ଅନୁଗୋଳ:ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସୁରକ୍ଷା ପାଇଁ ରାଜ୍ୟ ସରକାର ଅନେକ ଯୋଜନା ପ୍ରଣୟନ କରୁଛନ୍ତି । ଏହାସହ ସଭିଏଁ ପଢିବେ ସଭିଏଁ ବଢିବେ ନାରା ଦେଉଛନ୍ତି ସରକାର । ହେଲେ ବାସ୍ତବ ଚିତ୍ର କିନ୍ତୁ ଅଲଗା । ସ୍କୁଲ ମିଶ୍ରଣ ଯୋଗୁଁ ଭୁଶୁଡି ପଡିଛି ଶିକ୍ଷା ବ୍ୟବସ୍ଥା । ଅନୁଗୋଳ ଜିଲ୍ଲାର ଦୁର୍ଗମ ଓ ଜଙ୍ଗଲ ଅଧୁସିତ ସିଟିକୋଇଲି ଗାଁରେ ରହିଥିବା ପ୍ରାଥମିକ ସ୍କୁଲକୁ କନ୍ଧକୋଇଲି ଗାଁ ସ୍କୁଲ ସହ ମିଶାଇଦେବାରୁ ପିଲାଙ୍କ ପାଇଁ ପାଠପଢା ସତେଯେମିତି ସାତସପନ ପାଲଟିଛି ।
ଅନୁଗୋଳ ଜିଲ୍ଲାର ଦୁର୍ଗମ ଓ ଜଙ୍ଗଲ ଅଧୁସିତ ସିଟିକୋଇଲି ଗାଁରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରରେ କହିଲେ ଅତ୍ୟୁକ୍ତି ହେବ ନାହିଁ । ସ୍କୁଲରେ ନାଁ ଅଛି ଅଙ୍ଗନବାଡି ନା ଅଛି ସ୍କୁଲ । ଯେଉଁ ସୟରେ ସ୍କୁଲ ଗୃହରେ ପାଠ ପଢି ସମୟ ବିତାଇବା କଥା ସେହି ସମୟରେ ଧୂଳି ଖେଳି ବିତୁଛି ଜୀବନ । ସାତକୋଶିଆ ବନଖଣ୍ଡ ଏବଂ ଅନୁଗୋଳ ବନଖଣ୍ଡ ମଝିରେ ଅବସ୍ଥିତ ଏହି ଗାଁ। ଚାରିପଟେ ଘଞ୍ଚ ଜଙ୍ଗଲ ଓ ବଡ଼ ବଡ଼ ପାହାଡ଼। ରାତି ପାହିଲେ ଏବଂ ସନ୍ଧ୍ୟା ହେଲେ ଗାଁ ଚାରିପଟେ ବଣୁଆ ହାତୀ ଏବଂ ଅନ୍ୟ ଜନ୍ତୁଙ୍କ ରାଵ ଶୁଣିବାକୁ ମିଳୁଛି। ଗାଁ ଠାରୁ ପ୍ରାୟ ୧୫କିମି ଜଙ୍ଗଲ ଭିତରେ ଗଲେ ପକ୍କା ସଡକ ଦେଖିବାକୁ ମିଳେ। ତେଣୁ ସନ୍ଧ୍ୟା ପୂର୍ବରୁ ବାହାରୁ ଘରକୁ ଫେରିବାକୁ ପଡେ। ଏଭଳି ପରିସ୍ଥିତିରେ ସିଟିକୋଇଲି ଗାଁରେ ବସବାସ ଜରୁଛନ୍ତି ପ୍ରାୟ ୮୦ରୁ ଅଧିକ ଆଦିବାସୀ ପରିବାର। ବନ୍ୟଜନ୍ତୁଙ୍କୁ ନେଇ ଚିନ୍ତା ନଥିବା ବେଳେ ପିଲାଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ପଡିଛନ୍ତି ଅଭିଭାବକ ।