ଅନୁଗୋଳ: ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ଉପଖଣ୍ଡ ଓଳଥ ଗ୍ରାମରେ ନିର୍ମାଣ ହେବାକୁ ଥିବା ଜଳସେଚନ ପ୍ରକଳ୍ପ ସ୍ଥାନାନ୍ତରକୁ ନେଇ ତୁମୁଳକାଣ୍ଡ । ଓଳଥ ଗାଁରେ ହେବାକୁ ଥିବା ପାନୀୟ ଜଳ ପ୍ରକଳ୍ପକୁ ପତାକା ଗାଁରେ ନିର୍ମାଣକୁ ବିରୋଧ କରିଛନ୍ତି ଲୋକେ । ଫଳରେ ଶତାଧିକ ଗ୍ରାମବାସୀ ନିର୍ମାଣ କାର୍ଯ୍ୟକୁ ବନ୍ଦ କରାଇବା ପରେ ସେଠାରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା ।
ଫଳରେ ବାଧ୍ୟ ହୋଇ ପୋଲିସ ପହଞ୍ଚି ୧୦୦ରୁ ଅଧିକ ଲୋକଙ୍କୁ ଗିରଫ କରିଥିଲା । ଏହା ପରେ ଆଠମଲ୍ଲିକ ଉପଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ପୋଲିସ ଉପସ୍ଥିତିରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । ଆଖପାଖର ୨୨ଟି ପଞ୍ଚାୟତକୁ ଜଳସେଚନ କରିବା ଲକ୍ଷ୍ୟ ନେଇ ସରକାରଙ୍କ ତରଫରୁ ପ୍ରାୟ ୨୫ କୋଟି ଟଙ୍କା ବ୍ୟୟରେ ଓଲଥ ଗାଁ ନିକଟରେ ଏକ ବୃହତ ଜଳସେଚନ ପ୍ରକଳ୍ପ ନିର୍ମାଣ କରାଯାଉଛି । କିନ୍ତୁ ସେଠାରେ କୌଣସି ବୈଷୟିକ ତୃଟି ଯୋଗୁଁ ପ୍ରକଳ୍ପ ନିକଟସ୍ଥ ପତାକା ଗାଁ ନିକଟରେ ନିର୍ମାଣ ଆରମ୍ଭ କରାଯାଉଛି ।