ଫାୟାରିଂ ଅଭ୍ୟାସ ବେଳେ ଅଘଟଣ, ଗ୍ରାମବାସୀଙ୍କ ଦେହରେ ବାଜିଲା ଗୁଳି ଅନୁଗୋଳ: ପୋଲିସର ଫାୟାରିଂ ଅଭ୍ୟାସ ବେଳେ ଘଟିଲା ଅଘଟଣ । ପୋଲିସ ଗୁଳିରେ ଆହତ ହୋଇଛନ୍ତି ଜଣେ ଗ୍ରାମବାସୀ । ଅନୁଗୋଳ ସଦର ଥାନା ଶରଧାପୁର ଗାଁରେ ଘଟିଛି ଅଘଟଣ । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ପୋଲିସ ଏଭଳି ଫାୟାରିଂ ଅଭ୍ୟାସ ପୂର୍ବରୁ ଘୋଷଣା କରୁ ନଚେତ ଅନ୍ୟତ୍ର ଅଭ୍ୟାସ କରୁ ବୋଲି ଆହତଙ୍କ ସମ୍ପର୍କୀୟ ଦାବି କରିଛନ୍ତି ।
ମିଳିଥିବା ସୂଚନା ଅନୁସାରେ ଗୁଳି ବାଜି ଗାଁର ସୁବାସ ସାହୁ ନାମକ ଜଣେ ଯୁବକ ଆହତ ହୋଇଛନ୍ତି । ସୁବାସଙ୍କ ଜଙ୍ଘରେ ଗୁଳି ବାଜିଛି । ଅନୁଗୋଳ ପୋଲିସ ଟ୍ରେନିଂ କଲେଜର ପ୍ରଶିକ୍ଷାର୍ଥୀମାନେ ଫାୟାରିଂ ଅଭ୍ୟାସ କରୁଥିବା ବେଳେ ଏହି ଘଟଣା ଘଟିଛି । ଆହତ ସୁବାସ ଚନ୍ଦ୍ର ସାହୁ ନାମକ ଜଣେ ଯୁବକ ନିଜ ଭାଇଙ୍କ ଘର କାମ କରୁଥିବା ବେଳେ ଏକ ଗୁଳି ତାଙ୍କ ବାମ ଜଙ୍ଘରେ ବାଜିଥିଲା । ଘଟଣା ସ୍ଥଳରୁ କିଛି ବାଟ ଦୂରରେ ପୋଲିସ କର୍ମୀ ଫାୟାରିଂ ପ୍ରଶିକ୍ଷଣ ନେଉଥିଲେ । ତେବେ ବନ୍ଧୁକ ପରିଚାଳନା ପ୍ରଶିକ୍ଷଣ ସମୟରେ କୌଣସି କାରଣ ବଶତଃ ଏହି ଗୁଳି ଛିଟିକି ଆସି ସୁବାସଙ୍କ ଜଙ୍ଘରେ ବାଜିଛି।
ଏହା ବି ପଢନ୍ତୁ- Earthquake Zone: ତାଳଚେରକୁ ରହିଛି କି ଭୂକମ୍ପ ବିପଦ ? ତୁର୍କୀ ଭୁକମ୍ପ ପରେ ସୂତାଖିଅରେ ଝୁଲୁଛି 60 ହଜାର ଲୋକଙ୍କ ଭାଗ୍ୟ !
ଏ ନେଇ ଖବର ପାଇ ସଦର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୂଚନା ଥାଉ କି ପୂର୍ବରୁ ୨୦୧୮ ମସିହାରେ ମଧ୍ୟ ସମାନ ଭାବେ ପୋଲିସ ବନ୍ଧୁକ ପ୍ରଶିକ୍ଷଣ ସମୟରେ ଏକ ଗୁଳି ଜଣେ ମହିଳାଙ୍କ ଶରୀରରେ ବାଜିଥିଲା । ସେପଟେ ବିଭିନ୍ନ ସମୟରେ ପୋଲିସ ପକ୍ଷରୁ ହେଉଥିବା ବନ୍ଧୁକ ପରିଚାଳନା ସମୟରେ ଅଞ୍ଚଳବାସୀଙ୍କୁ ପ୍ରାକ ସୂଚନା ଦିଆଯାଉନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ତେବେ କିଭଳି ଓ କେଉଁ ପରିସ୍ଥିତିରେ ଏହି ଘଟଣା ଘଟିଲା ସେ ନେଇ ପୋଲିସ ପକ୍ଷରୁ କିମ୍ବା PTC ପକ୍ଷରୁ କିଛି ବି ପ୍ରତିକ୍ରିୟା ମିଳିନାହିଁ।
ଏନେଇ ଆହତ ବ୍ୟକ୍ତିଙ୍କ ବଡ ଭାଇ ବିଭୂତି ଭୂଷଣ ସାହୁ କହିଛନ୍ତି, "ସାନ ଭାଇର ଘର କାମ ଚାଲିଥିବା ବେଳେ ସେ ମସଲା ଗୋଳାଉଥିଲେ । ଏହି ସମୟରେ ଏକ ଗୁଳି ତାଙ୍କ ଜଙ୍ଘରେ ବାଜିଛି । ତେବେ ଫାୟାରିଂ ଅଭ୍ୟାସ ପୂର୍ବରୁ ଘୋଷଣା କରିବା ଦରକାର । ଯାହା ଦ୍ବାରା ଆମେ ସତର୍କ ହୋଇ ରହିପାରନ୍ତୁ। ନଚେତ ଆମ ଗ୍ରାମରେ ଫାୟାରିଂ ଅଭ୍ୟାସ ନ କରି ଅନ୍ୟତ୍ର କରନ୍ତୁ । ପୂର୍ବରୁ ଏପରି ଘଟଣା ଘଟିଥିଲେ ମଧ୍ୟ ସେମାନେ ଏଠାରେ ହିଁ ଅଭ୍ୟାସ କରୁଛନ୍ତି ।"
ଇଟିଭି ଭାରତ, ଅନୁଗୋଳ