ଅନୁଗୋଳ: ଇଞ୍ଜେକ୍ସନ ଦେବା ବେଳେ ଛୁଞ୍ଚି ଭାଙ୍ଗି ଜଣେ ଶିଶୁର ଶରୀରରେ ରହିବା ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ । ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଚିକିତ୍ସାଧିକାରୀ । ଏହା ଛଡା ଶିଶୁଟିର ସମସ୍ତ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ ବୋଲି ଅନୁଗୋଳ ସିଡ଼ିଏମଓ କହିଛନ୍ତି ।
ଅନୁଗୋଳ ମାଧପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଏକ ମାସ ତଳେ ଥଣ୍ଡା ଓ କାଶର ଚିକିତ୍ସା ପାଇଁ ଏକ ତିନିବର୍ଷର ଶିଶୁ ଆସିଥିଲା । ଶିଶୁ ଜଣକ ହେଲା ଆଠମଲ୍ଲିକ ମୋହନ ଖଳିରେ ରହି ଶ୍ରମିକ ଭାବେ କାମ କରୁଥିବା ସୀତାକାନ୍ତ ପଣ୍ଡାଙ୍କ ପୁଅ ସ୍ବୟଂଜିତ ପଣ୍ଡା ।
ଷ୍ଟାଫ ନର୍ସ ଶିଶୁର ଅଣ୍ଟାରେ ଇଞ୍ଜେକସନ ଦେଇଥିଲେ । ଏହାପରେ ଅଣ୍ଟାରେ ଅଧା ଛୁଞ୍ଚି ରହିଯାଇଥିଲା । କିନ୍ତୁ ସେତେବେଳେ ନର୍ସ ଏ ସମ୍ପର୍କରେ କାହାକୁ କିଛି ଜଣାଇ ନଥିଲେ । ଆଉ ପରିବାର ଲୋକ ଏ ସମ୍ପର୍କରେ କିଛି ବି ଜାଣି ପାରିନଥିଲେ । ହେଲେ ତା ପରଠୁ ଶିଶୁଟି କିନ୍ତୁ ଅନେକ ଯନ୍ତ୍ରଣା ପାଉଥିଲା। ଆଜି ହଠାତ ଶିଶୁର ସମ୍ବେଦନଶୀଳ ଜାଗାରେ ଛୁଞ୍ଚିଟି ଅଧା ବାହାରିଥିବାରୁ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ପରିବାର ଲୋକେ।