ଭୁବନେଶ୍ବର: କୁକୁଡ଼ା ଫାର୍ମରେ ପଶି 10ରୁ ଊର୍ଦ୍ଧ୍ବ କୁକୁଡ଼ାଙ୍କୁ ମାରି ଗିଳିଦେଲା ଅଜଗର । ଖବର ପାଇ ସ୍ନେକ ହେଲ୍ପ ଲାଇନ ସଦସ୍ୟ ଘଟଣାସ୍ଥଳରେ ପହଞ୍ଚି ସାପକୁ ଉଦ୍ଧାର କରି ସାତକୋଶିଆ ଅଭୟାରଣ୍ୟରେ ଛାଡିଛନ୍ତି । ସୂଚନା ଅନୁସାରେ, ବନ୍ତଳା ଅନ୍ତର୍ଗତ ଧୋକୁଟା ଗ୍ରାମର ଜନକ ସାହୁ ନାମକ ଜଣେ ବ୍ୟକ୍ତି ସକାଳୁ ନିଜ କୁକୁଡ଼ା ଫାର୍ମରେ କାମ କରିବା ପାଇଁ ଯାଇଥିବାବେଳେ କୁକୁଡ଼ା ସଂଖ୍ୟା କମିଥିବାର ଦେଖିବାକୁ ପାଇଥିଲେ । ଏହାପରେ ସେ ଫାର୍ମର ଗୋଟିଏ କୋଣରେ ଏକ ବଡ ଅଜଗର ସାପକୁ ଦେଖିବାକୁ ପାଇଥିଲେ । ଅଜଗରର ପେଟ ଫୁଲିଥିବା ଦେଖି ପ୍ରାୟ 10ରୁ ଊର୍ଦ୍ଧ୍ବ କୁକୁଡ଼ା ଖାଇଥିବା ନେଇ ତାଙ୍କ ମନରେ ସନ୍ଦେହ ଉପୁଜିଥିଲା ।
ସ୍ଥାନୀୟ ବନ ବିଭାଗକୁ ଖବର ଦେବା ସହିତ ଆର୍ଥିକ କ୍ଷତିପୂରଣ ଦାବି କରିଛନ୍ତି ଫାର୍ମ ମାଲିକ । ସେପଟେ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳକୁ ଆସିନଥିବାରୁ ଦେଖାଦେଇଛି ଅସନ୍ତୋଷ । ସ୍ଥାନୀୟ ସ୍ନେକ ହେଲ୍ପ ଲାଇନ ସଦସ୍ୟ ସୁଶାନ୍ତ କୁମାର ସାହୁ ଏବଂ ବିଶ୍ବରଂଜନ ବେହେରା ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ସେଠାରେ ପ୍ରବଳ ଜନ ଗହଳି ଦେଖିବାକୁ ମିଳିଥିଲା । ସେପଟେ ବନବିଭାଗ ନଆସିବାରୁ ସ୍ନେକ ହେଲ୍ପ ଲାଇନ ଟିମ ଉପରେ ଅସନ୍ତୋଷ ଝାଡିଥିଲେ ଗ୍ରାମବାସୀ ।
ତେବେ ବନ ଅଧିକାରୀ କୁକୁଡ଼ା ପାଇଁ କିଛି କ୍ଷତି ପୂରଣ ଦେବେ ନାହିଁ ବୋଲି ମନା କରି ଦେଇଥିବା କୁହାଯାଉଛି । ଯେଉଁଥି ପାଇଁ ଉତ୍ତ୍ୟକ୍ତ ଲୋକେ ଗାଁରୁ ପଳାଇବା ଲାଗି ସ୍ନେକ ହେଲ୍ପ ଲାଇନ ଟିମକୁ କହିଥିଲେ । ସାପ ଯୋଗୁ ଗୃହପାଳିତ ପଶୁଙ୍କର କ୍ଷତି ହେଉଥିବାରୁ ଏଥର ସାପ ଦେଖାଦେଲେ ମାରିଦେବା କଥା କହି ଚେତାବନୀ ଦେଇଛନ୍ତି ଗ୍ରାମବାସୀ । ସେପଟେ ରେଞ୍ଜରଙ୍କ ନିର୍ଦ୍ଦେଶକ୍ରମେ କରତପଟା ବିଟରୁ ଦୁଇ ଜଣ ବନକର୍ମଚାରୀଙ୍କ ସହାୟତାରେ ଅଜଗରକୁ ସାତକୋଶିଆ ଅଭୟାରଣ୍ୟରେ ଭିତରେ ଛାଡ଼ି ଦେଇଛନ୍ତି ।