ଅନୁଗୋଳ:କୋଟିଏରୁ ଊର୍ଦ୍ଧ୍ବ ଟଙ୍କା ଠକେଇ କରି ଫେରାର ହୋଇଯାଇଛନ୍ତି ନିଜକୁ ମହିଳା ସଂଘର ସଭାନେତ୍ରୀ ପରିଚୟ ଦେଉଥିବା ମହିଳା । ଏକ ମହିଳା ଗୋଷ୍ଠୀର ସଦସ୍ୟଙ୍କଠାରୁ ଟିପ ଚିହ୍ନ ନେଇ ଟଙ୍କା ଠକି ମହିଳା ଜଣକ ଫେରାର ହୋଇଛନ୍ତି । ଅନୁଗୋଳ ସହର ଶିମିଳିପଡ଼ାରୁ ଆସିଛି ଏଭଳି ଅଭିଯୋଗ । ଝିଅକୁ ଉଚ୍ଚ ଶିକ୍ଷା ଦେବା ବାହାନାରେ ବିଭିନ୍ନ ମହିଳା ସଂଘ ଏବଂ ମହିଳାମାନଙ୍କଠାରୁ ପ୍ରାୟ ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଠକି ନେଇଛନ୍ତି ମମତା ସ୍ବାଇଁ ନାମକ ମହିଳା । ମମତାଙ୍କ ଶାଶୂଘର କେନ୍ଦ୍ରାପଡ଼ା ଜିଲ୍ଲାରେ ହୋଇଥିବା ଜଣାପଡ଼ିଛି ।
ସୂଚନା ଅନୁସାରେ, ତାଙ୍କ ବାପଘର ଶିମିଳିପଡ଼ାରେ । ମମତା ସ୍ୱାଇଁ ଗତ କିଛି ବର୍ଷ ହେବ ନିଜ ବାପଘରେ ରହି ଆସୁଥିଲେ । ସେ ବିଭିନ୍ନ ମହିଳା ସଂଘର ସଦସ୍ୟ ରହିଥିବା ବେଳେ ସଂଘର ନେତୃତ୍ବ ମଧ୍ୟ ନେଉଥିଲେ । ସେଥିପାଇଁ ତାଙ୍କ ଉପରେ ମହିଳାମାନଙ୍କ ବିଶ୍ୱାସ ଓ ଭରସା ମଧ୍ୟ ଥିଲା । ଏଣୁ ତାଙ୍କ ଜରିଆରେ ଟଙ୍କା ଦେଣନେଣ ମଧ୍ୟ କରୁଥିଲେ ସଂଘର ସଦସ୍ୟ । ଯାହାର ଫାଇଦା ଉଠାଇ ଲକ୍ଷଲକ୍ଷ ଟଙ୍କା ଠକି ନେଇଛନ୍ତି ମମତା । ନିଜର ଆବଶ୍ୟକ ଥିବା କହି ମହିଳାମାନଙ୍କ ନାଁରେ ବେସରକାରୀ ଫାଇନାନ୍ସ ସଂସ୍ଥାଠାରୁ ଋଣ ନେଇ ଏବେ ସେ ଫେରାର ହୋଇଯାଇଛନ୍ତି ।
ମମତା ପ୍ରାୟ 10ରୁ ଅଧିକ ଟଙ୍କା ଲଗାଣ କାରୀ ସଂସ୍ଥା ପାଖରୁ 50ରୁ ଅଧିକ ମହିଳାଙ୍କ ନାଁରେ ଝିଅକୁ ଉଚ୍ଚ ଶିକ୍ଷା ଦେବା ଆଳରେ ଟଙ୍କା ନେଇଥିଲେ । ଏପରିକି କିଛି ଦିନ ହେବ ନେଇଥିବା ଟଙ୍କାର କିସ୍ତି ମଧ୍ୟ ସୁଝୁଥିଲେ । କିନ୍ତୁ ମହିଳାମାନେ ଧାର ଟଙ୍କା ମାଗିବାରୁ ମମତା ଅନୁଗୋଳ ଛାଡ଼ି କୁଆଡେ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ଏହା ଜାଣିବା ପରେ ସମସ୍ତଙ୍କୁ ଋଣ ସୁଝିବା ଚିନ୍ତା ଘାରିଛି ।