ଅନୁଗୋଳ:ଯନ୍ତ୍ରଣାରେ କଟୁଛି ଶୈଶବ । ଯେଉଁ ବୟସରେ ଖେଳକୁଦ କରିବା କଥା ସେହି ବୟସରେ ହସ୍ପିଟାଲ ବେଡରେ ଓମ୍ । ବୟସ ମାତ୍ର 13 ବର୍ଷ । ହେଲେ ନିଷ୍ଠୁର ଦଇବ ଶୈଶବ ଉପରେ ଅଜାଡି ଦେଇଛି ଦୁଃଖର ପାହାଡ । ଏହି 13 ବର୍ଷୀୟ ପିଲାଟି ରକ୍ତ କର୍କଟ ରୋଗରେ ପୀଡିତ । ଯାହାର ଚିକିତ୍ସା ପାଇଁ ଦରକାର ପଡୁଛି ମୋଟା ଅଙ୍କର ଅର୍ଥ । ହେଲେ ପର୍ଯ୍ୟାପ୍ତ ଅର୍ଥର ଅଭାବ ଗରୀବ ବାପାମାଆଙ୍କ ହାତ ବାନ୍ଧିଛି ।
ପୁଅର ଚିକିତ୍ସା ପାଇଁ ଅର୍ଥ ମାଗିବାରୁ ମାଲିକ ବି ଚାକିରୀରୁ ବାହାର କରିଦେଲେ । ଫଳରେ ପୁଅର ଉପଯୁକ୍ତ ଚିକିତ୍ସା କରି ନପାରି ଏବେ କାନ୍ଦୁଛନ୍ତି ବାପା ମା’ । ଏହି କରୁଣ କାହିଣୀର ଚରିତ୍ର ହେଉଛନ୍ତି ଅନୁଗୋଳ ଜିଲ୍ଲା ବାଳୁଅକଟା ଗାଁର ଶ୍ରବଣ କୁମାର ଦାସ ଓ ସୀମା ଦାସ । ଯାହାଙ୍କ ଗେହ୍ଲା ପୁଅ ଏବେ ଅର୍ଥ ଅଭାବରୁ ହସ୍ପିଟାଲ ବେଡରେ ଜୀବନ ସହ ସଂଗ୍ରାମ କରୁଛି ।
ଗତ ପ୍ରାୟ ପାଞ୍ଚ ମାସ ତଳେ ପୁଅର ଦେହ ଅସୁସ୍ଥ ହୋଇଥିଲା । ପରେ ଓମ୍ ରକ୍ତ କର୍କଟରେ ପୀଡିତ ବୋଲି ଜଣାପଡିଥିଲା । ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରୁ ଆରମ୍ଭ କରି କଟକ ଶିଶୁ ଭବନ ଏବଂ ବୁର୍ଲା ଡାକ୍ତରଖାନା ଯାଏଁ ଅନେକ ସ୍ଥାନକୁ ନେଇଛନ୍ତି ବାପାମାଆ । ହେଲେ କିଛି ସୁଫଳ ହୋଇନି । ବମ୍ବେ ନେଇ ଚିକିତ୍ସା କରିବାକୁ ଡାକ୍ତର ପରାମର୍ଶ ଦେଇଥିବା ବେଳେ ଅର୍ଥାଭାବ ଯୋଗୁଁ ଅନୁଗୋଳ ଡାକ୍ତରଖାନରେ ପୁଅକୁ ପକାଇ ରଖିଛନ୍ତି ନାଚାର ବାପାମାଆ ।