ଅନୁଗୋଳ: ଆସନ୍ତା ଅକ୍ଟୋବର ୨୫ ତାରିଖ ଠାରୁ ରାଜ୍ୟର ସମସ୍ତ ସ୍କୁଲରେ ଅଷ୍ଟମ ଶ୍ରେଣୀ ଖୋଲିବ। ସେଥିପାଇଁ ଶିକ୍ଷା ସଚିବ ସବୁ ଜିଲ୍ଲାର ଜିଲ୍ଲା ଶିକ୍ଷାଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ। କୋରୋନା କଟକଣାକୁ ମାନି କିଭଳି ସ୍କୁଲ ଖୋଲାଯାଇ ପାରିବ ସେନେଇ ଆଲୋଚନା କରିଥିଲେ। ଅନୁଗୋଳ ଜିଲ୍ଲାର ୨୪୯ଟି ହାଇସ୍କୁଲ ଏବଂ ୫୨୯ଟି ଅପଗ୍ରେଡ ସ୍କୁଲରେ ଅଷ୍ଟମ ଶ୍ରେଣୀ ଖୋଲିବ। ଏଥିସହିତ ଅପଗ୍ରେଡ ହୋଇଥିବା ହାଇସ୍କୁଲରେ ଏକାଦଶ ଶ୍ରେଣୀ ଖୋଲିବା ପାଇଁ ମଧ୍ୟ ଚାଲିଛି ପ୍ରସ୍ତୁତି ।
ଦୀର୍ଘ ଦିନ ହେଲା ସ୍କୁଲ ଗୁଡିକ ବନ୍ଦ ରହିଥିବାରୁ ପ୍ରାଥମିକ ପର୍ଯ୍ୟାୟରେ ସ୍କୁଲ ଗୁଡିକର ପରିଷ୍କାର ପରିଛନ୍ନତା ପ୍ରତି ଦୃଷ୍ଟି ଦେବାକୁ ସଚିବ ନିର୍ଦ୍ଦେଶ ଦେଇଥିଲେ। ଏହାଛଡା ଯେଉଁଠି ସ୍କୁଲ ଗୃହ ଭଙ୍ଗାରୁଜା ଅବସ୍ଥାରେ ଅଛି ସେଗୁଡିକର ମରାମତି କରିବା, ଖୋଲା କୂଅ, ଖୋଲା ଗାଡ଼ିଆ ଆଦି ସ୍କୁଲ ପରିସରରେ ଥିଲେ ସେଗୁଡିକ ପୋତିବା, କୌଣସି କାନ୍ଥ ଫାଟିଥିଲେ କିମ୍ବା ଗର୍ତ୍ତ ଥିଲେ ମରାମତି କରିବାକୁ ଗୁରୁତ୍ୱ ଦେଇଥିଲେ। ଏଥିସହ ଏସଓପିକୁ ମାନିବା ସହ ପିଲାମାନେ ସ୍କୁଲକୁ ଆସିଲେ କିଭଳି ସାମାଜିକ ଦୂରତା ରହିବ, ସାନିଟାଇଜ କରାଯିବ, ସ୍କୁଲକୁ ପିଲାମାନେ କେଉଁ ଜିନିଷ ଆଣି ପାରିବେ ନାହିଁ ସେସବୁକୁ କଡାକଡ଼ି କରିବାକୁ ମଧ୍ୟ ସଚିବ ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ ପ୍ରଥମେ ଜିଲ୍ଲା ଶିକ୍ଷାଧିକାରୀ ସମସ୍ତ ବ୍ଲକ ଶିକ୍ଷାଧିକାରୀ ମାନଙ୍କ ସହ ଆଲୋଚନା କରିବେ।