ଓଡିଶା

odisha

By

Published : Jan 3, 2023, 7:00 AM IST

ETV Bharat / state

ରୋଜଗାର ଦେଲା ପଲ୍ଲୀ ନର୍ସରୀ, ବଦଳିଲା ମହିଳାଙ୍କ ଜୀବନ ଶୈଳୀ

ଅନୁଗୋଳ ଜିଲ୍ଲା କୁମୁରିସିଂହା ପଞ୍ଚାୟତର ରାଜଲକ୍ଷ୍ମୀ ସ୍ବୟଂ ସହାୟକ ଗୋଷ୍ଠିର ମହିଳାଙ୍କୁ ରୋଜଗାରକ୍ଷମ କରିଛି ନର୍ସରୀ କାର୍ଯ୍ୟ । ପଞ୍ଚାୟତକୁ ଆସିଥିବା ଓଡିଶା ଜୀବିକା ମିଶନର ନର୍ସରୀ କାର୍ଯ୍ୟ ହାତକୁ ନେଇ ବର୍ଷକୁ ୫୦ ହଜାରରୁ ଊର୍ଦ୍ଧ୍ବ ଟଙ୍କା ରୋଜଗାର କରୁଥିବା ଏମାନେ ପ୍ରକାଶ କରିଛନ୍ତି । ଅଧିକ ପଢ଼ନ୍ତୁ

ସ୍ବୟଂ ସହାୟକ ଗୋଷ୍ଠିର ମହିଳାଙ୍କୁ ରୋଜଗାରକ୍ଷମ କରିଛି ପଲ୍ଲୀ ନର୍ସରୀ
ସ୍ବୟଂ ସହାୟକ ଗୋଷ୍ଠିର ମହିଳାଙ୍କୁ ରୋଜଗାରକ୍ଷମ କରିଛି ପଲ୍ଲୀ ନର୍ସରୀ

ରୋଜଗାର ଦେଲା ପଲ୍ଲୀ ନର୍ସରୀ

ଅନୁଗୋଳ: ମହିଳାଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଅନେକ ଯୋଜନା ଆଣିଛନ୍ତି ସରକାର । ମିଶନ ଶକ୍ତି ଜରିଆରେ ମହିଳାମାନେ ରୋଜଗାରକ୍ଷମ ହୋଇପାରିଛନ୍ତି । ଅନୁଗୋଳ ଜିଲ୍ଲା କୁମୁରିସିଂହା ପଞ୍ଚାୟତର ରାଜଲକ୍ଷ୍ମୀ ସ୍ବୟଂ ସହାୟକ ଗୋଷ୍ଠିର ମହିଳାମାନେ ମଧ୍ୟ ରୋଜଗାର ପାଇଁ ଏଭଳି ଏକ ରାସ୍ତା ଆପଣାଇଛନ୍ତି । ପଞ୍ଚାୟତ ପାଇଁ ମଞ୍ଜୁର ହୋଇଥିବା ଓଡିଶା ଜୀବିକା ମିଶନର ନର୍ସରୀ କାର୍ଯ୍ୟ ହାତକୁ ନେଇ ଦୁଇ ବର୍ଷରେ ପ୍ରାୟ ୧ ଲକ୍ଷ ଟଙ୍କା ରୋଜଗାର କରିଛନ୍ତି ଏହି ମହିଳା ଗୋଷ୍ଠୀ ।

୨୦୨୦ରେ ଆରମ୍ଭ କରିଥିଲେ ନର୍ସରୀ କାମ

ଅନୁଗୋଳ ଜିଲ୍ଲାର କୁମୁରିସିଂହା ପଞ୍ଚାୟତରେ ୧୧୪ଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଅଛି । ସେମାନଙ୍କ ମଧ୍ୟରୁ ରାଜଲକ୍ଷ୍ମୀ ସ୍ବୟଂ ସହାୟକ ଗୋଷ୍ଠୀ ଅନ୍ୟତମ । ଗତ ୨୦୧୭ରେ ଏହା ଗଠନ ହୋଇଥିଲା । ତେବେ ଏହି ଗୋଷ୍ଠୀର ମହିଳାଙ୍କ ପାଇଁ ରୋଜଗାରର କୌଣସି ମାଧ୍ୟମ ନଥିଲା । ଗତ ୨୦୨୦ରେ ଓଡ଼ିଶା ଜୀବିକା ମିଶନର ଏକ ନର୍ସରୀ ସେହି ପଞ୍ଚାୟତ ପାଇଁ ମଞ୍ଜୁର ହୋଇଥିଲା । ଏହି ଗୋଷ୍ଠୀର ମହିଳାମାନେ ନିଜେ ଏହି ନର୍ସରୀ କାମ କରିବେ ବୋଲି କହି ସରପଞ୍ଚଙ୍କ ଜରିଆରେ ଦେଢ଼ ଲକ୍ଷ ଟଙ୍କାର ଅନୁଦାନ ଆଣି ଏହି କାର୍ଯ୍ୟ ଆରମ୍ଭ କରିଥିଲେ ।

ବର୍ଷକୁ ୫୦ ହଜାରରୁ ଊର୍ଦ୍ଧ୍ବ ରୋଜଗାର

ପଞ୍ଚାୟତରୁ ଅନୁଦାନ ପାଇବା ପରେ ଗାଁର ଏକ ଜମିକୁ ବାର୍ଷିକ ୮ ହଜାର ଟଙ୍କା ଭଡା ସୂତ୍ରରେ ନେଇ କାମ ଆରମ୍ଭ କରିଥିଲେ ରାଜଲକ୍ଷ୍ମୀ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟ । ସେଠାରେ ଭଳିକି ଭଳି ଫୁଲ, ଫଳ ଓ ପନିପରିବା ଚାରା ପ୍ରସ୍ତୁତ କଲେ । ମହିଳାମାନେ ନିଜେ ମାଟି ଖୋଳିବା, ପଲିଥିନ ପ୍ୟାକେଟରେ ଚାରା ଲଗାଇବା, ପାଣି ଦେବା, ଘାସ ବାଛିବା ଆଦି କାମ କରୁଛନ୍ତି । ସେମାନଙ୍କ ମଧ୍ୟରୁ କିଛି ସଦସ୍ୟ ଚାରା ବିକ୍ରି କରିବା ଓ ହିସାବ ରଖିବା ଦାୟିତ୍ବରେ ଅଛନ୍ତି । ନିଜନିଜ ଭିତରେ ସେମାନେ ସମନ୍ବୟ ରଖି ଏହିସବୁ କାମ କରୁଛନ୍ତି । ବର୍ଷକୁ ଏବେ ୫୦ ହଜାରରୁ ଅଧିକ ଟଙ୍କା ଲାଭ ପାଉଥିବା ପ୍ରକାଶ କରିଛନ୍ତି । ଆଗକୁ ନର୍ସରୀ ବଢ଼ାଇ ଅଧିକ ଚାରା ବିକ୍ରି କରି ଆହୁରି ଅଧିକ ଲାଭ ପାଇବା ପାଇଁ ମଧ୍ୟ ଏମାନେ ଲକ୍ଷ୍ୟ ରଖିଛନ୍ତି ।

ଆତ୍ମନିର୍ଭର କରିଛି ନର୍ସରୀ

ଏଠାରୁ ପ୍ରସ୍ତୁତ ହେଉଥିବା ବିଭିନ୍ନ କିସମର ଚାରା ପଞ୍ଚାୟତର ପାର୍କ, ପୋଖରୀ ହୁଡା, ସ୍କୁଲ ଓ ଅନ୍ୟ ସ୍ଥାନରେ ରୋପଣ ପାଇଁ ନିଆଯାଏ । ବିଭିନ୍ନ ସ୍ଥାନରୁ ଲୋକେ ଆସି କିଣି ନିଅନ୍ତି । ଅନେକ ସମୟରେ ମହିଳାମାନେ ନିଜେ ଗାଡ଼ିରେ ଚାରା ହାଟ ବଜାରକୁ ନେଇ ବିକ୍ରି କରିଥାନ୍ତି । ଘର କାମ ସାରି ଦୈନିକ ୨ରୁ ୩ଘଣ୍ଟା ପରିଶ୍ରମ କରୁଛନ୍ତି । ଏଥିରେ ବେଶ୍‌ ସଫଳତା ମଧ୍ୟ ପାଇଛନ୍ତି । ଏଥିରୁ କିଛି ଅର୍ଥ ରୋଜଗାର ହେଉଥିବାରୁ ସେମାନେ ଆତ୍ମନିର୍ଭର ହୋଇପାରିଥିବା କହିଛନ୍ତି । ଆଗକୁ କିଭଳି ଆହୁରି ରୋଜଗାର ବଢିବ ସେଥିପାଇଁ ମଧ୍ୟ ପ୍ରୟାସ ଜାରି ରଖିଛନ୍ତି ।

ସରକାର ମିଶନ ଶକ୍ତି ମାଧ୍ୟମରେ ମହିଳାଙ୍କ ପାଇଁ ଅନେକ ସହାୟତା ଦେଉଛନ୍ତି । ସେସବୁର ସଦୁପଯୋଗ କରି ମହିଳାମାନେ ରୋଜଗାରକ୍ଷମ ହେବା ଆବଶ୍ୟକ ବୋଲି ରାଜଲକ୍ଷ୍ମୀ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ କହିଛନ୍ତି । ମହିଳାମାନେ ଆତ୍ମ ନିର୍ଭରଶୀଳ ହେଲେ ଦେଶର ଉନ୍ନତି ହେବ । ଏହି କଥାକୁ ପାଥେୟ କରି ଏହି ମହିଳା ଗୋଷ୍ଠୀ ନିଜ କାମରେ ଆଗେଇ ଚାଲିଛନ୍ତି ।

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details