ଅନୁଗୋଳ: ଶନିବାର ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମନସୁଖ ମାଣ୍ଡଭୀୟ ତାଳଚେର ଗସ୍ତ କରି ସାର କାରଖାନାର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ନିର୍ମାଣଧିନ କମ୍ପାନୀରେ ସ୍ଥାନୀୟ ଯୁବକ ଓ ଯୁବତୀଙ୍କୁ ନିଯୁକ୍ତି ଦେବା ପାଇଁ ଦାବି କରିଛନ୍ତି ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ । କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ରସାୟନ ମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କୁ ଭେଟି ୧୧ ଦଫା ଦାବିପତ୍ର ପ୍ରଦାନ କରିଛନ୍ତି ବିଧାୟକ ।
ତାଳଚେରର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦାବି, କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇଲେ ବିଧାୟକ
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମନସୁଖ୍ ମାଣ୍ଡଭୀୟଙ୍କୁ ଭେଟିଲେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ । ନିର୍ମାଣଧିନ କମ୍ପାନୀରେ ସ୍ଥାନୀୟ ଯୁବକ ଓ ଯୁବତୀଙ୍କୁ ନିଯୁକ୍ତି ଦେବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ୧୧ ଦଫା ଦାବିପତ୍ର ପ୍ରଦାନ କରିଛନ୍ତି ବିଧାୟକ । ଅଧିକ ପଢ଼ନ୍ତୁ
ଏନେଇ ତାଳଚେର ବିଧାୟକ କହିଛନ୍ତି, "ସାର କାରଖାନା କାର୍ଯ୍ୟକ୍ଷମ କରିବା ପାଇଁ ଯେଉଁ ସମୟ ଧାର୍ଯ୍ୟ କରାଯାଇଥିଲା ତାହା ଅତିବାହିତ ହୋଇ ଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ମାତ୍ର ଶତକଡା ୧୫ ଭାଗ କାମ ମଧ୍ୟ ହୋଇ ପାରିନାହିଁ । ତେଣୁ ଏହି ଅଞ୍ଚଳର ଶ୍ରମିକମାନେ କାମଧନ୍ଦା ପାଇ ପାରୁନାହାନ୍ତି । କାରଖାନା ବନ୍ଦ ହେବା ସମୟରେ ଅନେକ କର୍ମଚାରୀ ଓ ଶ୍ରମିକ ଜୀବିକା ହରାଇଛନ୍ତି । ସେମାନଙ୍କୁ ଥଇଥାନ କରାଯାଇ ପାରିନାହିଁ। ଏହି ଅଞ୍ଚଳରେ ହଜାର ହଜାର ଶ୍ରମିକ ବେକାର ହୋଇ ବସିଥିଲେ ମଧ୍ୟ କାରଖାନା କର୍ତ୍ତୃପକ୍ଷ ବାହାରୁ ଶ୍ରମିକ ଆଣି କାମରେ ଲଗାଉଛନ୍ତି । ବିଭିନ୍ନ ସମସ୍ୟା ନେଇ ଆଲୋଚନା ପାଇଁ ଗଲେ କାରଖାନା କର୍ତ୍ତୃପକ୍ଷ ଧରଛୁଆଁ ଦେଉନାହାନ୍ତି ।" ତେବେ ଏସବୁର ସମାଧାନ କରାନଗଲେ ଆଗାମୀ ଦିନରେ ବଡ଼ ଧରଣର ଆନ୍ଦୋଳନ ଚେତାବନୀ ଦେଇଛନ୍ତି ବିଧାୟକ ।
ଇଟିଭି ଭାରତ, ଅନୁଗୋଳ