ଅନୁଗୋଳ: ଦୁଇ ଦିନ ଧରି ପ୍ରବଳ ବର୍ଷାରେ ବେହାଲ ହୋଇ ପଡିଛି ଅନୁଗୋଳ । ଯୁଆଡେ ଚାହିଁଲେ ଖାଲି ପାଣି ଆଉ ପାଣି । କେଉଁଠି ପୋଲ ଭାଙ୍ଗି ଗମନାଗମନ ଠପ ହୋଇ ଯାଇଛି ତ ଆଉ କେଉଁଠି ଜାତୀୟ ରାଜପଥ ଉପରେ ଆଣ୍ଠୁଏ ପାଣି ଚାଲିଛି । ଗାଁ ଗଣ୍ଡାରେ ଛୋଟ ଛୋଟ ପୋଲ ଗୁଡିକ ଉପରେ ପାଣି ପ୍ରବାହିତ ହେଉଥିବାରୁ ବହୁ ଗାଁ ଜଳମଗ୍ନ ହୋଇପଡିଛି ।
ମଙ୍ଗଳବାର ଦିନ ଠାରୁ ଅନୁଗୋଳ ଜିଲ୍ଲାର ବିଭିନ୍ନ ବ୍ଲକରେ ଲଗାଣ ବର୍ଷା ଜାରି ରହିଛି । ଫଳରେ ନାହିଁ ନଥିବା ପରିସ୍ଥିତି ସୃଷ୍ଟି ହୋଇଛି । ସହରର ଗାନ୍ଧୀ ମାର୍ଗ ରାସ୍ତାରେ ଚାଲିଛି ଆଣ୍ଠୁଏ ପାଣି । ବ୍ରାହ୍ମଣିଦେଇ ପଡା ଓ ରାଜକିଶୋର ପଡା ସମେତ ଅନେକ ସହର ତଳି ଅଞ୍ଚଳ ଜଳମଗ୍ନ ହୋଇପଡିଛି । ସହର ଭିତରେ ଥିବା ବହୁ ରାସ୍ତା ଉପରେ ଚାଲିଛି ବର୍ଷା ପାଣି । ୫୫ନମ୍ବର ଜାତୀୟ ରାଜପଥର ତୁରଙ୍ଗ ନିକଟରେ ରାସ୍ତା ଉପରେ ୪ଫୁଟ ପାଣି ଦେଖିବାକୁ ମିଳିଛି । ଫଳରେ ଯାତୟତରେ ଘୋର ଅସୁବିଧା ସୃଷ୍ଟି ହୋଇଛି । ଡେରାଜାଙ୍ଗ ଡ୍ୟାମ ତଳେ ବସବାସ କରୁଥିବା ଲୋକଙ୍କ ଘରେ ପଶିଛି ପାଣି । ଚାରିଆଡେ ପାଣି ଘେରରେ ଜଳବନ୍ଦୀ ଜୀବନ କାଟୁଛନ୍ତି ସହରବାସୀ । ଲଗାଣ ବର୍ଷା ଯୋଗୁ ଲୋକେ ଘରୁ ବାହାରକୁ ବାହାରି ପାରୁ ନାହାନ୍ତି ଲୋକେ । ତୁହାକୁ ତୁହା ଲାଗି ରହିଛି ବର୍ଷା । ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଗୁଡିକ ବନ୍ଦ ରଖିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି ।