ଅନୁଗୋଳ: ଏଠାକାର ପ୍ରାକୃତିକ ସୈାନ୍ଦର୍ଯ୍ୟ, ମହାନଦୀ ନୀଳ ଜଳରାଶିର ମନୋରମ ଦୃଶ୍ୟ ଓ ଚତୁପାର୍ଶ୍ବରେ ଥିବା ଘଞ୍ଚ ବନାନୀ ସମସ୍ତଙ୍କୁ ଦୂର ଦୂରାନ୍ତରୁ ଟାଣି ଆଣେ । ବ୍ୟସ୍ତ ବହୁଳ ଜୀବନରୁ କିଛି କ୍ଷଣ ଆସ୍ବସ୍ତି ପାଇଁ ଏଠାକୁ ଛୁଟି ଆସନ୍ତି ଦେଶ ତଥା ଦେଶ ବାହାରୁ ପର୍ଯ୍ୟଟକ । ବିଶେଷ କରି ଶୀତ ଦିନ ଆସିଲେ ଏଠାରେ ବଢିଯାଏ ପର୍ଯ୍ୟଟକଙ୍କ ସଂଖ୍ୟା । ପ୍ରକୃତିର ଗନ୍ତାଘର ସାତକୋଶିଆ ଗଣ୍ଡ ଓ ପାଖରେ ଥିବା ନେଚର କ୍ୟାମ୍ପ ସମସ୍ତଙ୍କୁ ଆକର୍ଷିତ କରେ ।
ମହାନଦୀର ସାତକୋଶିଆ ଗଣ୍ଡ ସାରା ବିଶ୍ବରେ ବିରଳ । ଗଣ୍ଡର ବିସ୍ତୃତ ନୀଳ ଜଳରାଶି, ଉଭୟ ପାର୍ଶ୍ବରେ ଥିବା ଚିର ସବୁଜ ପର୍ବତ ଓ ଏଠାକାର ଜୈବ ବିବିଧତା ଆଉ କେଉଁଠି ଦେଖିବାକୁ ମିଳେ ନାହିଁ । ଶୀତ ଋତୁରେ ବିଦେଶାଗତ ପକ୍ଷୀଙ୍କ କଳରବ, ବାଲୁକା ଶଯ୍ୟାରେ କୁମ୍ଭୀର ଓ ଜଳଚର ଜୀବଙ୍କ ଉପସ୍ଥିତି ସତରେ ବେଶ ନିଆରା । ପର୍ଯ୍ୟଟକଙ୍କ ପାଇଁ ଏଠାରେ ବନ ବିଭାଗ ପକ୍ଷରୁ କରାଯାଇଛି ନେଚର କ୍ୟାମ୍ପ । ରହିବା ପାଇଁ ସୁବ୍ୟବସ୍ଥିତ 10ରୁ ଅଧିକ ଟେଣ୍ଟ । ଟେଣ୍ଟ ଭିତରେ ଶୋଇବା ପାଇଁ ଉତ୍ତମ ଶଯ୍ୟା ସହିତ ସୋଲାର ଆଲୋକର ବ୍ୟବସ୍ଥା ମଧ୍ୟ କରାଯାଇଛି ।
ତେବେ ପର୍ଯ୍ୟଟକଙ୍କୁ ଜଙ୍ଗଲ ଭିତରେ ଟ୍ରାକିଂ ଓ ମହାନଦୀରେ ନୈାକା ବିହାରର ସୁଯୋଗ ମଧ୍ୟ ଦିଆଯାଉଛି । ଯାହା ପାଇଁ କେବଳ ଅନଲାଇନରେ ବୁକିଂ କରାଯାଇଥାଏ । ଏଥିପାଇଁ http//www. satkosia.org କୁ ଯାଇ ମଧ୍ୟ ବୁକିଂ କରିପାରିବେ ।