ଅନୁଗୋଳ:ଓଡିଶାରେ ବାଘ ବଂଶ ବୃଦ୍ଧି କରିବା ନେଇ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପରେ(Satkosia Tiger Reserve ) ୨୦୧୯ ମସିହାରେ ମଧ୍ୟପ୍ରଦେଶରୁ ୨ଟି ମହାବଳ ବାଘ ଅଣା ଯାଇଥିଲା । ସେମାନଙ୍କ ମଧ୍ୟରୁ ଗୋଟିଏ ବାଘ ମହାବୀର ଶିକାରୀ ଫାସରେ ପଡି ମୃତ୍ୟୁ ବରଣ କରି ବା ପରେ ବାଘୁଣୀ ସୁନ୍ଦରୀ ମଧ୍ୟପ୍ରଦେଶ ଫେରିଯାଇଥିଲା । ଏହି ଘଟଣା ପରେ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ହେବ କି ନାହିଁ ସନ୍ଦେହ ସୃଷ୍ଟି ହୋଇଥିଲା । ଏବେ ପୁଣି ଥରେ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ଭିତ୍ତିଭୂମି ସଜଡ଼ା ଯାଉଛି । ଆଉ ଥରେ ଏଠାରେ ବାଘ ଆଣି ଛଡାଯିବାକୁ ଯୋଜନା କରୁଛି ବନ ବିଭାଗ ।
ମହାବୀର ମୃତ୍ୟୁ ଏବଂ ସୁନ୍ଧରୀ ଫେରିବା ପରେ ଏଠାରେ ଥିବା ଏକ ମାତ୍ର ବାଘୁଣୀର ପ୍ରାୟ ୧୦ମାସ ହେଲା କୌଣସି ପତ୍ତା ମିଳି ପାରୁନାହିଁ । ତେଣୁ ସେହି ବାଘୁଣୀଟି ଏବେ ବଞ୍ଚିଛି କି ନାହିଁ ତାହା କେହି କହି ପାରୁନାହାନ୍ତି । ଏଭଳି ସ୍ଥିତିରେ ଗୁରୁବାର କୁଲାଙ୍ଗୀ ଗାଁ ନିକଟରୁ କଲରାପତରିଆ ବାଘ ଓ ଛୁଆର ମୃତଦେହ ଠାବ କରାଯାଇଛି । ଶିକାରୀ ଫାସରେ ପଡି ଦୁଇଟି ଯାକ ବାଘର ମୃତ୍ୟୁ ହୋଇଥିବା ଜଣା ପଡ଼ିଛି । ପ୍ରାୟ ୧୦ ରୁ ୧୨ଦିନ ପୂର୍ବରୁ ବାଘ ଦୁଇଟିର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ସେହିପରି ଗତ ଜାନୁଆରୀ ମାସରେ ପୁରୁଣାକୋଟ ରେଞ୍ଜ ଗୋପାଳପୁର ଗାଁ ନିକଟରେ ଏକ କଲରାପତରିଆ ବାଘ ଶିକାରୀ ଫାସରେ ପଡି ଛଟପଟ ହେଉଥିବା ବେଳେ ବନ ବିଭାଗ ତାକୁ ଉଦ୍ଧାର କରିଥିଲା ।
ତେଣୁ ଏଥିରୁ ସ୍ପଷ୍ଟ ଜଣାପଡେ ସାତକୋଶିଆରେ ଶିକାରୀ ସକ୍ରିୟ ଏବଂ ଜନ୍ତୁ ଅସୁରକ୍ଷିତ । କୁଲାଙ୍ଗୀ ଗାଁ ନିକଟରେ ୧୦ରୁ ୧୨ ଦିନ ପୂର୍ବେ ବାଘର ମୃତ୍ୟୁ ହୋଇଥିଲେ ମଧ୍ୟ ବନ ବିଭାଗ କେମିତି ଜାଣି ପାରିଲେ ନାହିଁ ? ସଠିକ ଭାବରେ ଜଙ୍ଗଲ ଭିତରେ ପେଟ୍ରୋଲିଂ ହେଉଛି କି ନାହିଁ ? ତାହା ହେଲେ ଜଙ୍ଗଲ ଓ ଜନ୍ତୁ ସୁରକ୍ଷା ଦାୟିତ୍ୱରେ ଥିବା ବନ କର୍ମଚାରୀ କଣ କରୁଛନ୍ତି ? ଏମିତି ଅନେକ ପ୍ରଶ୍ନ ଉଠାଇଛନ୍ତି ପରିବେଶବିତ୍ ।
ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ପୁନରୁଦ୍ଧାର ପାଇଁ ଏବେ କର୍ତ୍ତୃପକ୍ଷ ଲାଗି ପଡିଛନ୍ତି । ଗୋଟିଏ ପରେ ଗୋଟିଏ ଗାଁ ଉଛେଦ କରିବାକୁ ବ୍ୟସ୍ତ ରହୁଛନ୍ତି ଅଧିକାରୀ । ତଳିଆ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ଉଚ୍ଚ ପଦସ୍ଥ ଅଧିକାରୀଙ୍କ ପର୍ଯ୍ୟନ୍ତ ସମତେ କେବଳ ଗାଁ ଉଚ୍ଛେଦ ପାଇଁ ଲାଗି ପଡିଛନ୍ତି । ଗତ ୨୦୧୮ରେ ରାଇଗୋଡା ଗାଁ ଉଚ୍ଛେଦ ହେବା ପରେ ଏବେ ଅସନବାହାଲ, କଟରଙ୍ଗ ଗାଁ ଉଚ୍ଛେଦ ପାଇଁ ସବୁ ପ୍ରକ୍ରିୟା ଶେଷ ହୋଇଛି । ଏବେ ଟୁଲୁକା, ସାଲର, ଗୋପାଳପୁର, ଛୋଟକେଇ ଗାଁ ଉଛେଦ କରିବାକୁ ଜୋରସୋରରେ ଚାଲିଛି ଉଦ୍ୟମ । ହେଲେ ଏସବୁ କାହା ସ୍ୱାର୍ଥରେ, କାହିଁକି କୋଟି କୋଟି ଟଙ୍କା ଖର୍ଚ୍ଚ କରା ଯାଉଛି ବୋଲି ପ୍ରଶ୍ନ ଉଠୁଛି । କାରଣ ଯଦି ବ୍ୟାଘ୍ର ପ୍ରକଳ୍ପ ପାଇଁ ଏସବୁ କରାଯାଉଛି ତେବେ ବାଘକୁ ସୁରକ୍ଷା କାହିଁକି ଦିଆ ଯାଉନାହିଁ । ମହାବଳ ବାଘ ତ ଅଲଗା, କଲରାପତାରିଆ ବାଘ ମଧ୍ୟ ସିଡୁଲ-୧ ପ୍ରାଣୀ ତାଲିକା ଅନ୍ତର୍ଭୁକ୍ତ। ଅର୍ଥାତ ବିଲୁପ୍ତ ପ୍ରାୟ ପ୍ରାଣୀ ବୋଲି ବିବେଚନା କରାଯାଇଛି ।