ଅନୁଗୋଳ: କନ୍ଦମୂଳ ଚାଷର ଶତୃ ସାଜିଛନ୍ତି ବନ୍ୟଜନ୍ତୁ । ରାତିରେ ବଣୁଆ ହାତୀ ଓ ବାରହା ଏବଂ ଦିନରେ ମାଙ୍କଡ଼ ଉପଦ୍ରବ ଯୋଗୁଁ ନାହିଁ ନଥିବା କ୍ଷତି ସହୁଛନ୍ତି ଚାଷୀ । ବନ୍ୟଜନ୍ତୁ ଘଉଡାଇବାକୁ ଚାଷୀମାନେ ଯେତେ ଉଦ୍ୟମ କଲେ ମଧ୍ୟ କୌଣସି ସୁଫଳ ମିଳୁ ନାହିଁ । ଏଭଳି ସ୍ଥିତି ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲାର ସାତକୋଶିଆ ଅଭୟାରଣ୍ୟ ପାରିପର୍ଶ୍ୱରେ ଥିବା ପ୍ରାୟ ୨୫ରୁ ଅଧିକ ଗାଁରେ । ଯେଉଁଠି ବର୍ଷ ବର୍ଷ ଧରି କନ୍ଦମୂଳ ଚାଷକୁ ମୁଖ୍ୟ ଜୀବିକା ଭାବେ ଗ୍ରହଣ କରି ଆସୁଛନ୍ତି ସେଠାରେ ଏବେ ଚାଷୀ କନ୍ଦମୂଳ ଚାଷ ପ୍ରତି ବିମୁଖ ହେଲେଣି ।
ଏହାବି ପଢନ୍ତୁ- ତାଳଚେରକୁ ଜିଲ୍ଲା କର ! ରାଜ୍ୟ ସରକାରଙ୍କୁ ଦାବି ଜଣାଇଲେ ତାଳଚେରବାସୀ
ଅନୁଗୋଳ ଜିଲ୍ଲାର ସାତକୋଶିଆ ଅଭୟାରଣ୍ୟ ଅଞ୍ଚଳକୁ ଲାଗି ରହିଥିବା ଟାଇଁସି, ଅନ୍ତୁଳିଆ ଓ କୋଠଭୁଇଁ ପଞ୍ଚାୟତର ପ୍ରାୟ ୨୫ରୁ ଅଧିକ ଗାଁର ମୁଖ୍ୟ ଅର୍ଥକାରୀ ଫସଲ ହେଉଛି କନ୍ଦମୂଳ । ଏହି ପଞ୍ଚାୟତ ଗୁଡିକରେ ୧ହଜାର ଏକରରୁ ଅଧିକ ଜମିରେ କନ୍ଦମୂକ ଚାଷ କରାଯାଏ । ପ୍ରତିବର୍ଷ ୧୦ହଜାର ମେଟ୍ରିକ ଟନରୁ ଅଧିକ କନ୍ଦମୂଳ ଉତ୍ପାଦନ ହୁଏ । ହଜାର ହଜାର ଚାଷୀ ଭଲ ଦୁଇ ପଇସା ପାଇଁ ଲାଭବାନ ହୁଅନ୍ତି । ପ୍ରଥମେ ଚାଷୀମାନେ ନିଜସ୍ୱ ବ୍ୟବସ୍ଥାରେ ଆଖପାଖ ହାଟ ବଜାରକୁ ନେଇ ବିକ୍ରି କରୁଥିଲେ । ଅନେକ ସମୟରେ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଥିଲେ । ତଥାପି ପୁରୁଷ ପୁରୁଷ ଧରି ଚାଲି ଆସୁଥିବା ଏହି ଚାଷକୁ ଛାଡି ପାରୁ ନାହାନ୍ତି ଚାଷୀ । ହେଲେ ଏବେ ପ୍ରାୟ ୪ବର୍ଷ ହେଲା ସରକାରଙ୍କ ଉଦ୍ୟମରେ ଏଠାରେ ଚାରମଲ୍ଲିକ କୃଷକ ଉତ୍ପାଦକ କମ୍ପାନୀ ଗଠନ କରାଯାଇଛି । ଏହି କମ୍ପାନୀ ସିଧାସଳଖ ଚାଷୀ ମାନଙ୍କ ଠାରୁ ଉଚିତ ଦରରେ କନ୍ଦମୂଳ କିଣି ବାହାର ବେପାରୀ ମାନଙ୍କୁ ବିକ୍ରି କରୁଛନ୍ତି। ଫଳରେ ଚାଷୀମାନେ ଆଉ ଅଭାବୀ ବିକ୍ରିର ସମ୍ମୁଖୀନ ହେଉ ନାହାନ୍ତି । କିନ୍ତୁ କିଛି ବର୍ଷ ହେଲା ଚାଷୀ ମାନଙ୍କ ପାଇଁ ଶତ୍ରୁ ସାଜିଛନ୍ତି ବନ୍ୟଜନ୍ତୁ । ଦିନରେ ବହୁ ସଂଖ୍ୟାରେ ମାଙ୍କଡ଼ ବ୍ୟାପକ କନ୍ଦମୂଳ ଖାଇ ନଷ୍ଟ କରି ଦେଉଛନ୍ତି । ରାତିରେ ହାତୀପଲ ଏବଂ ବାରହା ଦଳ ପଶି ପର୍ଯ୍ୟାପ୍ତ କ୍ଷୟକ୍ଷତି କରୁଛନ୍ତି । ଚାଷୀ ମାନେ ମଞ୍ଚରେ ରହି ଘଉଡାଇବାକୁ ଯେତେ ଉଦ୍ୟମ କଲେ ମଧ୍ୟ ସୁଫଳ ମିଳୁ ନାହିଁ । ପ୍ରତିବର୍ଷ ଏଭଳି ବନ୍ୟଜନ୍ତୁ ଉପଦ୍ରବ ବୃଦ୍ଧି ପାଉ ଥିବାରୁ ଚିନ୍ତାରେ ପଡ଼ି ଯାଇଛନ୍ତି ଚାଷୀ ।