ଅନୁଗୋଳ : ମଧ୍ୟାହ୍ନ ଭୋଜନ ଖାଇ ୧୨୦ ଛାତ୍ରଛାତ୍ରୀ ଅସୁସ୍ଥ ! ଏଭଳି ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲା ପାଲଲହଡା ବ୍ଲକ ଖମାର ଥାନା ଅନ୍ତର୍ଗତ ରଜଡଙ୍ଗ ୟୁପି ସ୍କୁଲରେ । ସୂଚନାନୁସାରେ ରଜଡଙ୍ଗ ୟୁପି ସ୍କୁଲରେ ଆଜି ମଧ୍ୟାହ୍ନ ଭୋଜନ ପାଇଁ ଖାଇବାକୁ ବସିଥିଲେ ୧୨୦ଜଣ ଛାତ୍ରଛାତ୍ରୀ । ଖାଇବାପରେ ଏମାନଙ୍କ ମଧ୍ୟରୁ ପ୍ରଥମେ ୨୦ଜଣ ପିଲାଙ୍କର ପେଟ କାଟିଥିଲା । ଏହାପରେ ଜଣଙ୍କ ପରେ ଜଣେ ବାନ୍ତି କରିବା ସହ ମୁଣ୍ଡ ବୁଲାଇ ଅଚେତ ହୋଇ ପଡ଼ିଥିଲେ । ସମସ୍ତ ଗୁରୁତର ଛାତ୍ରଛାତ୍ରୀଙ୍କୁ ଖମାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଚିକିତ୍ସା ପରେ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ଘଟିଥିବା ଜଣାଯାଇଛି । ତେବେ ଅସୁସ୍ଥ ପିଲାଙ୍କୁ ହସପିଟାଲରେ ରଖାଯାଇ ଅନୁଧ୍ୟାନ କରାଯାଉଛି ।
ଏହାଦେଖି ସ୍କୁଲର ଶିକ୍ଷକ ତୁରନ୍ତ ଅସୁସ୍ଥ ହୋଇଥିବା ପିଲାଙ୍କୁ ଖମାର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପରେ ବାକି ପିଲା ମଧ୍ୟ ପର୍ଯ୍ୟାୟ କ୍ରମେ ଅସୁସ୍ଥ ହୋଇପଡ଼ିଥିଲା । ସମସ୍ତ ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବା ସହ ଏନେଇ ଅଭିଭାବକଙ୍କୁ ଖବର ଦେଇଥିଲେ ସ୍କୁଲ କତ୍ତୃପକ୍ଷ । ଅନ୍ୟପକ୍ଷରେ ଘଟଣା ସମ୍ପର୍କରେ ଖବରପାଇ ସ୍ଥାନୀୟ ବିଡିଓ ଉକ୍ତ ସ୍କୁଲରେ ପହଞ୍ଚି ଏ ବାବଦରେ ଅନୁଧ୍ୟାନ କରିଛନ୍ତି ।