ଅନୁଗୋଳ:ଏଥର ରାଜଧାନୀ ନୁହେଁ ବରଂ ରାଜ୍ୟର ବିଭିନ୍ନ ଜିଲ୍ଲାରେ ମଞ୍ଚସ୍ତ ହେବ ମଞ୍ଚ ନାଟକ । ନାଟକ ହେବ ଆହୁରି ସୁଦୂର ପ୍ରସାରି। ତେବେ ଏହିଭଳି ଏକ ମହତ ଉଦ୍ଦେଶ୍ୟ ରଖି ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ କାର୍ଯ୍ୟ କରୁଛି । ତେବେ ଏହି ପରିପ୍ରେକ୍ଷୀରେ ବିଭାଗ ପକ୍ଷରୁ ଅନୁଗୋଳରେ ଆରମ୍ଭ ହୋଇଛି ରାଜ୍ୟ ସ୍ତରୀୟ ନାଟକ ମହୋତ୍ସବ ।
ଜାଗୃତି ଇନଷ୍ଟିଚ୍ୟୁଟ ଅଫ୍ ଥିଏଟର ଭୁବନେଶ୍ୱର ଦ୍ଵାରା ପ୍ରସ୍ତୁତ ଶେଷ ପାହାଚ ନାଟକ ପ୍ରଦର୍ଶିତ ହୋଇଛି । ଏଥିରେ ୮ ଜଣ ବୁଢ଼ା ବୁଢ଼ୀ ଆଉ ଜଣେ ଯୁବକ ଚାକରକୁ ନେଇ ନାଟକ ଶେଷ ପାହାଞ୍ଚ ମଞ୍ଚସ୍ଥ ହୋଇଛି । ବଞ୍ଚିବାର ଇଚ୍ଛା କେବେ ମରେନି । କିନ୍ତୁ ଏ ସମାଜ ଓ ଆଜିର ଚାଲି ଚଳଣି ମଣିଷର ଇଚ୍ଛାକୁ ମାରିଦିଏ । ସାମାନ୍ୟ ସ୍ଵାର୍ଥ ପାଇଁ ପୁଅ ବୋହୂ ମାନେ ନିଜର ବୁଢା ବାପା ଓ ମାଆଙ୍କୁ ଘରୁ ତଡି ଦିଅନ୍ତି। ଫଳରେ କଷ୍ଟ ପାଆନ୍ତି ବୟଜ୍ୟେଷ୍ଠ ବ୍ୟକ୍ତି ମାନେ । ତାହାରି ଉପରେ ଆଧାରିତ ନାଟକ ଶେଷ ପାହାଚ । ଅଦରକାରୀ ବୋଲି ମନେ ହେଉଥିବା ଏହି ବୁଢ଼ାବୁଢ଼ୀ ମାନେ ସମାଜ ଆଉ ସଂସାରରୁ ବିତାଡିତ ହୋଇ ଏକାଠି ଗୋଟିଏ ଭଡ଼ା ଘରରେ ବାନପ୍ରସ୍ଥ ନାମକ ଏକ ଆଶ୍ରମ ଗଢ଼ିଛନ୍ତି । ସେମାନେ ଦେଖାଇ ଦେବାକୁ ଚାହାନ୍ତି ଯେ ସେମାନେ ଅଦରକାରୀ ନୁହଁନ୍ତି । ସଂସାରରୁ ତାଙ୍କୁ ବିତାଡ଼ିତ କରାଯାଇଛି ସତ କିନ୍ତୁ ଜୀବନ ସଂଗ୍ରାମରେ ସେମାନେ ହାରି ନାହାନ୍ତି । ନିଜ ଭିତରେ ଥିବା ବଞ୍ଚିବାର ଇଚ୍ଛା ତାଙ୍କୁ ଆଗକୁ ନେଇଥିବା ନାଟକରେ ଦର୍ଶାଯାଇଛି।