ଅନୁଗୋଳ: ପଞ୍ଚାୟତ ଦଖଲ ପାଇଁ ନେତାଏ ଆରମ୍ଭ କରିଛନ୍ତି ସମରସଜ୍ଜା । ଅନୁଗୋଳ ଜିଲ୍ଲାର ୨୮ଟି ଜିଲ୍ଲା ପରିଷଦ ଜୋନ ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ପୁରା ଦମରେ ଲାଗି ପଡିଛନ୍ତି । କଂଗ୍ରେସ ଦୁର୍ନୀତିକୁ ପ୍ରସଙ୍ଗ କରି ପଞ୍ଚାୟତ ଦଖଲ କରିବାକୁ ପାଗ ଭିଡିଥିବା ବେଳେ BJP ମୋଦୀଙ୍କୁ ଭରସା କରିଛି । ସେହିପରି BJD ନିଜ 21 ବର୍ଷ ଶାସନର ଗାଥା ବଖାଣି ପୁଣି ଜିଲ୍ଲା ପରିଷଦ ସଭାପତି ପଦ ହାତେଇବାକୁ ଅଣ୍ଟା ଭିଡିଛି ।
ଶିଳ୍ପ ରାଜଧାନୀ ଅନୁଗୋଳ । ସେ ରାଜସ୍ୱ ହେଉ କି ରାଜନୀତି ସବୁଥିରେ ଜିଲ୍ଲାର ରହିଛି ଆଧିପତ୍ୟ । ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଜିଲ୍ଲାର ରାଜନୈତିକ ମାହୋଲ ବେଶ୍ ସରଗରମ ହୋଇଉଠିଛି । କିଏ ହାତେଇବ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ତାକୁ ନେଇ ତିନି ପ୍ରମୁଖ ରାଜନୈତିକ ଦଳ ନିଜର ଗୋଟିଚାଳନା ଆରମ୍ଭ କରିଛନ୍ତି । ଅନୁଗୋଳ ଜିଲ୍ଲାରେ ୨୮ଟି ଜିଲ୍ଲା ପରିଷଦ ଜୋନ ରହିଛି । ଗତ ୨୦୧୭ ପଞ୍ଚାୟତ ନିର୍ବାଚନରେ ଶାସକ ବିଜେପି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦରେ ବସିଥିଲା । ଗତଥର ଏହି ପଦବୀ ଆଦିବାସୀ ମହିଳା ବର୍ଗ ପାଇଁ ସଂରକ୍ଷିତ ଥିବାବେଳେ ଏଥର ସାଧାରଣବର୍ଗଙ୍କ ପାଇଁ ଉଦ୍ଧିଷ୍ଟ ରହିଛି । ଯାହାକୁ ଅକ୍ତିଆର କରିବା ଲାଗି ଚାଲିଛି ଅଙ୍କକଷା । ଶାସକ ଦଳ ହାତରୁ ଅଧ୍ୟକ୍ଷ ପଦ ଛଡାଇ ନେବାକୁ ଗୋଟି ଚଳଉଛି ବିଜେପି । କାରଣ ଗତ ୧୭ ନିର୍ବାଚନରେ ଦଳ ହାତେଇଥିଲା ୧୨ ଆସନ । ସେପଟେ ଗତ ନିର୍ବାଚନରେ ଖାତା ଖୋଲିନଥିବା କଂଗ୍ରେସ ମଧ୍ୟ ଏଥର ନିଜର ଦବଦବା ଜାହିର କରିବାକୁ ଚଳାଇଛି ରଣକୌଶଳ ।