ଓଡିଶା

odisha

ETV Bharat / state

ପାଣି ପାଇଁ ରାସ୍ତାରୋକ, ଗରା ବାଲ୍ଟି ଧରି ରାସ୍ତାରେ ବସିଲେ ଲୋକେ - ପାଣି ପାଇଁ ରାସ୍ତାରୋକ

ତାଳଚେର ବ୍ଲକ ମୁଣ୍ଡା ବଜାରରେ ଉତ୍କଟ ପାନୀୟ ସମସ୍ୟା । ହାତରେ ଗରା, ବାଲ୍‌ଟି ଧରି ରାସ୍ତାରୋକ କଲେ ଲୋକେ । ଅଧିକ ପଢନ୍ତୁ

ପାଣି ପାଇଁ ରାସ୍ତାରୋକ
ପାଣି ପାଇଁ ରାସ୍ତାରୋକ

By

Published : Jun 13, 2023, 10:47 AM IST

Updated : Jun 13, 2023, 2:07 PM IST

ପାଣି ପାଇଁ ରାସ୍ତାରୋକ

ଅନୁଗୋଳ:ପ୍ରବଳ ଗ୍ରୀଷ୍ମ ପ୍ରବାହରେ କଲବଲ ହେଉଛି ସାରା ଓଡ଼ିଶା । ଗରମ, ଗୁଳୁଗୁଳିରେ ଲୋକେ ତ୍ରାହି ତ୍ରାହି ଡାକୁଛନ୍ତି । ଏପରି ମୁଣ୍ଡଫଟା ଖରା ମଧ୍ୟରେ ଅନେକ ସ୍ଥାନରେ ଉତ୍କଟ ପାନୀୟ ଜଳ ସମସ୍ୟା ଦେଖାଯାଇଛି । ଲୋକଙ୍କୁ ପିଇବା ପାଇଁ ପାଣି ଟୋପାଏ ମିଳୁନାହିଁ । ବାରମ୍ବାର ସମସ୍ୟା ଜଣାଇଥିଲେ ହେଁ କିଛି ସୁଫଳ ମିଳୁନଥିବାରୁ ଶେଷରେ ପାଣି ପାଇଁ ରାସ୍ତା ଅବରୋଧ କରିଛନ୍ତି ଲୋକେ । ସୋମବାର ଅନୁଗୋଳ ଜିଲ୍ଲା ତାଳଚେର ଜଗନ୍ନାଥପୁର ପଞ୍ଚାୟତ ଅନ୍ତର୍ଗତ ମୁଣ୍ଡା ହଟିଂରେ ଦେଖିବାକୁ ମିଳିଛି ଏଭଳି ସ୍ଥିତି । ପ୍ରବଳ ଖରା ମଧ୍ୟରେ ପାନୀୟ ଜଳ ସମସ୍ୟା ଏଠାକାର ଲୋକଙ୍କ ଦୁର୍ଦ୍ଦଶାକୁ ଦ୍ବିଗୁଣିତ କରିଛି । ଯେଉଁଥି ପାଇଁ ହାତରେ ଗରା, ବାଲ୍‌ଟି ଧରି ଲୋକେ ରାସ୍ତା ଉପରେ ବସିଛନ୍ତି ।

ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ ଏଫ.ସି.ଆଇ କାରଖାନା ନିକଟରେ ଥିବା ମୁଣ୍ଡା ବଜାରରେ ଉତ୍କଟ ଜଳ ସମସ୍ୟା ଦେଖାଦେଇଛି । ସମସ୍ୟା ଏତେ ଜଟିଳ ହୋଇପଡିଛି ଯେ, ସେହି ଅଞ୍ଚଳରେ ବସବାସ କରୁଥିବା ଶତାଧିକ ମହିଳା ଓ ପୁରୁଷମାନେ ପାଣି ପାଇଁ ସୋମବାର ଅନୁଗୋଳ-ତାଳଚେର ରାସ୍ତାକୁ ଅବରୋଧ କରିଥିଲେ । ଦୀର୍ଘ ସମୟ ଧରି ହଟିଂର ପୁରୁଷ ମହିଳା ଓ ଛୋଟ ପିଲାମାନେ ଗରା ଡେକଚି ଧରି ଆନ୍ଦୋଳନରେ ବସିଥିଲେ । ସେମାନଙ୍କ ଗୋଟିଏ ଦାବି ତାଙ୍କ ହଟିଂକୁ ପାଣି ମିଳୁ । ମୁଣ୍ଡା ହଟିଂ ଏଫ.ସି.ଆଇ କାରଖାନା ନିକଟରେ ରହିଥିଲେ ମଧ୍ୟ ସ୍ଥାନୀୟ ବାସିନ୍ଦାଙ୍କୁ ସପ୍ତାହରେ ମାତ୍ର ଗୋଟିଏ ଦିନରେ କେବଳ ଅଧା ଘଣ୍ଟା ପାଇଁ ପାଣି ମିଳୁଛି । ପାଣି ପାଇଁ ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କୁ ପ୍ରାୟ ୨ କିଲୋମିଟର ଯିବାକୁ ପଡୁଛି ।

ମୁଣ୍ଡା ହଟିଂ ବାସିନ୍ଦା ପାନୀୟ ଜଳ ସମସ୍ୟା ନେଇ ସେଠିକାର ଲୋକ ପ୍ରତିନିଧିଙ୍କୁ ବାରମ୍ବାର ଗୁହାରି କଲେ ମଧ୍ୟ ଏହାର କିଛି ସମାଧାନ ହୋଇପାରୁନି । ତେଣୁ ଏହାର ପ୍ରତିବାଦରେ ସେମାନେ ରାସ୍ତାରୋକ କରିଛନ୍ତି । ସୋମବାର ଶତାଧିକ ମହିଳା ଓ ପୁରୁଷ ଅନୁଗୋଳ-ତାଳଚେର ରାସ୍ତା ଅବରୋଧ କରି ନିଜର ସମସ୍ୟା ଜଣାଇଛନ୍ତି । ବର୍ତ୍ତମାନ ସାରା ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଅନୁଭୂତ ହେଉଛି । ଲୋକେ ଘର ଭିତରେ ଶାନ୍ତିରେ ରହିପାରୁ ନାହାନ୍ତି । ତାତି ଓ ଗୁଳୁଗୁଳିର କଷଣ ଲୋକଙ୍କୁ ଛଟପଟ କରୁଛି । ଏପରିସ୍ଥଳେ ପାନୀୟ ଜଳ ସମସ୍ୟା ମୁଣ୍ଡା ହଟିଂ ବାସିନ୍ଦାଙ୍କ ଦୁର୍ଦ୍ଦଶା ଦ୍ବିଗୁଣିତ କରିଛି ।

ଇଟିଭି ଭାରତ, ଅନୁଗୋଳ

Last Updated : Jun 13, 2023, 2:07 PM IST

ABOUT THE AUTHOR

...view details