ଅନୁଗୋଳ:ବିଷ ବଳୟ ଭିତରେ ଓଡ଼ିଶା । ପ୍ରଦୂଷଣରେ ଦିଲ୍ଲୀକୁ ଟପିଯାଇଛି ଅନୁଗୋଳ ସହର । କେନ୍ଦ୍ରୀୟ ପ୍ରଦୂଷଣ ବୋର୍ଡ଼ ଦ୍ବାରା କରାଯାଇଥିବା ସର୍ଭେ ଅନୁସାରେ ସାରା ଦେଶରେ ୧୩୧ଟି ସହର ବ୍ୟାପକ ମାତ୍ରାରେ ପ୍ରଦୂଷିତ । ସେଥିମଧ୍ୟରୁ ଆମ ରାଜ୍ୟ ଓଡ଼ିଶାର ୭ଟି ସହର ରହିଛି । ଅନୁଗୋଳ ଜିଲ୍ଲାର ଅନୁଗୋଳ ଓ ତାଳଚେର ସହର ଏହି ପ୍ରଦୂଷିତ ସହର ମଧ୍ୟରେ ଅନ୍ତର୍ଭୁକ୍ତ ।
ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ଅନୁସାରେ ବାୟୁ ମଣ୍ଡଳରେ ଧୂଳିକନା ବାର୍ଷିକ ପ୍ରତି ୧ ଘନ ମିଟର ବାୟୁରେ ହାରାହାରି ୬୦ମିଲିଗ୍ରାମ ରହିବା କଥା । କିନ୍ତୁ ଗତ କିଛି ବର୍ଷ ହେଲା ଏହା ହାରାହାରି ୮୫ମିଲିଗ୍ରାମ ରହୁଛି । ଫଳରେ ପ୍ରଦୂଷଣ ବୃଦ୍ଧି ପାଉଛି । ବାୟୁ ମଣ୍ଡଳରେ ପ୍ରଦୂଷଣର ମାତ୍ରା ସାଙ୍ଘାତିକ ସ୍ତରରେ ପହଞ୍ଚିଲାଣି । ଫଳରେ ଲୋକଙ୍କୁ ନିଶ୍ବାସ ପ୍ରଶ୍ବାସ ନେବା ଆଣିବା କଷ୍ଟକର ହୋଇପଡୁଛି । ଗତ କିଛି ମାସ ହେଲା ଅନୁଗୋଳରେ ଏଭଳି ସ୍ଥିତି ଲାଗି ରହିଛି । ଫୁସଫୁସ ଜନିତ ରୋଗ ବଢ଼ିବାରେ ଲାଗିଛି । ସଦ୍ୟ ପ୍ରକାଶିତ ତଥ୍ୟ ମୁତାବକ ଜିଲ୍ଲାର ବାୟୁମାନ ସୂଚକଙ୍କ ଦିଲ୍ଲୀ ସ୍ଥିତିଠାରୁ ଆହୁରି ଜଟିଳ ହୋଇ ପଡିଛି।
ଏହା ବି ପଢନ୍ତୁ- Poor Air Quality: ବିଗିଡୁଛି ଦିଲ୍ଲୀର ବାୟୁ ଗୁଣାବତ୍ତା, ହୋଇପାରେ ଗମ୍ଭୀର ରୋଗ
ଦିଲ୍ଲୀରେ ଗତ ୨୪ଘଣ୍ଟା ମଧ୍ୟରେ ବାୟୁ ମାନ ସୂଚକାଙ୍କ ୨.୫ ଏବଂ ଧୂଳିକଣା ମାତ୍ରା ୩୪୧ ରହିଥିଲା । ଏହାକୁ ତୁଳନା କଲେ ଜଣାପଡିଛି ଯେ ଅନୁଗୋଳରେ ମଧ୍ୟ ବାୟୁ ମାନ ସୂଚକାଙ୍କ ୨.୫ ଏବଂ ଧୂଳିକଣା ମାତ୍ରା ୩୫୪ରେ ପହଞ୍ଚିଛି । ସେହିପରି ତାଳଚେର ସ୍ଥିତି ଆହୁରି ଜଟିଳ ହୋଇପଡିଛି । ଏଠାରେ ଧୂଳିକଣା ମାତ୍ରା ୩୬୪ରେ ପହଞ୍ଚିଛି । ଏଭଳି ସ୍ଥିତି ଦେଖି ଏନଜିଟି ଜଙ୍ଗଲ ପରିବେଶ ଓ ଜଳବାୟୁ ପ୍ରଦୂଷଣ ନିୟନ୍ତ୍ରଣ ବିଭାଗକୁ କଡ଼ା ନିର୍ଦ୍ଦେଶ ଦେଇଥିଲେ । ପ୍ରଦୂଷଣ ରୋକିବା ଏବଂ ନିୟନ୍ତ୍ରଣ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ତେଣୁ କେନ୍ଦ୍ର ସରକାର ନ୍ୟାସନାଲ କ୍ଲିନ ଏୟାର ପ୍ରୋଗ୍ରାମ କାର୍ଯ୍ୟକାରୀ କଲେ । ଏହି ପ୍ରୋଗ୍ରାମ ମାଧ୍ୟମରେ ପ୍ରଦୂଷଣ ହାର ଶତକଡା ୨୦ ରୁ ୩୦ ଭାଗ କମାଇବାକୁ ଯୋଜନା କରାଯାଇଛି ।