ଅନୁଗୋଳ: ଦିନକୁ ଦିନ ପ୍ରଦୂଷିତ ହେବାରେ ଲାଗିଛି ଚାଳେଚର ସହର । କୋଇଲା ଖଣିଗୁଡ଼ିକରେ ରାସାୟନିକ ପାଣି ମିଶା ପାଉଁଶରେ ଭର୍ତ୍ତି କରାଯାଉଛି । ଫଳରେ ପାଣି ଓ ମାଟି ପ୍ରଦୂଷିତ ହେବାରୁ ଲୋକମାନେ ଚର୍ମ, କିଡନୀ ଓ ଅନ୍ୟାନ୍ୟ ରୋଗରେ ପୀଡ଼ିତ ହେଉଛନ୍ତି । ଏହାକୁ ନେଇ ତାଳଚେର ଅଞ୍ଚଳରେ ଦେଖା ଦେଲାଣି ଅସନ୍ତୋଷ । କୋଇଲା ଖଣିରେ ନାଲକୋ ଓ ଏନ୍ଟିପିସିର ପାଉଁଶ ଭର୍ତ୍ତି ବନ୍ଦ ହେଉ ବୋଲି ଦାବି କରିଛନ୍ତି ତାଳଚେର ଅଞ୍ଚଳର ଜନ ପ୍ରତିନିଧି । ଜିଲ୍ଲାପାଳଙ୍କୁ ଭେଟି ଏନେଇ ଦାବିପତ୍ର ପ୍ରଦାନ କରିବା ସହ ଏହା ବନ୍ଦ ନହେଲେ ଲୋକମାନେ ବାଧ୍ୟ ହୋଇ ଏମ୍ସିଏଲ୍ ସହ ଅସହଯୋଗ କରିବେ ବୋଲି ଚେତାବନୀ ଦେଇଛନ୍ତି ।
ସୂଚନା ଅନୁସାରେ, ତାଳଚେରରେ ଏମ୍ସିଏଲ୍ ଏକାଧିକ ଖୋଇଲା ଖଣିରୁ କୋଇଲା ଉତ୍ତୋଳନ ସରିଗଲାଣି । କୋଇଲା ଉତ୍ତୋଳନ ପରେ ଏହି ଖୋଲାମୁହଁ କୋଇଲା ଖଣିଗୁଡ଼ିକୁ ବନ୍ଦ କରିବା କରିବା ଓ ତା ଉପରେ ଗଛ ଲଗାଇବା ଏମ୍ସିଏଲ୍ ଦାୟିତ୍ୱ । କିନ୍ତୁ ଜିଲ୍ଲାରେ ଥିବା ନାଲକୋ ଓ ଏନ୍ଟିପିସିର ତାପଜ ବିଦ୍ୟୁତ୍ କେନ୍ଦ୍ରରୁ ବାହାରୁଥିବା ପାଉଁଶକୁ ରାସାୟନିକ ପାଣି ମିଶାଇ ଖୋଲାମୁହଁ ଖଣିଗୁଡ଼ିକୁ ଭର୍ତ୍ତି କରାଯାଉଛି । ଏହା ତାଳଚେର ଅଞ୍ଚଳକୁ ଅଧିକ ପ୍ରଦୂଷିତ କରିବ ବୋଲି ଜନପ୍ରତିନିଧିମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି । ତେଣୁ ତୁରନ୍ତ ଖଣି ଗୁଡ଼ିକରେ ପାଉଁଶ ଭର୍ତ୍ତି କରିବା ପ୍ରକ୍ରିୟାକୁ ବନ୍ଦ କରାଯାଉ ବୋଲି ଦାବି ହୋଇଛି । ନଚେତ ତାଳଚେର ଖୁବ୍ଶୀଘ୍ର ଏକ ମନୁଷ୍ୟକୃତ ବିପର୍ଯ୍ୟୟର ସାମ୍ନା କରିବାର ଆଶଙ୍କା ରହିଛି ବୋଲି ଜନପ୍ରତିନିଧି କହିଛନ୍ତି ।