ଅନୁଗୋଳ: ଏକ ନିର୍ଦ୍ଦିଷ୍ଟ ବୈଦ୍ୟୁତିକ ଗଣମାଧ୍ୟମ ସଂସ୍ଥା ଦ୍ୱାରା କିଛି ଦିନ ପୂର୍ବରୁ ଅନୁଗୋଳ ଜିଲ୍ଲାର ତାଳଚେର ହିଙ୍ଗୁଳା ମନ୍ଦିର ଉପରେ ଏକ ଖବର ପ୍ରସାରଣ କରାଯାଇଥିଲା, ଯାହାକି ତଥ୍ୟ ସମ୍ବଳିତ ନୁହେଁ ବୋଲି ତାଳଚେର ଉପଜିଲ୍ଲାପାଳ କହିଛନ୍ତି । ଏହାର ଶୀର୍ଷକ ସାଧାରଣ ଲୋକଙ୍କ ମନକୁ ନିଶ୍ଚିତ ଭାବେ ଆନ୍ଦୋଳିତ କରିଥିବ ବୋଲି କହିବା ସହ ଏହା ଉପରେ ଏକ ସ୍ପଷ୍ଟୀକରଣ ଦେଇଛନ୍ତି । ହିଙ୍ଗୁଳା ମନ୍ଦିର ନିର୍ମାଣରେ କୋଟିକୋଟି ଟଙ୍କା ହେରଫେର ହୋଇଥିବା ଗଣମାଧ୍ୟମରେ ପ୍ରକାଶ ପାଇଥିଲା ।
ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ତାଳଚେର ଉପ ଜିଲ୍ଲାପାଳ ବିଶ୍ୱ ରଞ୍ଜନ ରଥ ପ୍ରତିକ୍ରିୟା ଦେଇ କହିଛନ୍ତି, "ଉକ୍ତ ଖବର ସମ୍ପୂର୍ଣ୍ଣ ଭିତ୍ତିହୀନ । ଯେଉଁ ଖବର ପ୍ରସାରଣ ହୋଇଥିଲା ତାହା ତଥ୍ୟ ଭିତ୍ତିକ ନୁହେଁ ।" ମନ୍ଦିର ନିର୍ମାଣ ନାମରେ ଅର୍ଥ ହେରଫେର ଅଭିଯୋଗକୁ ଉପଜିଲ୍ଲାପାଳ ଖଣ୍ଡନ କରିଛନ୍ତି । ମନ୍ଦିର ପାଇଁ ବର୍ତ୍ତମାନ ସୁଦ୍ଧା ଟଙ୍କାଟିଏ ମଧ୍ୟ କୌଣସି ସରକାରୀ ଅନୁଦାନ କିମ୍ବା ରାଷ୍ଟ୍ରାୟତ ଉଦ୍ୟୋଗରୁ ଆସିନାହିଁ । ହିଙ୍ଗୁଳା ମନ୍ଦିରର ଯାହାବି ନିର୍ମାଣ କାର୍ଯ୍ୟ ହୋଇଛି ତାହା ଭକ୍ତ ମାନଙ୍କ ଦାନ ଟଙ୍କାରେ ହୋଇଛି ।