ଅନୁଗୋଳ: ଯେଉଁ ସମୟରେ ଦେଶର ଚାଷ ଓ ଚାଷୀଙ୍କ ଅବସ୍ଥା ଶୋଚନୀୟ, ସେ ସମୟରେ କିଛି ସଫଳ ଚାଷୀଙ୍କ କାହାଣୀ ଆମ ମନରେ ଚାଷକୁ ନେଇ ଏକ ନୂଆ ଆଶା ଜାଗ୍ରତ କରିଥାଏ । ନା କୌଣସି ତାଲିମ ନା କୌଣସି ସରକାରୀ ସହାୟତା, କିନ୍ତୁ ଆଜି ସେ ସଫଳ ଚାଷୀ । କେବଳ ଦୃଢ ଇଚ୍ଛା ଶକ୍ତି ଓ ପରିଶ୍ରମ ଆଣିଦେଇଛି ତାଙ୍କୁ ସଫଳତା । ଆମେ କହୁଛୁ ଅନୁଗୋଳ ବଅଁରପାଳ ବ୍ଲକ ବଡକେରଜାଙ୍ଗର ପ୍ରସନ୍ନ ସାହୁଙ୍କ କଥା । ଆଜି ଇଟିଭି ଭାରତର ଏହି ସ୍ବତନ୍ତ୍ର ଉପସ୍ଥାପନାରେ ଭେଟିବା ସଫଳ ମହୁ ଚାଷୀ ପ୍ରସନ୍ନ ସାହୁଙ୍କୁ ।
ବୟସ 60 ଟପିଲାଣି । ହେଲେ ଚାଷ କାମରୁ ବିରତ ହୋଇନାହାଁନ୍ତି । ଗୋପାଳନଠାରୁ ଆରମ୍ଭ କରି ମହୁ ଚାଷ ବିଭିନ୍ନ ଧରଣର ଚାଷ କରି ନିଜ ଗୁଜୁରାଣ ମେଣ୍ଟାଉଛନ୍ତି ସେ । ନିଜସ୍ବ ଉଦ୍ୟମରେ ପିଲାଟି ଦିନରୁ ମହୁମାଛି ସଂଗ୍ରହ କରି ବାକ୍ସରେ ରଖି ମହୁ ସଂଗ୍ରହ କରି ଆସୁଛନ୍ତି । ପ୍ରଥମେ ଗୋଟେ ବାକ୍ସରୁ ଆରମ୍ଭ କରିଥିବା ମହୁଚାଷକୁ ବଡ କରି ବର୍ତ୍ତମାନ 12ଟି ବାକ୍ସ ରଖିଛନ୍ତି । ପ୍ରସନ୍ନଙ୍କ ମହୁ ସମଗ୍ର ଅଞ୍ଚଳରେ ବେଶ୍ ପରିଚିତ । ସୁମଧୁର ମହୁ ପାଇବା ପାଇଁ ସେ ବାକ୍ସ ପାଖରେ ଫୁଲ ଗଛ ମଧ୍ୟ ଲଗାଇଛନ୍ତି ।