ଅନୁଗୋଳ: ଚାଲିଛି +2ର ଖାତା ଦେଖା । କୋଭିଡ କଟକଣା ମଧ୍ୟରେ ମୂଲ୍ୟାଙ୍କନ ସେଣ୍ଟରକୁ ଆସି ପାରୁନାହାନ୍ତି ନିରୀକ୍ଷକ । ଯେଉଁଠି ଖାତା ଦେଖିବାକୁ ୫୦ ଜଣ ନିରୀକ୍ଷକ ଆସିବା କଥା ସେଠାକୁ ଆସୁଛନ୍ତି ମାତ୍ର ୧୦ରୁ୧୫ ଜଣ । ତା ଭିତରେ ପୁଣି ଲକଡାଉନ ଓ ସଟଡାଉନ । ତେଣୁ ନିର୍ଦ୍ଧାରିତ ସମୟରେ ପରୀକ୍ଷା ଫଳ ପ୍ରକାଶନ ହୋଇ ପାରିବ କି ନାହିଁ ତାକୁ ନେଇ ଲାଗି ରହିଛି ଅନିଶ୍ଚିତତା ।
ଯୁକ୍ତ ଦୁଇ ପରୀକ୍ଷା ଫଳ ହୋଇପାରେ ବିଳମ୍ବ ! ମୂଲ୍ୟାୟନ କେନ୍ଦ୍ରକୁ ଆସୁନାହାନ୍ତି ନିରୀକ୍ଷକ - covid fear
କୋରୋନା ଡରରେ ଖାତା ମୂଲ୍ୟାୟନ ପାଇଁ ଆସୁନାହାନ୍ତି ଆବଶ୍ୟକୀୟ ନିରୀକ୍ଷକ । ଫଳରେ କେବେ ଖାତା ଦେଖା ସରିବ କେବେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ ତାକୁ ନେଇ ଲାଗି ପହିଛି ଦ୍ବନ୍ଦ । ଏଭଳି ସ୍ଥିତି ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲାରେ...
ଅନୁଗୋଳ ସରକାରୀ ମହାବିଦ୍ୟାଳୟରେ ଚାଲିଛି ଯୁକ୍ତ ୨ ଖାତା ଦେଖା । ଏହି ସେଣ୍ଟରରେ ବାଣିଜ୍ୟ, ବିଜ୍ଞାନ ଓ କଳାର ମାନୁଆଲ ପ୍ରାୟ ୪୦ ହଜାର ଓ ଇ-ଭାଲୁଏସନ ପାଇଁ ୪୦ ହଜାର ଏହିପରି ୮୦ ହଜାର ଖାତା ମୂଲ୍ୟାୟନ କରାଯାଉଛି । ଏଥିପାଇଁ ୨୫୦ରୁ ଅଧିକ ଅଧ୍ୟାପକଙ୍କୁ ନିୟୋଜିତ କରାଯାଇଛି । କିନ୍ତୁ କୋରୋନା କଟକଣା ଯୋଗୁଁ ହୋଇଥିବା ଲକଡାଉନ ଓ ସଟଡାଉନ ଯୋଗୁଁ ଖାତା ଦେଖାରେ ବାଧା ସୃଷ୍ଟି ହେଉଛି । ଗାଡି ମୋଟର ଚଳାଚଳ କଟକଣା ଯୋଗୁ ଅଧ୍ୟାପକ ମାନେ ବହୁ ସଂଖ୍ୟାରେ ଆସି ପାରୁନାହାନ୍ତି । ଏହାଛଡା କେତେକ ଅଧ୍ୟାପକ ସଂକ୍ରମଣ ଭୟରେ ମଧ୍ୟ ଆସୁ ନଥିବା ଜଣାପଡ଼ିଛି । ଦେଖିବାକୁ ଗଲେ ଏହି ମୂଲ୍ୟାୟନ ସେଣ୍ଟରକୁ ଶତକଡା ୪୦ଭାଗ ଅଧ୍ୟାପକ ଆସୁ ନାହାନ୍ତି । ତେଣୁ ଖାତା ଦେଖା ସଠିକ୍ ଭାବେ ହୋଇ ପାରୁନାହିଁ । କେବଳ ଇ-ଭାଲୁଏସନ କିଛି ପରିମାଣରେ ଶେଷ ହୋଇଛି । କିନ୍ତୁ ମାନୁଆଲ ଖାତାଦେଖା ଯେତିକି ହେବା କଥା ସେତିକି ହୋଇ ପାରୁନାହିଁ । ଏହାର ପ୍ରଭାବ ପରୀକ୍ଷା ଫଳ ପ୍ରକାଶ ଉପରେ ପଡିବାର ଆଶଙ୍କା ଦେଖାଦେଇଛି । କାରଣ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଖାତା ଦେଖା ଶେଷ ହେବା ନେଇ ସନ୍ଦେହ ସୃଷ୍ଟି ହୋଇଛି ।ଏଭଳି ସ୍ଥିତିରେ କେବେ ସରିବ ଖାତା ଦେଖା ଆଉ ଏବେ ବାହାରିବ ରେଜଲ୍ଟ ତାକୁ ନେଇ ଛାତ୍ରଛାତ୍ରୀ ମାନେ ମଧ୍ୟ ଦ୍ଵନ୍ଦରେ ଅଛନ୍ତି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ