ଅନୁଗୋଳ:ମୃତ୍ୟୁଶଯ୍ୟାରେ ପଡିଛନ୍ତି ବ୍ୟାଙ୍କ ଖାତାଧାରୀ । କିନ୍ତୁ ଟଙ୍କା ଦେଉନାହିଁ ଗ୍ରାମ୍ୟ ବ୍ୟାଙ୍କ । ଫଳରେ ଟଙ୍କା ଉଠାଣ ଦାବିରେ ଶେଷ ନିଶ୍ବାସ ନେଉଥିବା ରୋଗିଣା ବାପାଙ୍କୁ ଧରି ବ୍ୟାଙ୍କ ଆଗରେ ଧାରଣା ଦେଲେ ପୁରା ପରିବାର । ଶୁକ୍ରବାର ଅନୁଗୋଳ ଜିଲ୍ଲା ନିଶା ଥାନା ଅନ୍ତର୍ଗତ ରାଇଝରଣ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖା ପରିସରରେ ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ମୃତ୍ୟୁଶଯ୍ୟାରେ ପଡିଥିବା ବାପାଙ୍କୁ ଧରି ଗ୍ରାମର ଏକ ପରିବାର ଟଙ୍କା ଉଠାଣ ପାଇଁ ବ୍ୟାଙ୍କ ଆସିଥିଲେ । ହେଲେ ବ୍ୟାଙ୍କ ମ୍ୟାନେଜର ତାଙ୍କୁ ଟଙ୍କା ଦେଇନଥିଲେ । ଏହାକୁ ବିରୋଧ କରି ସେମାନେ ଧାରଣା ଦେଇଥିଲେ । ଏନେଇ ଉତ୍ତେଜନା ସୃଷ୍ଟି ହେବା ପରେ ମାମଲା ଥାନାରେ ପହଞ୍ଚିଛି ।
ଅଭିଯୋଗ ମୁତାବକ, ବ୍ୟାଙ୍କର ଜମା ଖାତାଧାରୀ ବା ଆକାଉଣ୍ଟ ହୋଲ୍ଡର ରାଇଝରଣ ଗାଁର ଫକୀର ସାହୁଙ୍କ ନାଁରେ ଗ୍ରାମରେ ଥିବା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ ପ୍ରାୟ 41 ଲକ୍ଷ ଟଙ୍କା ଜମା ରହିଛି । ହେଲେ ବ୍ୟାଙ୍କ ଏହି ଟଙ୍କା ଫକୀରଙ୍କୁ କିମ୍ବା ତାଙ୍କ ଉତାରାଧିକାରୀଙ୍କୁ ଦେଉ ନାହିଁ । ଗତ ମାର୍ଚ୍ଚ ମାସରେ କୋଇଲା ଖଣି କ୍ଷତିଗ୍ରସ୍ତ ହିସାବରେ ବୃଦ୍ଧଙ୍କ ଆକାଉଣ୍ଟକୁ ଏହି ଟଙ୍କା ଆସିଛି । ମାତ୍ର ସେ ଅସୁସ୍ଥ ଥିବାରୁ ଟଙ୍କା ଉଠାଣ ପାଇଁ ବ୍ୟାଙ୍କ ମିତ୍ର ସହାୟତାରେ ନଜର ଦସ୍ତଖତ ଦେଇଥିଲେ । ହେଲେ ସେତେବେଳେ ମାର୍ଚ୍ଚ ମାସ ଥିବା କହି ବ୍ୟାଙ୍କ କର୍ତ୍ତୃପକ୍ଷ ତାଙ୍କୁ ଆଉ ଟଙ୍କା ଦେଇ ନଥିଲେ । ଏହାରି ଭିତରେ ଏକ ମାସରୁ ଅଧିକ ସମୟ ବିତି ଯାଇଥିବା ବେଳେ ଫକୀରଙ୍କ ସ୍ବାସ୍ଥ୍ୟବସ୍ଥା ପୁରା ବିଗିଡି ଯାଇଛି ।