ଅନୁଗୋଳ:ଜିଲ୍ଲାର ବନାଞ୍ଚଳରେ ଦିନକୁ ଦିନ ବଢ଼ିବାରେ ଲାଗିଛି ହାତୀ ଉପଦ୍ରବ । ରାତି ହେଲେ ହାତୀପଲ ଗାଁ ନିକଟକୁ ଆସି ବ୍ୟାପକ ଭଙ୍ଗାରୁଜା କରିବା ସହ ବିଭିନ୍ନ ଫସଲ ନଷ୍ଟ କରୁଛନ୍ତି । ଏହାକୁ ନେଇ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଥିବା ବେଳେ ବନ ବିଭାଗ ନିରୁପାୟ ହୋଇ ବସିରହିଛି । ଏଭଳି ଘଟଣା ଯୋଗୁଁ ଉଭୟ ହାତୀ ଓ ମଣିଷଙ୍କ ଜୀବନ ପ୍ରତି ଭୟ ରହିଛି ।
ହାତୀ ଆତଙ୍କ: ସନ୍ଧ୍ୟା ହେଲେ ଗାଁରେ ପଡୁଛି ତାଟି କବାଟ ସନ୍ଧ୍ୟା ନଇଁଲେ ଜଙ୍ଗଲ ନିକଟବର୍ତ୍ତୀ ଗାଁ ଗୁଡିକରେ ପଡୁଛି ତାଟି କବାଟ । ପଲପଲ ବଣୁଆ ହାତୀ ଆସି ଗାଁ ଭିତରେ ଅବାଧରେ ବିଚରଣ କରୁଛନ୍ତି । ଧାନ ସମେତ ବିଭିନ୍ନ ପନିପରିବା ଫସଲ ଖାଇବା ସହ ଦଳି ଚକଟି ନଷ୍ଟ କରିଦେଉଛନ୍ତି । ଭୟରେ ଗ୍ରାମବାସୀ ହାତୀ ଘଉଡ଼ାଇବାକୁ ଯାଉନାହାଁନ୍ତି । ବନବିଭାଗ ତରଫରୁ କେତେବେଳେ କେମିତି ଆସି ବାଣ ଫୁଟାଇ ହାତୀପଲକୁ ଅନ୍ୟତ୍ର ଘଉଡାଇବାକୁ ଉଦ୍ୟମ କରାଯାଉଛି । କିନ୍ତୁ, ସେଥିରେ ବିଫଳ ହେଉଛନ୍ତି ।
ଗତ କିଛିଦିନ ହେଲା ଏହି ବନାଞ୍ଚଳର ଶାବଳଭଙ୍ଗା, ସରଧାପୁର, ଶ୍ୟାମସୁନ୍ଦରପୁର, ନୂଆସାହି, କରଡାବଣି ସମେତ ବହୁ ଗାଁରେ ହାତୀ ପଲ ବେଶ ଉପଦ୍ରବ ଚଳାଇଛନ୍ତି । ଉକ୍ତ ପଲରେ ପ୍ରାୟ ୨୦ରୁ ଅଧିକ ହାତୀ ଅଛନ୍ତି । ତେଣୁ, ଯେଉଁ ଫସଲ ବାଡ଼ିରେ ପସୁଛନ୍ତି ସମ୍ପୂର୍ଣ ଧ୍ବଂସ କରି ଦେଉଛନ୍ତି। ଏହି ସବୁ ଗାଁର ଲୋକଙ୍କ ମୁଖ୍ୟ ଜୀବିକା ଧାନ ଚାଷ ସମେତ ବିଭିନ୍ନ ପନିପରିବା ଓ ଡାଲି ଜାତୀୟ ଫସଲ । ତେଣୁ, ଚାଷୀ ଥରୁଟିଏ ହେଲେ ବଜାରରେ ବିକ୍ରି କରିପାରି ନାହିଁ । ହାତୀପଲ ସବୁ ଉଜାଡ଼ି ଦେଇଛନ୍ତି । ଏହାଛଡା ଗାଁ ଭିତରକୁ ହାତୀ ପଲ ପଶି ଯାଇଥିବାରୁ ଲୋକେ ଘରୁ ବାହାରକୁ ବାହାରିବା ପାଇଁ ଭୟ କରୁଛନ୍ତି । ତେଣୁ, ଏବେ ଲୋକଙ୍କ ଧନ ଜୀବନ ସବୁ କିଛି ବିପଦରେ ରହିଛି ।
ପୂର୍ବରୁ ଏମିତି କେବେ ହାତୀପଲ ଆସୁ ନଥିଲେ । ଖରାଦିନେ କେବେ କେମିତି ଜଳ ଅନ୍ୱେଷଣରେ ପୋଖରୀ ପାଖକୁ ଆସୁଥିଲେ। ହେଲେ ଏବେ ହାତୀପଲ ଜଙ୍ଗଲ ଛାଡି ଗାଁ ମୁହାଁ ହୋଇ ଯାଇଛନ୍ତି । ଏହାଦ୍ୱାରା ଲୋକଙ୍କର ବ୍ୟାପକ କ୍ଷତି ହେଉଛି । ଅନେକ ସମୟରେ ଛୁଆ ହାତୀ ପଲରୁ ଅଲଗା ହୋଇ ରହି ଯାଉଛି । ଗତ କିଛି ଦିନ ପୂର୍ବେ ମହିଧରପୁର ନିକଟରେ ଏକ ଛୁଆ ହାତୀ ପୋଖରୀ ଭିତରେ ରହି ଯାଇଥିଲା । ଗତ ୩ଦିନ ପୂର୍ବେ ଆଠମଲ୍ଲିକ ଅଞ୍ଚଳରେ ମଧ୍ୟ ଆଉ ଏକ ଛୁଆ ହାତୀ ମାନଯୋର ଜଳ ସେଚନ ପ୍ରକଳ୍ପ ଭିତରେ ଅଲଗା ହୋଇ ରହି ଯାଇଥିଲା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଫସଲରେ ପକାଯାଉଥିବା କୀଟନାଶକ ଖାଇ ହାତୀ ଅସୁସ୍ଥ ହେଉଛନ୍ତି । ଅନେକ ସମୟରେ ମୃତ୍ୟୁ ବରଣ ମଧ୍ୟ କରୁଛନ୍ତି । ଗତ ସପ୍ତାହରେ ବନ୍ତଳା ବନାଞ୍ଚଳରେ ଏକ ବିରାଟକାୟ ଦନ୍ତା ହାତୀ କୌଣସି ବିଷାକ୍ତ ଖାଦ୍ୟ ଖାଇ ମୃତ୍ୟୁ ଘଟିଥିଲା ।
ଏମିତି ଅନେକ ଘଟଣା ଘଟୁଛି। ଅନ୍ୟ ପକ୍ଷରେ ମାସ ମାସ ଧରି କରୋନା କଟକଣା ଚାଷୀଙ୍କୁ ଆର୍ଥିକ ସ୍ତରରେ ଦୁର୍ବଳ କରିଦେଇଛି। ଚଳିତ ବର୍ଷ ବର୍ଷା ଅଭାବରୁ ଧାନ ଚାଷ ହୋଇପାରି ନାହିଁ। ଏଭଳି ସ୍ଥିତିରେ ଚାଷୀ ତଳିଆ ଜମିରେ କିଛି କିଛି ଧାନ ଚାଷ ଓ ପନିପରିବା ଚାଷ କରିଥିଲେ। ହେଲେ ହାତୀପଲ ସବୁ କିଛି ବିଗାଡି ଦେଇଛି। ତେଣୁ, ବ୍ୟାପକ କ୍ଷତି ସହିବା ଯୋଗୁଁ ମନରେ ଆକ୍ରୋଶ ଭାବ ଦେଖାଦେଇଛି। ଯାହାକି ହାତୀମାନଙ୍କ ଜୀବନ ପ୍ରତି ବିପଦ ରହିଛି। ବର୍ତ୍ତମାନ ହାତୀ ଘଉଡାଇବାକୁ ନିଆଁ ହୁଳା ଓ ବାଣ ବ୍ୟବହାର କରାଯାଉଛି। କିନ୍ତୁ, ହାତୀ ଏଥିରେ ଅଭ୍ୟସ୍ତ ହୋଇଯାଇଥିବାରୁ ଆଉ ଭୟ କରନାହାନ୍ତି। ତେଣୁ, ଏବେଠାରୁ କୌଣସି ଆଧୁନିକ ଉପାୟ ଅବଲମ୍ବନ କରି ହାତୀପଲକୁ ଘଉଡାଇବାକୁ ପଦକ୍ଷେପ ଗ୍ରହଣ କରାନଗଲେ ଭବିଷ୍ୟତରେ ନିଶ୍ଚିତ ଭାବେ କିଛି ଅଘଟଣ ଘଟିବାର ଆଶଙ୍କା ଦେଖା ଦେଇଛି। ହାତୀପଲ ଯୋଗୁଁ ଶତାଧିକ ଚାଷୀ ବେରୋଜଗାର ହୋଇ ପଡିଛନ୍ତି। ବର୍ଷ ସାରା କେମିତି ଓ କ’ଣ ଖାଇ ବଞ୍ଚିବେ ସେହି ଚିନ୍ତାରେ ମୁଣ୍ଡରେ ହାତ ଦେଇ ବସିଛନ୍ତି।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ