ଅନୁଗୋଳ: ଜିଲ୍ଲାର ସାତକୋଶିଆ ଅଭୟାରଣ୍ୟ ଅଞ୍ଚଳରେ ଥିବା ୫ଟି ପଞ୍ଚାୟତର ପ୍ରାୟ ୫୦ହଜାର ଲୋକଙ୍କ ପାଇଁ ଜଗନ୍ନାଥପୁର ଗାଁରେ ରହିଛି ଏକମାତ୍ର ବ୍ୟାଙ୍କ। ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଜଗନ୍ନାଥପୁର ଶାଖା ନାମରେ ଥିବା ଏହି ବ୍ୟାଙ୍କ ଉପରେ ନିର୍ଭର କରନ୍ତି ଆଖପାଖ ଟିକରପଡ଼ା, ଜଗନ୍ନାଥପୁର, ପୁରୁଣାକୋଟ, ବଳଙ୍ଗ ଓ କୋଠଭୁଇଁ ଆଦି ୫ଟି ପଞ୍ଚାୟତର ପ୍ରାୟ ୫୦ହଜାରରୁ ଅଧିକ ଲୋକ। କିନ୍ତୁ ସଠିକ ସମୟରେ ସଠିକ ସୁବିଧା ପାଇ ନପାରି ହନ୍ତସନ୍ତ ହେଉଛନ୍ତି ଲୋକେ। ଏଥିପ୍ରତି ବ୍ୟାଙ୍କ କର୍ତ୍ତୃପକ୍ଷ ଆଦୌ ଦୃଷ୍ଟି ଦେଉନଥିବା ଅଭିଯୋଗ କରିଛନ୍ତି ଲୋକେ।
ବ୍ୟାଙ୍କ ଥାଇ ବି ସେବାରୁ ବଞ୍ଚିତ ଗରିବ ଆଦିବାସୀ ବ୍ୟାଙ୍କ ଥାଇବି ସେବା ପାଇବାରୁ ବଞ୍ଚିତ ଖାତାଧାରୀ । ଟଙ୍କା ଉଠାଇବାକୁ ହେଲେ ବ୍ୟାଙ୍କକୁ ବାରମ୍ବାର ଦୌଡିବାକୁ ପଡେ । କାରଣ ଏଠି ବ୍ୟାଙ୍କ ଯୋଗାଇ ପାରେନି ଲୋକଙ୍କୁ ସେବା । କେତେବେଳେ ଲିଙ୍କ ଫେଲ ତ କେତେବେଳେ ବ୍ୟାଙ୍କ ରେ ନଥାଏ ଟଙ୍କା । ଗରିବ ଲୋକର ଝାଳ ବୁହା ଟଙ୍କାଟି ମଧ୍ୟ ସେ ବ୍ୟାଙ୍କରୁ ଠିକ ସମୟରେ ପାଇ ପାରେ ନାହିଁ । । ଏହିଭଳି ଅସୁବିଧା ଭୋଗୁଛନ୍ତି ଅନୁଗୋଳ ଜିଲ୍ଲାର ସାତକୋଶିଆ ଅଭୟାରଣ୍ୟ ଅଞ୍ଚଳରେ ଥିବା ୫ ଟି ପଞ୍ଚାୟତ ର ୫୦ ଖଣ୍ଡ ଗାଁ ଲୋକ । ଏହି ସବୁ ଗାଁ ଲୋକଙ୍କ ପାଇଁ ଅଞ୍ଚଳରେ ଅଛି ମାତ୍ର ଏକ ମାତ୍ର ଗ୍ରାମ୍ୟ ବ୍ୟାଙ୍କ ।
ସବୁଠାରୁ ବଡ ସମସ୍ୟା ହେଉଛି ଏହି ବ୍ୟାଙ୍କ ଉପରେ ଟୁଲୁକା, ଭୁକୁଣ୍ଡି, ମଝିପଡା, ବାଘମୁଣ୍ଡା, ଛୋଟକେଇ ପରି ବହୁ ଗାଁର ଲୋକେ ନିର୍ଭର କରନ୍ତି। ଏହି ସବୁ ଗାଁ ବ୍ୟାଙ୍କ ଠାରୁ ୪୦ ରୁ ୫୦ କିମି ଦୂର। ଏବେ ସବୁ ସରକାରୀ କାରବାର ବ୍ୟାଙ୍କ ଜରିଆରେ ହେଉଥିବାରୁ ଏହି ସବୁ ଦୂର ଗାଁର ଲୋକେ ନିଜର ମନରେଗା ଓ ଏଏନଉଆଇ ସରକାରୀ କାମର ମଜୁରୀ ଏପରିକି ଆବାସ ଯୋଜନା ଅର୍ଥ ପାଇଁ ଏହି ବ୍ୟାଙ୍କକୁ ଆସନ୍ତି। କିନ୍ତୁ ବ୍ୟାଙ୍କରୁ ଠିକ ସମୟରେ ସେମାନଙ୍କ ଟଙ୍କା ଉଠାଇ ପାରନ୍ତି ନାହିଁ । ଯାହା ପାଇଁ ଗରିବ ଲୋକଟିକୁ ନାନା ଅସୁବିଧର ସମ୍ମୁଖୀନ ହେବାକୁ ପଡିଥାଏ। ଲୋକଙ୍କ ଏହିଭଳି ଅସୁବିଧା ସମ୍ପର୍କରେ ବ୍ୟାଙ୍କ କର୍ତ୍ତୁପକ୍ଷ କହିଛନ୍ତି ଯେ, ଯେତେ ଟଙ୍କା ଆଣିଲେ ବି ଯୋଗାଇ ହେଉ ନହିଁ । ବ୍ୟାଙ୍କରେ ଟଙ୍କା ଜମା ହେବା ଅପେକ୍ଷା ବେଶି ଟଙ୍କା ଉଠା ଯାଉଛି । ଯାହା ପାଇଁ ଏଭଳି ଅସୁବିଧା ହେଉଛି ।
ଗୋଟିଏ ପଟେ ସରକାର କହୁଛନ୍ତି ଶ୍ରମିକଙ୍କୁ ମଜୁରୀ ଦେବା ବିଳମ୍ବ ହେଲେ ସମ୍ପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅନ୍ୟପଟେ ଏ ଅଞ୍ଚକର ହଜାର ହଜାର ଶ୍ରମିକ ନିଜେ କଷ୍ଟ କରି ରୋଜଗାର କରିଥିବା ପ୍ରାପ୍ୟ ଠିକ ସମୟରେ ବ୍ୟାଙ୍କରୁ ନପାଇ ଭୋକ ଉପାସରେ ରହୁଛନ୍ତି।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ