ଅନୁଗୋଳ:ଶାନ୍ତି ବାଣ୍ଟୁଛନ୍ତି ଶାନ୍ତି ସେନା । ଶ୍ରୀଲଙ୍କାରେ ଯେତେବେଳେ ପରିସ୍ଥିତି ସାଙ୍ଘାତିକ ଥିଲା ସେ ଭାରତୀୟ ଶାନ୍ତି ସେନା ଭାବରେ ଯାଇଥିଲେ । ଦୁର୍ଭାଗ୍ୟବଶତଃ ତାଙ୍କର ଦୁର୍ଘଟଣା ହେବାରୁ ଚାକିରୀ ହରାଇଲେ । କିନ୍ତୁ ଘରକୁ ଫେରି ସେ ନିଜ ଅଞ୍ଚଳରେ ସମାଜ ସେବା କାମରେ ଲାଗି ପଡିଛନ୍ତି । ନିଜ ଅଞ୍ଚଳରେ କିଭଳି ଲୋକେ ଶାନ୍ତିରେ ରହିପାରିବେ ସେନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରୁଛନ୍ତି । ବର୍ଷ ବର୍ଷ ଧରି ସେ ଏଭଳି କାମ କରି ଲୋକଙ୍କ ପ୍ରିୟ ହୋଇ ପାରିଛନ୍ତି ନୌସେନାର ଅବସରପ୍ରାପ୍ତ କର୍ମଚାରୀ ଅନିରୁଦ୍ଧ ସାହୁ ।
ଜିଲ୍ଲାର ଜରପଡା ଅଞ୍ଚଳର ପରା ଗାଁର ଅନିରୁଦ୍ଧ ଭାରତୀୟ ନୌସେନାର ଜଣେ ଅବସରପ୍ରାପ୍ତ କର୍ମଚାରୀ । ଦେଶ ମାତୃକାର ସେବା ପାଇଁ ଉତ୍ସର୍ଗୀକୃତ ଅନିରୁଦ୍ଧ ନୌସେନାରୁ ଅବସର ନେଇଛନ୍ତି ସତ କିନ୍ତୁ ନିଜ ଅଞ୍ଚଳବାସୀଙ୍କ ସେବାରୁ ସେ ହୋଇନାହାଁନ୍ତି ନିବୃତ୍ତ । ଦିନେ ଭାରତୀୟ ସେନା ବାହିନୀର ଶାନ୍ତି ସେନା ଭାବେ କାର୍ଯ୍ୟ କରୁଥିଲେ ଆଉ ଏବେ ନିଜ ଅଞ୍ଚଳରେ ବାଣ୍ଟୁଛନ୍ତି ଶାନ୍ତିର ବାର୍ତ୍ତା । ସେନାର ମିଞ୍ଜାଶ ନେଇ ବଞ୍ଚୁଥିବା ଅନିରୁଦ୍ଧ ପାଲଟି ଯାଇଛନ୍ତି ଦରଦୀ ମଣିଷ । ବୃକ୍ଷରୋପଣ ହେଉ କି କୋଭିଡ ବେଳେ ପ୍ରବାସୀଙ୍କୁ ସାହାଯ୍ୟ ସବୁଠି ଆଗରେ ଅଛନ୍ତି ଏହି ନୌସେନାର ଅବସରପ୍ରାପ୍ତ କର୍ମଚାରୀ ।