ଅନୁଗୋଳ:ଦିନଥିଲା କମଳା ଚାଷ ପାଇଁ ବେଶ ଜଣାଶୁଣା ଥିଲା ଅନୁଗୋଳ । କାରଣ କମଳା ଚାଷ ପାଇଁ ଅନୁଗୋଳରେ ଜଳବାୟୁ ବେଶ ଅନୁକୂଳ ଥିଲା । ଶୀତ ଋତୁ ଆସିଲେ ଲୋକେ ସାତକୋଶିଆ କମଳା ଖୋଜୁଥିଲେ । ତେବେ ଗତକିଛି ବର୍ଷ ହେଲା ଜଳବାୟୁର ପରିବର୍ତ୍ତନ ଯୋଗୁଁ ଅନୁଗୋଳ ଜିଲ୍ଲାରେ କମଳା ଚାଷ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି । ସମୟ ପୂର୍ବରୁ ଗଛ ଗୁଡିକରେ ଫଳ ଆସି ଥିବାରୁ କୀଟ ପତଙ୍ଗ ଯୋଗୁଁ ଅଧିକାଂଶ ଫଳ ଝଡି ପଡୁଛି। ଫଳରେ ବହୁ ପରିଶ୍ରମ ଓ ଖର୍ଚ୍ଚ କରିଥିବା ଚାଷୀମାନେ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି ।
ଦିନଥିଲା କମଳା ଚାଷ ପାଇଁ ଅନୁଗୁଳରେ ଜଳବାୟୁ ଅନୁକୂଳ ଥିଲା। ତେଣୁ ଏଠାରେ ଏକର ଏକର ଜାଗାରେ ଏକ କମଳା ଫାର୍ମ ଥିଲା। ଏହାଛଡା ପାଲଲହଡା ଏବଂ ସାତକୋଶିଆ ଅଞ୍ଚଳରେ ବ୍ୟାପକ ଭାବରେ କମଳା ଚାଷ ହେଉଥିଲା। ଅନୁଗୋଳର ଉନ୍ନତ କିଶମର କମଳା ସାରା ରାଜ୍ୟରେ ବେସ ନାମ କରିଥିଲା । କିନ୍ତୁ କିଛି ବର୍ଷ ହେଲା ଜଳବାୟୁରେ ଘୋର ପରିବର୍ତ୍ତନ ହେବାଫଳରେ ଧୀରେ ଧୀରେ କମଳା ଚାଷ ପ୍ରଭାବିତ ହୋଇଛି । ଆଉ ଆଗ ଭଳି କମଳା ଚାଷ ହେଉ ନାହିଁ । ଏମିତି ସ୍ଥିତିରେ ସାତକୋଶିଆ ଅଞ୍ଚଳର କୁଲାଙ୍ଗୀ ଗାଁରେ କିଛି ଚାଷି କମଳା ଚାଷକୁ ବଞ୍ଚାଇ ରଖିଛନ୍ତି । ପ୍ରତିକୂଳ ଜଳବାୟୁରେ ମଧ୍ୟ ବହୁ ପରିଶ୍ରମ କରି କମଳା ଉତ୍ପାଦନ କରି ପାରୁଛନ୍ତି। ଆଗରୁ କମଳା ଚାଷରୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଥିଲେ। ଏବେ ତାହା କମି ଯାଇଛି। କିଛି ବର୍ଷ ହେଲା ଅସମୟରେ ଗଛରେ କମଳା ଆସୁଛି। ଯାହାକି ଉତ୍ପାଦନ ପ୍ରଭାବିତ ହେଉଛି ।
ଏହା ମଧ୍ୟ ପଢନ୍ତୁ: ସୂର୍ଯ୍ୟପରାଗରେ ଚିକେନ ବିରିୟାନୀ ପ୍ରସଙ୍ଗ, ଉଦବେଗ ପ୍ରକାଶ କଲେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ
ଏନେଇ କମଳା ଚାଷୀ କହିଛନ୍ତି,"ଜୁନ ଜୁଲାଇ ମାସରେ ଗଛରେ ଫୁଲ ଆସିଲେ ଡିସେମ୍ବର ମାସରେ ଫଳ ଅମଳ ହୁଏ। ତେଣୁ କିଛି ଅସୁବିଧା ହୁଏ ନାହିଁ। କିନ୍ତୁ କିଛି ବର୍ଷ ହେଲା ଯଥେଷ୍ଟ ପୂର୍ବରୁ ଅର୍ଥାତ ଜାନୁଆରୀ ମାସ ବେଳକୁ ଗଛରେ ଫୁଲ ଆସି ଯାଉଛି। ତେଣୁ ଫଳ ଯେଉଁ ସମୟରେ ପାକଳ ହେଉଛି ସେହି ସମୟରେ ବହୁ ସଂଖ୍ୟାରେ ପ୍ରଜାପତି ଓ ଅନ୍ୟ ପତଙ୍ଗ ଆସି ଫଳର ଡେମ୍ଫ କାଟି ଦେଉଛନ୍ତି। ତେଣୁ ଅଧିକାଂଶ ଫଳ ଝଡି ପଡୁଛି । ବ୍ୟାପକ କ୍ଷତି ହେଉଛି ।"