ଅନୁଗୋଳ: ବେକାରୀ ସମସ୍ୟା ଦୂର କରିବା ପାଇଁ କେନ୍ଦ୍ର ସରକାରଙ୍କର ଅଭିନବ ଉପାୟ । କେନ୍ଦ୍ର ଦକ୍ଷତା ଓ ଉଦ୍ୟମିତା ମନ୍ତ୍ରଣାଳୟ ତରଫରୁ ଓଡିଆ ଯୁବପିଢିଙ୍କୁ ପ୍ରଶିକ୍ଷଣ ମାଧ୍ୟମରେ ଦକ୍ଷ କରିବ କୌଶଳ ରଥ । ରୋଜଗାର ଓ ସ୍ୱରୋଜଗାର ସହିତ ଯୋଡିବା ପାଇଁ ଏହି ଅଭିନବ ପ୍ରୟାସ ଆରମ୍ଭ କରାଯାଇଛି । ତେବେ ଏନେଇ ଅନୁଗୋଳ ଜିଲ୍ଲାରେ ଗଡ଼ିଛି କୌଶଳ ରଥ।
ତେବେ ଅନୁଗୋଳ ଜିଲ୍ଲାରେ କୌଶଳ ରଥ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସୁସଜ୍ଜିତ କୌଶଳ ରଥ ଗାଡି ରାଜ୍ୟର ବିଭିନ୍ନ ଜିଲ୍ଲା ବୁଲିବା ସହ ଦକ୍ଷତା ପ୍ରଶିକ୍ଷଣ ଦେବାର କାର୍ଯ୍ୟକ୍ରମ ରହିଛି । ଏହାସହ ଯୁବଗୋଷ୍ଠୀମାନେ ଆଉ ଚାକିରିକୁ ଅପେକ୍ଷା କରି ରହିବେ ନାହିଁ । ନିଜେ ତାଲିମ ନେଇ ଆତ୍ମନିର୍ଭରଶୀଳ ହେବାସହ ନିଜର ଆତ୍ମବିଶ୍ୱାସ ବଢାଇବାରେ ସଫଳ ହେବେ । ଦକ୍ଷତା ଓ ଉଦ୍ୟମିତା ବିଭାଗ ପକ୍ଷରୁ ଏନେଇ ଅଭିନବ ଉପାୟ ଅବଲମ୍ବନ କରାଯାଇଛି । ଯୁବଗୋଷ୍ଠିମାନେ ତାଲିମ ନେଇ ନିଜର ଦକ୍ଷତା ବଢାଇବା ସହ ନୂଆ ଭାରତ ନିର୍ମାଣରେ ଜଣେ ଜଣେ ପୁରୋଧା ସାଜିବେ ବୋଲି ବୋଲି ବିଶିଷ୍ଠ ବ୍ୟକ୍ତିମାନେ ମତପ୍ରକାଶ କରିଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ ଏହି ରଥ ରାଜ୍ୟର ଅନୁଗୋଳ, ଢେଙ୍କାନାଳ, ସମ୍ବଲପୁର, ଦେବଗଡ ଆଦି ଜିଲ୍ଲାରେ ବୁଲିବା ସହ ସେହି ଅଞ୍ଚଳରେ ଥିବା କୁଶଳୀମାନଙ୍କୁ ସମ୍ମାନ ପ୍ରଦାନ କରିବ । ଏଥିସହିତ ଏହି ଅଞ୍ଚଳରେ ଥିବା ମେକାନିକ୍ ଓ ଗ୍ୟାରେଜ ମାଲିକମାନଙ୍କୁ ମଧ୍ୟ ପ୍ରଶିକ୍ଷଣ ପ୍ରଦାନ କରାଯିବା ।
ତେବେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଅତିଥି ମାନେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୁବଗୋଷ୍ଠୀ ମାନଙ୍କୁ ଦକ୍ଷ ଓ ପାରଙ୍ଗମ କରିବା ପାଇଁ ସବୁବେଳେ ଗୁରୁତ୍ୱ ଦେଇ ଆସୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ତାଙ୍କ ମନ୍ତ୍ରଣାଳୟ ପକ୍ଷରୁ ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ବର୍ତ୍ତମାନର ପ୍ରତିଦ୍ୱନ୍ଦିତାମୂଳକ ସମାଜରେ ଦକ୍ଷତା ହାସଲ କରିବା, ପୁନଃ ଦକ୍ଷ ହେବା ସହିତ ଯୁବପିଢି କିପରି ଆତ୍ମନିର୍ଭରଶୀଳ ହୋଇପାରିବେ ଏହା ଉପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସବୁବେଳେ ଗୁରୁତ୍ୱ ଦେଇ ଆସୁଛନ୍ତି ବୋଲି ଅତିଥି ମାନେ ମତପ୍ରକାଶ କରିଛନ୍ତି ।