ଅନୁଗୋଳ:ରେଙ୍ଗାଲି ଜଳ ଭଣ୍ଡାର ଯୋଗୁ କ୍ଷତିଗ୍ରସ୍ତ ହୋଇଥିବା ଲୋକେ ୭ ଦଫା ଦାବି ନେଇ ଗତ ୧ ତାରିଖ ଠାରୁ କରିଥିବା ଜଳ ସତ୍ୟାଗ୍ରହରୁ ଓହରିଛନ୍ତି । ରେଙ୍ଗାଲି ପ୍ରକଳ୍ପ ସ୍ୱତନ୍ତ୍ର ଭୂ ଅର୍ଜନ ଅଧିକାରୀ ଏବଂ ପାଲଲହଡା ଉପଜିଲ୍ଲାପାଳ ସତ୍ୟାଗ୍ରହକାରୀଙ୍କ ପାଖକୁ ଯାଇ ବୁଝାସୁଝା କରିଥିଲେ । ଏଥିସହ ବିଜେପିର ଏକ ରାଜ୍ୟସ୍ତରୀୟ ନେତୃ ମଣ୍ଡଳୀ ମଧ୍ୟ ସେମାନଙ୍କ ପାଖକୁ ଯାଇ ଲୋକଙ୍କ ଦାବି ସରକାରଙ୍କ ନିକଟରେ ଉପସ୍ଥାପନ କରିବାକୁ ପ୍ରତିଶୃତି ଦେଇଥିଲେ । ଏହାପରେ ସତ୍ୟାଗ୍ରହରୁ ଓହରିଥିଲେ ଲୋକେ ।
ସୂଚନାଯୋଗ୍ୟ ୧୯୭୦ ମସିହାରେ ଅନୁଗୋଳ ଜିଲ୍ଲାର ରେଙ୍ଗାଲି ଠାରେ ଏକ ବୃହତ ଜଳ ସେଚନ ପ୍ରକଳ୍ପ ପରିକଳ୍ପନା କରାଯାଇଥିଲା । ଏହି ପ୍ରକଳ୍ପ ଯୋଗୁଁ ପାଲଲହଡା ଏବଂ ଦେବଗଡ଼ ଅଞ୍ଚଳର ୨୬୩ଟି ଗାଁ ବୁଡି ଅଞ୍ଚଳ ଭିତରେ ରହୁଥିବାରୁ ସେହି ସବୁ ଗାଁଗୁଡିକୁ ବିସ୍ଥାପନ କରିବାକୁ ନିଷ୍ପତ୍ତି ନିଆ ଯାଇଥିଲା । ୧୯୮୦ ବେଳକୁ ସବୁ ଗାଁ ସ୍ଥାନାନ୍ତର କରାଯାଇଥିଲା । ଏଥିରେ ପ୍ରାୟ ୧୨ହଜାର ପରିବାର ପ୍ରଭାବିତ ହୋଇଥିଲେ। ସେ ସମୟରେ କ୍ଷତିଗ୍ରସ୍ତ ପରିବାରମାନଙ୍କୁ ସରକାରଙ୍କ ତରଫରୁ ଅଳ୍ପ କିଛି କ୍ଷତିପୂରଣ ଅର୍ଥ ଦିଆ ଯାଇଥିଲା । କିନ୍ତୁ ଥଇଥାନ ବାବଦରେ ତତ୍କାଳୀନ ସରକାର କୌଣସି ପଦକ୍ଷେପ ନେଇ ନଥିଲା ।
ତେବେ ବିସ୍ଥାପିତ ଲୋକେ କିଏ କେଉଁଠି ଯାଇ ରହିଲେ ତାର କିଛି ହିସାବ ରହିଲା ନାହିଁ । ସେମାନଙ୍କୁ ଜମି ପଟା ମଧ୍ୟ ପ୍ରଦାନ କରାଗଲା ନାହିଁ । କିଛି ବର୍ଷ ପରେ ଲୋକେ ଏକାଠି ହୋଇ ନିଜର ହକ ପାଇଁ ଲଢେଇ ଆରମ୍ଭ କରିଛିନ୍ତି ।ପ୍ରାୟ ୪୦ବର୍ଷ ଧରି ସେମାନେ କ୍ଷତିପୂରଣ ଓ ଥଇଥାନ ପାଇଁ ଆନ୍ଦୋଳନ କରି ଆସୁଛନ୍ତି । ବିଭିନ୍ନ ଉପାୟରେ ଆନ୍ଦୋଳନ କରିଥିଲେ ମଧ୍ୟ ସରକାର ବିସ୍ଥାପିତଙ୍କ ସମସ୍ୟାକୁ ସାମାଧାନ କରୁନଥିବା ଅଭିଯୋଗ ହୋଇଛି । ସେପଟେ ଦେବଗଡ଼ ବିଧାୟକ ସୁବାଷ ପାଣି କହିଛନ୍ତି,"ରାଜ୍ୟ ସରକାର ବୁଡି ଅଞ୍ଚଳବାସୀଙ୍କ ସମସ୍ୟାର ସମାଧାନ କରିବା ପଇଁ ଇଚ୍ଛା ପ୍ରକାଶ କରୁନାହାନ୍ତି । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରାଧାନ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ମଧ୍ୟ ସରକାର କୌଣସି କର୍ଣ୍ଣପାତ କରୁନାହାନ୍ତି ।"