ଅନୁଗୋଳ:ଗାଧୋଇବାକୁ ପୋଖରୀ ପାଣିର ସମସ୍ୟାକୁ ନେଇ ଚିନ୍ତାରେ ଗ୍ରାମବାସୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲା ଅଧିନ ଚମ୍ପତିମୁଣ୍ଡା ଗାଁରେ । ସୂଚନାନୁଯାୟୀ ଗ୍ରାମରେ ୫୫ଟି ପରିବାରରେ ପ୍ରାୟ ୩୦୦ରୁ ଊର୍ଦ୍ଧ୍ବ ଅନୁସୂଚିତ ଲୋକେ ବସବାସ କରୁଛନ୍ତି । ଗ୍ରାମରେ ବିଭିନ୍ନ ସମସ୍ୟା ଭିତରେ ସେମାନେ ବାସ କରୁଥିଲେ ସୁଦ୍ଧା ସେମାନଙ୍କର ମୁଖ୍ୟ ସମସ୍ୟା ହେଉଛି ପାଣି । ଗାଁଟି ପଥୁରିଆ ଜାଗାରେ ଅବସ୍ଥିତ ହୋଇଥିବାରୁ ଭୂତଳ ଜଳର ସ୍ତର ଆବଶ୍ୟକତା ଠାରୁ ବହୁତ କମ ରହିଛି ।
ଗାଁରେ ନଳକୂଅଟିଏ ଖୋଳିଲେ ଆଦୌ ପାଣି ବାହାରୁ ନାହିଁ । ଅନୂରୁପ ଭାବେ ପୋଖରୀରେ ମଧ୍ୟ ପାଣି ରହେ ନାହିଁ । ତେଣୁ ପାଣି ପାଇଁ ବର୍ଷ ସାରା ଅଞ୍ଚଳବାସୀ ନାନାଦି ହଇରାଣ ହରକତ ହେଉଛନ୍ତି । ତେବେ ଗାଁ ନିକଟରେ ଥିବା ଏକ ପଥର ଖାଦାନକୁ ଗ୍ରାମବାସୀ ସଫା କରି ନିଜର ଆବଶ୍ୟକତା ପାଇଁ ପୋଖରୀ ତିଆରି କରିଛନ୍ତି । ଆଉ ବର୍ଷା ଜଳକୁ ସେହି ପୋଖରୀରେ ସଂରକ୍ଷଣ କରି ରଖୁଛନ୍ତି । ସେହି ପୋଖରୀ ପାଣିକୁ ପିଇବା ଠାରୁ ଆରମ୍ଭ କରି ଗାଧୋଇବା, ଗୃହ ପାଳିତ ପଶୁ ପାଣି ପିଇବା, ଗାଁର ଯେ କୌଣସି ଭୋଜିଭାତ ସମୟରେ ସେହି ପାଣି ବ୍ୟବହାର କରିବା ଆଦି କାର୍ଯ୍ୟ କରନ୍ତି ।