ଅନୁଗୋଳ: ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ । ନିର୍ବାଚନରେ ଆଦିବାସୀଙ୍କ ପାଇଁ ଥିବା ସଂରକ୍ଷଣ ବ୍ୟବସ୍ଥା ଉଚ୍ଛେଦକୁ ନେଇ ଆନ୍ଦୋଳନ ମୁଣ୍ଡ ଟେକିବାରେ ଲାଗିଛି । ଏହାର ବିରୁଦ୍ଧରେ ଅନୁଗୋଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଛନ୍ତି ଅନୁଗୋଳର ଆଦିବାସୀ ଲୋକେ । ସମ୍ମିଳିତ ଆଦିବାସୀ ସମାଜ ପକ୍ଷରୁ ବହୁ ସଂଖ୍ୟାରେ ଆଦିବାସୀ ଏକାଠି ହୋଇଥିଲେ । ଜିଲ୍ଲା ପ୍ରଶାସନ ଜାରି କରିଥିବା ପଞ୍ଚାୟତ ଓ ପଞ୍ଚାୟତ ସମିତି ପ୍ରତିନିଧିଙ୍କ ପାଇଁ ସଂରକ୍ଷଣ ସାନି ବିଜ୍ଞପ୍ତି ଉପରେ ପୁନଃ ବିଚାର କରିବାକୁ ଦାବି କରିଛନ୍ତି ।
ଗତ କିଛି ଦିନ ପୂର୍ବେ ଜିଲ୍ଲା ପ୍ରଶାସନ ପକ୍ଷରୁ ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣକୁ ନେଇ ଏକ ବିଜ୍ଞପ୍ତି ଜାରି ହୋଇଥିଲା । ସେଥିରେ ପୂର୍ବରୁ ଯେଉଁ ସବୁ ଆସନ ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ଥିଲା ତାହାକୁ ପରିବର୍ତ୍ତନ କରାଯାଇ ଅଣସଂରକ୍ଷିତ କରାଯାଇଛି । ଏହାକୁ ବିରୋଧ କରିଛନ୍ତି ଆଦିବାସୀ ଲୋକେ । ପଞ୍ଚାୟତ ନିର୍ବାଚନରେ ଆଦିବାସୀଙ୍କ ପାଇଁ ଥିବା ସଂରକ୍ଷଣ ବ୍ୟବସ୍ଥାକୁ ପୁଣି ଥରେ ଲାଗୁ କରିବାକୁ ଦାବି ହୋଇଛି ।