ଅନୁଗୋଳ: ରାସ୍ତା ମଝିରେ ନଦୀର ଭ୍ରମ ସୃଷ୍ଟି କରୁଛି ଏହି ଦୃଶ୍ୟ । ଏହା ବର୍ଷା ପାଇଁ ନୁହେଁ ବରଂ ନାଳ, ନର୍ଦ୍ଦମାର ଉଛୁଳା ପାଣି । ଗମନାଗମନର ଅନ୍ୟ କୌଣସି ବିକଳ୍ପ ନଥିବାରୁ ବାଧ୍ୟ ହୋଇ ଲୋକେ ଏଥିରେ ଯିବା ଆସିବା କରୁଛନ୍ତି ।
ରାସ୍ତା ସମସ୍ୟାରେ ଜର୍ଜରିତ ଗ୍ରାମବାସୀ ଏପଟେ ପଚା ପାଣି ଜମି ମଶା, ମାଛି ହେବା ସହ ନାନା ରୋଗ ମାଡିବସିଲାଣି । ଅନ୍ୟପଟେ ଦିନରାତି ପାଣିରେ ବତୁରି ମାଟି ଘର ବି ଭୁଶୁଡିବାକୁ ବସିଲାଣି । ଏଭଳି ଦୁର୍ଦ୍ଦିନରେ ସଢୁଛନ୍ତି ଅନୁଗୋଳର ଗଡତରାସ ଗ୍ରାମବାସୀ । ଏ ନେଇ ଗାଁ ଲୋକେ ଅଭିଯୋଗ କରି ଥକି ପଡିଥିଲେ ସୁଦ୍ଧା ପ୍ରଶାସନ ଅଜଣା ।
ଗାଁର 70ରୁ ଊର୍ଦ୍ଧ୍ବ ପରିବାର ଏହି ରାସ୍ତା ଉପରେ ନିର୍ଭର କରନ୍ତି । ଦୀର୍ଘ 2 ବର୍ଷ ଧରି ଲାଗି ରହିଛି ଏହି ସମସ୍ୟା । ବ୍ଲକଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କୁ ଏନେଇ ଅଭିଯୋଗ କରିଥିଲେ ମଧ୍ୟ କେହି ଏ ଦିଗରେ ଦୃଷ୍ଟି ଦେଉ ନ ଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏନେଇ ଅନୁଗୋଳ ବିଡ଼ିଓ କହିଛନ୍ତି, ସରପଞ୍ଚଙ୍କୁ ଡ୍ରେନ ବ୍ୟବସ୍ଥା କରିବା ପାଇଁ କୁହାଯାଇଛି । ଖୁବଶୀଘ୍ର ଏହାର ସ୍ଥାୟୀ ସମାଧାନ କରାଯିବ ।
ତେବେ ଦେଖିବାର କଥା ଦୀର୍ଘଦିନର ଏହି ଅବ୍ୟବସ୍ଥାର ସମାଧାନ ପାଇଁ ପ୍ରଶାସନ କଣ ପଦକ୍ଷେପ ନେଉଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ