୋଳିବା ପାଇଁ ଜଣେ ଶ୍ରମିକଙ୍କୁ ଦୈନିକ ପ୍ରାୟ 300 ଟଙ୍କା ମଜୁରୀ ଦେବାକୁ ପଡୁଛି । କିନ୍ତୁ ସେତିକି ମୂଲ୍ୟର ଟମାଟୋ ବିକ୍ରି ହେଉ ନାହିଁ। ଫଳରେ ଅନେକ ଚାଷୀ ଆଉ ଟମାଟୋ ତୋଳୁ ନାହାନ୍ତି । ଏକର ଏକର ଜମିରେ ଟମାଟୋ ଗଛରେ ସଢି ମାଟିରେ ପଚୁଛି । ତେଣୁ କ୍ଷେତରେ ଗାଈଗୋରୁ ଓ ଛେଳି ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି ଚାଷୀ ।