ଅନୁଗୋଳ: କୋରୋନା ମୁକାବିଲା ପାଇଁ ସବୁଠି ଜାରି ରହିଛି ତଲାବନ୍ଦ । ସବୁ ଦୋକାନ ବଜାର ଗାଡି ଚଳାଚଳ ବନ୍ଦ ରହିଛି। କଟକଣାକୁ ଆହୁରି କଡାକଡି କରିବା ପାଇଁ ପ୍ରଶାସନ ପକ୍ଷରୁ ଗୋଟିଏ ପରେ ଗୋଟିଏ ପଦକ୍ଷେପ ଗ୍ରହଣ କରାଯାଉଛି। ଅନୁଗୋଳରେ ମଧ୍ୟ ତାଲାବନ୍ଦକୁ କଡାକଡି ପାଳନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କଡା ଆଭିମୁଖ୍ୟ ଗ୍ରହଣ କରାଯାଉଛି।
ସକାଳ 6ଟାରୁ ଅପରାହ୍ନ 1ଟା ପର୍ଯ୍ୟନ୍ତ ଦୋକାନ ଖୋଲା ସଂପୂର୍ଣ୍ଣ ଜିଲ୍ଲାକୁ ପ୍ରଶାସନ ନଜରରେ ରଖିଥିବା ବେଳେ ସହର ଗୁଡିକରେ ଥିବା ତେଜେରାତି ଦୋକାନ ଓ ଔଷଧ ଦୋକାନ ଗୁଡିକ 24ଘଣ୍ଟା ଖୋଲା ରଖିବାକୁ ପୂର୍ବରୁ ଯେଉଁ ନିଷ୍ପତି ହୋଇଥିଲା, ତାହାକୁ ପ୍ରତ୍ୟାହାର କରାଯାଇଛି। ସକାଳ 6ଟାରୁ ଅପରାହ୍ନ 1ଟା ପର୍ଯ୍ୟନ୍ତ ଆବଶ୍ୟକୀୟ ସାମଗ୍ରୀ ଦୋକାନ ଖୋଲିବାକୁ ନିର୍ଦ୍ଦେଶ ଦିଆଯିବା ସହ ଆମିଷ ବଜାରକୁ ସମ୍ପୂର୍ଣ ସିଲ କରି ଦିଆଯାଇଛି।
ସକାଳ 6ଟାରୁ ଅପରାହ୍ନ 1ଟା ପର୍ଯ୍ୟନ୍ତ ଦୋକାନ ଖୋଲା ତେଣୁ ଦିନ ଗୋଟାଏ ବାଜିଲେ ଗାଁ ସହର ସବୁଆଡେ ଖାଁ ଖାଁ ହୋଇ ଯାଇଛି। ତେବେ ଏତେ କଟକଣା ସତ୍ତ୍ବେ କିଛି ଲୋକ ନିୟମ ମାନୁ ନଥିବା ଦେଖାଯାଉଛି। ଅନେକ ସ୍ଥାନରେ ଦଳଦଳ ହୋଇ ଲୋକ ଅଯଥାରେ ଭିଡ଼ କରୁଛନ୍ତି। କେତେକ ବ୍ୟାଙ୍କରେ ମହିଳାମାନେ ଟଙ୍କା ଉଠାଇ ବାକୁ ଆସି ସାମାଜିକ ଦୂରତା ମାନୁ ନଥିବା ନଜରକୁ ଆସୁଛି।
ପୋଲିସ ପକ୍ଷରୁ ବାରମ୍ବାର ସଚେତନତା ସୃଷ୍ଟି କରାଯାଇଥିଲେ ମଧ୍ୟ କିଛି ଅମାନିଆଙ୍କ ଯୋଗୁଁ ସଂକ୍ରମଣର ଆଶଙ୍କା ରହିଛି। ତେଣୁ ଏହାକୁ ଆହୁରି କଡାକଡ଼ି କରିବା ସହ ନିୟମ ମାନୁ ନଥିବା ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସଚେତନ ନାଗରିକ ମାନେ ଦାବି କରିଛନ୍ତି।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ