ଓଡିଶା

odisha

ETV Bharat / state

ହାତୀ ମଣିଷ ଲଢେଇର ହେବ କି ଅନ୍ତ ! ସୁରକ୍ଷା ଅନୁଦାନ ଘୋଷଣା ପରେ ସାମାନ୍ୟ ଆଶ୍ବସ୍ତ ଲୋକେ

ଅନୁଗୋଳ ଜିଲ୍ଲା ବନ୍ତଳା ରେଞ୍ଜରେ ହାତୀ ଉପଦ୍ରବ ଯୋଗୁଁ ଗତ ୫ ମାସରେ ଗଲାଣି ୧୫ରୁ ଅଧିକ ଜୀବନ। ହାତୀ ଉପଦ୍ରବ ରୋକିବା ପାଇଁ ୪କୋଟି ୬୫ ଲକ୍ଷ ଟଙ୍କା ଆର୍ଥିକ ଅନୁଦାନ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଅଧିକ ପଢନ୍ତୁ

By

Published : Jul 13, 2023, 2:13 PM IST

elephant terror in  anugul
elephant terror in anugul

elephant terror in anugul

ଅନୁଗୋଳ: ଅନୁଗୋଳ ଜିଲ୍ଲାରେ ବେକାବୁ ହେଉଛନ୍ତି ହାତୀପଲ । କେତେବେଳେ ଜନ ବସତି ମୁହାଁ ହୋଇ ଘର ଭାଙ୍ଗୁଛନ୍ତି ତ ପୁଣି କେତେବେଳେ ଚାଷ ନଷ୍ଟ କରୁଛନ୍ତି । ଯାହାକୁ ନେଇ ଲୋକଙ୍କ ମନରେ ଅସନ୍ତୋଷ ବୃଦ୍ଧି ପାଉଛି । ବନ୍ତଳା ରେଞ୍ଜରେ ଅଧିକାଂଶ ସମୟରେ ହାତୀ ପଲ ଗାଁ ଭିତରେ ପଶି ଘର ଭାଙ୍ଗିବା, ଫସଲ ନଷ୍ଟ କରିବା ଏବଂ ମଣିଷ ମାରିବା ଭଳି ଘଟଣା ଘଟୁଛି । ଗତ ୫ ମାସରେ ଗଲାଣି ୧୫ରୁ ଅଧିକ ଜୀବନ । ତେବେ ହାତୀ ଉପଦ୍ରବ ରୋକିବାକୁ ଏବେ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର ।

ବନ୍ତଳା ରେଞ୍ଜରେ ଦିନକୁ ଦିନ ହାତୀ ଉପଦ୍ରଵ ବଢ଼ୁଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଏକର ଏକର ଜମିରେ ପଶି ହାତୀପଲ ଫସଲ ନଷ୍ଟ କରୁଥିବାରୁ ଲୋକେ ଆଉ ଚାଷବାସରୁ ମୁହଁ ଫେରାଉଛନ୍ତି । ଫଳରେ ଜମିସବୁ ପଡ଼ିଆ ପଡୁଛି । ଲୋକଙ୍କ ମୁଖ୍ୟ ଜୀବିକା ଧାନ ଚାଷ ଓ ବିଭିନ୍ନ ପନିପରିବା ଏବଂ ଡାଲି ଜାତୀୟ ଫସଲ । କିନ୍ତୁ ଅଧିକାଂଶ ଗାଁରେ ହାତୀ ଭୟରେ ଆଉ ଲୋକେ ଫସଲ କରୁ ନାହାନ୍ତି । ଫଳରେ ସେମାନଙ୍କ ଜୀବନ ଜୀବିକା ଭୁଷୁଡ଼ି ପଡିଛି । ଏନେଇ ବିଭିନ୍ନ ସମୟରେ ଲୋକେ ବନ ବିଭାଗକୁ ହାତୀ ଉପଦ୍ରବ ରୋକିବାକୁ ଦାବି କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନାହିଁ । ଫଳରେ ଗତ ୧୦ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନ ବନ୍ତଳା ଗସ୍ତରେ ଯାଇଥିବା ବେଳେ ସ୍ଥାନୀୟ ଲୋକେ ଏହି ସମସ୍ୟାର ସମାଧାନ ପାଇଁ ଗୁହାରି କରିଥିଲେ।

ଅନୁଦାନ ଘୋଷଣା:୨ଦିନିଆ ଜିଲ୍ଲା ଗସ୍ତରେ ଥିବା ବେଳେ 5T ସଚିବ ଭି.କେ ପାଣ୍ଡିଆନଙ୍କୁ ହାତୀ ଉପଦ୍ରବ ରୋକିବା ଦିଗରେ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ କହିଥିଲେ । ଯାହାର ଗୋଟିଏ ଦିନ ପରେ ଅର୍ଥାତ ଗତ ୧୧ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କୁ ଭିଡିଓ କନଫେରେନ୍ସ ଜରିଆରେ ବନ୍ତଳା ଅଞ୍ଚଳର ଲୋକଙ୍କ ଦୁଃଖ ଜଣାଇ ଥିଲେ ପାଣ୍ଡିଆନ । ମୁଖ୍ୟମନ୍ତ୍ରୀ ତୁରନ୍ତ ହାତୀ ଉପଦ୍ରବ ରୋକିବାକୁ ୪ କୋଟି ୬୫ ଲକ୍ଷ ଟଙ୍କା ଆର୍ଥିକ ଅନୁଦାନ ଘୋଷଣା କରିଥିଲେ । ଏହି ଅର୍ଥ ବିନିଯୋଗ କରି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯିବ । ଫଳରେ ହାତୀ ଉପଦ୍ରବରୁ ଲୋକେ ରକ୍ଷା ପାଇ ପାରିବେ ବୋଲି ଆଶା କରାଯାଉଛି । ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ପରେ ସ୍ଥାନୀୟ ଲୋକଙ୍କ ମନରେ ମୃଦୁ ଆଶାର କିରଣ ଉଇଁଛି ।

ହାତୀ ଉପଦ୍ରବ ରୋକିବାକୁ ପଦକ୍ଷେପ: ବନ୍ତଳା ରେଞ୍ଜରେ ମୋଟ ୨୭,୪୫୭ହେକ୍ଟର ଜଙ୍ଗଲ ରହିଛି । ଏହି ରେଞ୍ଜ ଅଧୀନରେ ୧୨୩ଟି ଗାଁ ଏବଂ ୨୯ଟି ବନ ସୁରକ୍ଷା ସମିତି ରହିଥିବା ବେଳେ ୪୩ଟି ଗାଁରେ ହାତୀ ଉପଦ୍ରବ ଅଧିକ ଦେଖିବାକୁ ମିଳିଛି । ତେଣୁ ପ୍ରାଥମିକ ପର୍ଯ୍ୟାୟରେ ଏହି ୪୩ଟି ଗାଁ ଉପରେ ବନ ବିଭାଗ ଫୋକସ କରି ବିଭିନ୍ନ କାର୍ଯ୍ୟକ୍ରମ କରିବାକୁ ପ୍ରସ୍ତୁତ ହେଉଛି । ବିଶେଷ କରି ୪୩ଟି ଗାଁରେ ଗୋଟିଏ ଲେଖାଏଁ ଉଚ୍ଚ ଶକ୍ତି ସମ୍ପନ୍ନ ହାଇ ମାସ୍କ୍‌ ଲାଇଟ ଲଗାଯିବ । ଯାହା ଫଳରେ ହାତୀ ଗାଁରେ ପଶିଲେ ମଧ୍ୟ ଲୋକେ ଦେଖି ପାରି ସତର୍କ ରହିବେ । ଗାଁ ଓ ଜଙ୍ଗଲ ସୀମାରେ ପ୍ରାୟ ୨୦କିଲୋମିଟର ଏଲିଫ୍ୟାଣ୍ଟ୍‌ ପୃଫ ଟ୍ରେଞ୍ଚ ଖନନ କରାଯିବ । ଯାହା ଫଳରେ ଜଙ୍ଗଲ ଭିତରୁ ହାତୀ ଆଉ ଗାଁ ଭିତରକୁ ପଶି ପାରିବେ ନାହିଁ । ସେହିପରି ଯେଉଁ ସ୍ଥାନମାନଙ୍କରେ ଟ୍ରେଞ୍ଚ୍‌ ଖନନ ସୁବିଧା ନାହିଁ ସେଠାରେ ପ୍ରାୟ ୪୧ କିମି ଦୈର୍ଘ୍ୟ ସୋଲାର ତାର ବାଡ଼ ଦିଆଯିବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଖୁବଶୀଘ୍ର କାମ ଆରମ୍ଭ ହେବ ବୋଲି ବନ ବିଭାଗ ସୂତ୍ରରୁ ଜଣା ପଡ଼ିଛି ।

ଏହା ମଧ୍ୟ ପଢନ୍ତୁ-ହାତୀ ଆତଙ୍କ: କାଜୁ ତୋଳିବାକୁ ଯାଇଥିବା ବେଳେ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବିରେ ରାସ୍ତାରୋକ

ଏନେଇ ଅନୁଗୋଳର ସହକାରୀ ବନ ସଂରକ୍ଷକ ରଞ୍ଜନ କୁମାର ବେହେରା କହିଛନ୍ତି,"ମୁଖ୍ୟମନ୍ତ୍ରୀ ଯେଉଁ ପ୍ୟାକେଜ ଘୋଷଣା କରିଛନ୍ତି । ସେଥିପାଇଁ ତାଙ୍କୁ ଧନ୍ୟବାଦ ଜଣାଇବି । ମୁଖ୍ୟମନ୍ତ୍ରୀଙ୍କ ଏହି ଅନୁଦାନ ରାଶିରେ ହାତୀ ଉପଦ୍ରବ ହେଉଥିବା ୪୩ଟି ଗାଁରେ ହାଇ ମାସ୍କ ଲାଇଟ ଲାଗିବ । ଏଥିସହିତ ୨୦ କିଲୋମିଟର ଏଲିଫ୍ୟାଣ୍ଟ ପୃଫ ଟ୍ରେଞ୍ଚ ଖନନ କରାଯିବ । ସେହିପରି ୪୧ କିମି ଦୈର୍ଘ୍ୟ ସୋଲାର ତାର ବାଡ଼ ଦିଆଯିବ । ଯଥା ଶୀଘ୍ର ଏହି କାମ ଶେଷ କରିବାକୁ ଚେଷ୍ଟା କରୁଛୁ । ଏ ସମସ୍ତ କାର୍ଯ୍ୟକ୍ରମ ଶେଷ ହେବା ପରେ ବନ୍ତଳା ଅଞ୍ଚଳର ଲୋକେ ନିଶ୍ଚିତ ଭାବେ ହାତୀ ଉପଦ୍ରବରୁ ରକ୍ଷା ପାଇ ପାରିବେ ।"

ତେବେ ଅନୁଦାନ ଘୋଷଣା ପରେ ଅଞ୍ଚଳବାସୀଙ୍କ ମନରେ ଭୟ ତ କମିଛି । ହେଲେ ବାସ୍ତବରେ ଏହା କାର୍ଯ୍ୟକାରୀ ହେଉଛି ନା କେବଳ ଦସ୍ତାବିଜରେ ସୀମିତ ହୋଇ ରହି ଯାଉଛି, ତାହାକୁ ଲୋକେ ଅପେକ୍ଷା କରିଛନ୍ତି ।

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details