ଓଡିଶା

odisha

By

Published : May 14, 2022, 5:53 PM IST

ETV Bharat / state

ସ୍ୱାଧୀନତାର ୭୫ ବର୍ଷରେ ବି ବିଜୁଳି ଦେଖିପାରିନି ସାଲର ଗାଁ, ପିଲାଙ୍କ ପାଠପଢା ଠପ୍

ଅନୁଗୋଳ ଜିଲ୍ଲାର ସାତକୋଶିଆ ଅଭୟାରଣ୍ୟ ଭିତରେ ଥିବା ସାଲର ଗାଁ । ଅଭୟାରଣ୍ୟ କଟକଣା ଭିତରେ ପେଷି ହୋଇ ଯାଇଛନ୍ତି ଗ୍ରାମବାସୀ । ଘଞ୍ଚ ଜଙ୍ଗଲ ଭିତରେ ଜଙ୍ଗଲୀ ପରି ବଞ୍ଚି ରହିଛନ୍ତି ଲୋକେ । ନାହିଁ କୌଣସି ମୌଳିକ ସୁବିଧା । ଅଧିକ ପଢନ୍ତୁ

ସ୍ୱାଧୀନତାର ୭୫ ବର୍ଷରେ ବି ବିଜୁଳି ଦେଖିପାରିନି ସାଲର ଗାଁ
ସ୍ୱାଧୀନତାର ୭୫ ବର୍ଷରେ ବି ବିଜୁଳି ଦେଖିପାରିନି ସାଲର ଗାଁ

ଅନୁଗୋଳ: ଆମ ଦେଶ ସ୍ବାଧୀନତାର ୭୫ ବର୍ଷ ପୁର୍ତ୍ତି ପାଳନ କରୁଥିଲେ ମଧ୍ୟ ଏମିତି ଗାଁ ଅଛି ଯେଉଁଠାକୁ ବିଜୁଳି ଆଲୁଅ ସାତସପନ । ଖାଲି ସେତିକି ନୁହେଁ ନା ଅଛି ପାନୀୟ ଜଳ ନା ପିଲାଙ୍କ ପାଇଁ ସ୍କୁଲ । ଘଞ୍ଚ ଜଙ୍ଗଲ ଭିତରେ ଜଙ୍ଗଲୀ ପରି ବଞ୍ଚି ରହିଛନ୍ତି ଲୋକେ । ଏଭଳି ସ୍ଥିତି ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲାର ସାତକୋଶିଆ ଅଭୟାରଣ୍ୟ ଭିତରେ ଥିବା ସାଲର ଗାଁରେ । ଅଭୟାରଣ୍ୟ କଟକଣା ଭିତରେ ପେଷି ହୋଇ ଯାଇଛନ୍ତି ଗ୍ରାମବାସୀ ।

ସ୍ୱାଧୀନତାର ୭୫ ବର୍ଷରେ ବି ବିଜୁଳି ଦେଖିପାରିନି ସାଲର ଗାଁ

ସାତକୋଶିଆ ଅଭୟାରଣ୍ୟର ଘଞ୍ଚ ଓ ଦୁର୍ଗମ ଜଙ୍ଗଲ ଭିତରେ ଅବସ୍ଥିତ ସାଲର ଗାଁ । ଗାଁ ଟି ଜଙ୍ଗଲ ଭିତରେ ଥିଲେ ମଧ୍ୟ ଏହା ରାଜସ୍ୱ ଗ୍ରାମର ମାନ୍ୟତା ପାଇଛି । ଏଠାରେ ପ୍ରାୟ ୩୦ଟି ଆଦିବାସୀ ପରିବାର ବସବାସ କରି ଆସୁଛନ୍ତି । କିନ୍ତୁ, ସେମାନେ ସମସ୍ତ ମୌଳିକ ସୁବିଧା ପାଇବାରୁ ବଞ୍ଚିତ ହୋଇଛନ୍ତି । କେବଳ ଅଭୟାରଣ୍ୟ କଟକଣା ଯୋଗୁଁ ଗାଁରେ ସମସ୍ତ ଉନ୍ନୟନମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ଦୀର୍ଘ ବର୍ଷର ଦାବି ଆପତି ପରେ ଟିକରପଡା ରାସ୍ତାରୁ ଗାଁକୁ ସଂଯୋଗ କରୁଥିବା ରାସ୍ତାଟିଏ ନିର୍ମାଣ ହୋଇପାରିଛି । ହେଲେ ଆଉ କୌଣସି ସୁବିଧା ନାହିଁ । ଲୋକେ ଏପର୍ଯ୍ୟନ୍ତ ବିଜୁଳି ଆଲୁଅ ଦେଖିନାହାନ୍ତି । ସରକାରଙ୍କ ତରଫରୁ ସୋଲାର ଲାଇଟ୍ ବ୍ୟବସ୍ଥା ହୋଇଛି । କିନ୍ତୁ, କେତେବେଳେ ବ୍ୟାଟେରୀ ଖରାପ ହେଉଛି ତ ଆଉ କେତେବେଳେ ମେଘୁଆ ପାଗ ହେଲେ ତାହା କାମ କରୁନାହିଁ । ଅଧିକାଂଶ ସମୟରେ ଅନ୍ଧାରରେ ରହୁଛନ୍ତି ଲୋକମାନେ । କିରୋସିନୀର ଅଭାବ ସାଙ୍ଗକୁ ଲିଟର ପ୍ରତି ୭୦/୮୦ ଟଙ୍କା ଦେଇ କିଣିବା ସେମାନଙ୍କ ପକ୍ଷେ ସମ୍ଭବ ହେଉନାହିଁ । ସନ୍ଧ୍ୟା ହେଲେ ବନ୍ୟ ଜନ୍ତୁଙ୍କ ବୋବାଳି, ହାତୀ ପଲ ଉପଦ୍ରବ ଓ ବର୍ଷା ଦିନେ ସରୀସୃପ ମାଳ ମାଳ ହୋଇ ବୁଲନ୍ତି । ଏଭଳି ବୟାବହ ପରିସ୍ଥିତି ମଧ୍ୟରେ ସ୍ଥିତିରେ ରହିଛନ୍ତି ଏଠାକାର ଲୋକେ ।


ଗାଁରେ ପାନୀୟ ଜଳର ଆଦୌ ସୁବିଧା ନାହିଁ କହିଲେ ଚଳେ । ଏକମାତ୍ର ସୌର ଚାଳିତ ପମ୍ପ ସେମାନଙ୍କ ଭରସା । କିନ୍ତୁ, ବର୍ଷା ଦିନେ ବ୍ୟାଟେରୀ ଚାର୍ଜ ହୋଇପାରୁ ନଥିବାରୁ ପମ୍ପ ବନ୍ଦ ରହୁଛି । ଖରା ଦିନେ ଆବଶ୍ୟକ ପାଣି ବାହାରୁ ନାହିଁ । ତେଣୁ, ଲୋକେ ଗାଁ ନିକଟରେ ଥିବା ଏକ ଜଙ୍ଗଲୀ ନାଳ ଉପରେ ନିର୍ଭର କରୁଛନ୍ତି । ନାଳ କୂଳରେ ଚୁଆ ଖୋଳି ପାଣି ସଂଗ୍ରହ କରୁଛନ୍ତି । ରାତି ପାହିଲେ ମହିଳାଙ୍କୁ ଲମ୍ବା ଲାଇନ ଲଗାଇବାକୁ ପଡୁଛି । ଗାଁରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଏକ ସ୍କୁଲ ଥିଲା । କିନ୍ତୁ ୧୫ରୁ ଅଧିକ ପିଲା ନହେବାରୁ ତାହା ବନ୍ଦ କରିଦିଆଯାଇଛି । ଫଳରେ ପିଲାମାନେ ପାଠ ପଢିନପାରି ଗାଁରେ ବୁଲୁଛନ୍ତି । କାରଣ ସେମାନଙ୍କୁ ପାଠ ପଢିବାକୁ ହେଲେ ଦୁର୍ଗମ ଜଙ୍ଗଲ ଭିତରେ ବହୁଦୂର ଅନ୍ୟ ଗାଁକୁ ଯିବାକୁ ପଡ଼ୁଥିବାରୁ ଭୟରେ ଯାଉନାହାଁନ୍ତି । ଏଭଳି ଅନେକ ସମସ୍ୟା ଭିତରେ ସେମାନେ କେବଳ ଭାଗ୍ୟକୁ ଆଦରି ବଞ୍ଚିରହିଛନ୍ତି । ତେବେ ସ୍ଥାନୀୟ ବିଧାୟକ କହିଛନ୍ତି ସାଲର ଗାଁ ଲୋକେ ତାଙ୍କୁ ଏସବୁ ସମସ୍ୟା ନେଇ ଅବଗତ କରାଇଛନ୍ତି । କିଭଳି ସେମାନଙ୍କ ସମସ୍ୟା ସମାଧାନ ହୋଇପାରିବ ସେଥିପାଇଁ ସେ ପଦକ୍ଷେପ ନେବେ ।

ସାତକୋଶିଆ ଅଭୟାରଣ୍ୟରେ କଟକଣା ଥିଲା । ଏବେ ବ୍ୟାଘ୍ର ପ୍ରକଳ୍ପ ହେବା ପରେ କଟକଣା ଆହୁରି କଡାକଡି ହୋଇଛି । ଫଳରେ ଗାଁକୁ ପାନୀୟ ଜଳ ଯୋଗାଣ ପାଇଁ ଜଙ୍ଗଲ ଭିତରେ ପାଇପ ବିଛା ଯାଇପାରୁନି । ବିଦ୍ୟୁତ ସଂଯୋଗ ପାଇଁ ଖୁଣ୍ଟ ପୋତାଯାଇ ପାରୁନି । ତେଣୁ ଗ୍ରାମବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ କଟକଣାରେ ସାମାନ୍ୟ କୋହଳ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details