ଓଡିଶା

odisha

ETV Bharat / state

ସାଧାରଣ ଲୋକଙ୍କୁ ନା’, ବନ ବିଭାଗକୁ ହଁ ! - ଅନୁଗୋଳ ଲାଟେଷ୍ଟ ନ୍ୟୁଜ୍‌

ଅଭୟାରଣ୍ୟ ଭିତରୁ ଗଛ କାଟିବା ତ ଦୂରର କଥା ପତ୍ରଟିଏ ମଧ୍ୟ ଅଣାଯାଇ ପାରିବ ନାହିଁ । ଅଭୟାରଣ୍ୟ ଜମିକୁ କୌଣସି ଅଣ-ଜଙ୍ଗଲ କାମରେ ବ୍ୟବହାର କରାଯାଇ ପାରିବ ନାହିଁ । ଏଭଳି ବହୁ କଟକଣା ରହିଛି । ତଥାପି ଜଙ୍ଗଲରେ ବନ ବିଭାଗର ଚାଲିଛି ବେଧଡକ ଗଛ କଟା ।

deforestation in angul satakosia, angul latest news, satakosia latest news, ସାତକୋଶିଆ ଲାଟେଷ୍ଟ ନ୍ୟୁଜ୍‌, ଅନୁଗୋଳ ଲାଟେଷ୍ଟ ନ୍ୟୁଜ୍‌, ଅନୁଗୋଳର ସାତକୋଶିଆରେ ଗଛ କଟା
ସାଧାରଣ ଲୋକଙ୍କୁ ନା’, ବନ ବିଭାଗକୁ ହଁ !

By

Published : Jan 9, 2020, 8:01 PM IST

ଅନୁଗୋଳ: ଜଙ୍ଗଲ ବିଭାଗର ଖୋଲାଖୋଲି ଜଙ୍ଗଲ ଆଇନ ଉଲଂଘନ । ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର କୋର ଏରିଆରେ ଶହ ଶହ ଗଛ କାଟି ଧରାଶାୟୀ କରୁଛି ବନ ବିଭାଗ । ଘାସ ପଡ଼ିଆ କରିବା ନାଁରେ ଜେସିବି ଲଗାଇ ଏକର ଏକର ଜାଗାରେ ଗଛ କାଟୁଛି । ଏପଟେ ବାଘୁଣୀ ଫେରିଯିବା ନିଶ୍ଚିତ ହୋଇ ଯାଇଥିବା ବେଳେ ବ୍ୟାଘ୍ର ପ୍ରକଳ୍ପ ମଧ୍ୟ ଅନିଶ୍ଚିତତା ଘେରରେ । ବନ ବିଭାଗର ଏଭଳି କାର୍ଯ୍ୟକଳାପକୁ ସ୍ଥାନୀୟ ଅଧିବାସୀ ଓ ପରିବେଶପ୍ରେମୀ ନାପସନ୍ଦ କରିଛନ୍ତି ।

ସାଧାରଣ ଲୋକଙ୍କୁ ନା’, ବନ ବିଭାଗକୁ ହଁ !

ଅଭୟାରଣ୍ୟ ଭିତରୁ ଗଛ କାଟିବା ତ ଦୂରର କଥା ପତ୍ରଟିଏ ମଧ୍ୟ ଅଣାଯାଇ ପାରିବ ନାହିଁ । ଅଭୟାରଣ୍ୟ ଜମିକୁ କୌଣସି ଅଣ-ଜଙ୍ଗଲ କାମରେ ବ୍ୟବହାର କରାଯାଇ ପାରିବ ନାହିଁ । ଏଭଳି ବହୁ କଟକଣା ରହିଛି । ସ୍ଥାନୀୟ ଅଧିବାସୀ ଜାଳେଣୀ ପାଇଁ କାଠ କିମ୍ବା କୌଣସି ଜଙ୍ଗଲଜାତ ଜିନିଷ ଆଣୁଥିବା ଦେଖିଲେ ତୁରନ୍ତ ବନ ବିଭାଗ ସେମାନଙ୍କୁ ଗିରଫ କରି ଜେଲ ପଠାଇ ଦେଉଥିବା ନଜିର ରହିଛି । ହେଲେ ଯେଉଁ ଜଙ୍ଗଲରେ ପାଦ ପକାଇବା ଆଇନତଃ ଅପରାଧ ସେହି ଜଙ୍ଗଲରେ ଖୋଦ ବନ ବିଭାଗ ତୃଣଭୋଜୀମାନଙ୍କ ପାଇଁ ଘାସ ପଡ଼ିଆ କରିବା ନାଁରେ କୋର ଏରିଆରୁ ସଫା କରିବାରେ ଲାଗିଛି ଜଙ୍ଗଲ । ତେବେ ଏହା କେଉଁ ଆଇନରେ ଅଛି ବୋଲି ଓଲଟା ପ୍ରଶ୍ନ କରିଛନ୍ତି ସ୍ଥାନୀୟ ଅଧିବାସୀ ।

ଅନୁସନ୍ଧାନରୁ ଜଣା ପଡ଼ିଛି ବ୍ୟାଘ୍ର ପ୍ରକଳ୍ପ ପରିଚାଳନା ଅନୁସାରେ ଜଙ୍ଗଲ ଭିତରେ ତୃଣଭୋଜୀମାନଙ୍କ ପାଇଁ ଘାସ ପଡ଼ିଆର ପୁନରୁଦ୍ଧାର କରାଯିବା ଆବଶ୍ୟକ । କିନ୍ତୁ ପୂର୍ବରୁ ଯେଉଁଠି ଘାସ ପଡ଼ିଆ ଅନୁନ୍ନତ ଅବସ୍ଥାରେ ରହିଥିବା ସେହି ପଡ଼ିଆକୁ ଉଦ୍ଧାର କରାଯିବା ପାଇଁ ଆଇନ ରହିଛି । ହେଲେ ଅଭୟାରଣ୍ୟ ଭିତରେ ବହୁ ସଂଖ୍ୟାରେ ଗଛ କାଟି ନୂଆ ଘାସ ପଡ଼ିଆ କରିବା ଜଙ୍ଗଲ ସୁରକ୍ଷା ଆଇନକୁ ଉଲଘଂନ କରୁଛି ।

ସାତକୋଶିଆ ଭିତରେ ପମ୍ପାସର, ଟିକରପଡ଼ା, ପୁରୁଣାକୋଟ ବନାଞ୍ଚଳର ପ୍ରାୟ 5ଟି ସ୍ଥାନରେ ଶହ ଶହ ଗଛ କଟାଯାଇ ଘାସ ପଡ଼ିଆ କରାଯାଉଛି । ସବୁଠାରୁ ଗୁରୁତ୍ବପୁର୍ଣ୍ଣ କଥା କି କୋର ଏରିଆ ଭିତରେ କୌଣସି ଶବ୍ଦଯୁକ୍ତ ଯନ୍ତ୍ର କିମ୍ବା ଯାନ ପ୍ରବେଶ ନିଷେଧ । କିନ୍ତୁ ଅତ୍ୟନ୍ତ ଶବ୍ଦ କରୁଥିବା ଜେସିବି ଲଗାଇ ବନ ବିଭାଗ ଗଛ କାଟୁଛି । ବନ୍ୟଜନ୍ତୁଙ୍କ ଉପରେ ଏହାର ପ୍ରଭାବ ପଡ଼ୁଛି । ତାହା ମଧ୍ୟ ବନ୍ୟ ଜନ୍ତୁ ସୁରକ୍ଷା ଆଇନର ଉଲଘଂନ ।

ଯେଉଁଠି ଘାସ ପଡ଼ିଆ କରାଯାଉଛି ସେଠାରେ କଣ୍ଟାଯୁକ୍ତ ତାର ବାଡ଼ ଦିଆ ଯାଉଛି । ବନ୍ୟଜନ୍ତୁ ଚଳପ୍ରଚଳ ବେଳେ ସେମାନଙ୍କ ଜୀବନ ପ୍ରତି ବିପଦ ରହୁଛି । ତାର ବାଡ଼ ଦିଆ ଯାଇଥିବା ସ୍ଥାନରେ ପଡ଼ିଥିବା ହାତୀ ମଳରୁ ଜଣା ପଡ଼ୁଛି କି ସେଠାରେ ଶହ ଶହ ହାତୀ ଚଳପ୍ରଚଳ କରୁଛନ୍ତି । ତେଣୁ ବନ ବିଭାଗର ଏଭଳି କାମ ଅପରିଣାମଦର୍ଶୀତାକୁ ସୁଚାଉଛି ।

ସାତକୋଶିଆରେ ବ୍ୟାଘ୍ର ପ୍ରକଳ୍ପ ପାଇଁ ସଠିକ ପରିଚାଳନା କରିନପାରିବା କାରଣରୁ ମହାବଳ ଶିକାରୀ ଫାସରେ ମଲା । ଏନଟିସିଏ(ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ) ବାଘୁଣୀକୁ ଫେରାଇ ନେବାକୁ ନିଷ୍ପତ୍ତି ନେଲା । କୋଟି କୋଟି ଟଙ୍କା ପାଣିରେ ପଡ଼ିଲା । ଏବେ ବାଘ ପାଇଁ ଶହ ଶହ ଗଛ ମାଟିରେ ମିଶିଲା । ଗତ 2007ରେ ସାତକୋଶିଆକୁ ବ୍ୟାଘ୍ର ପ୍ରକଳ୍ପ ଘୋଷଣା କରାଯାଇଥିଲା । ସେତେବେଳେ ଏଠାରେ 12ଟି ବାଘ ଥିଲେ । ବହୁ ସଂଖ୍ୟାରେ ତୃଣଭୋଜୀ ପ୍ରାଣୀ ଥିଲେ । ନଚେତ ଏତେ ବାଘ ରହୁଥିଲେ କେମିତି !

କିନ୍ତୁ ମାତ୍ର 2ଟି ବାଘ ପାଇଁ ହଠାତ 44ଟି ଘାସ ପଡ଼ିଆର ଆବଶ୍ୟକତା ପଡ଼ିଲା କାହିଁକି ବୋଲି ପ୍ରଶ୍ନ ଉଠାଇଛନ୍ତି ପରିବେଶ ଓ ବନ୍ୟଜନ୍ତୁ ପ୍ରେମୀ । କେବଳ ଏନଟିସିଏରୁ ମଞ୍ଜୁରୀ ହୋଇଥିବା କୋଟି କୋଟି ଟଙ୍କା ଖର୍ଚ୍ଚ କରିବାକୁ ବନ ବିଭାଗ ଏଭଳି ବାହାନା କରୁଛି ବୋଲି ସ୍ଥାନୀୟ ଅଧିବାସୀ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ସାତକୋଶିଆ ଫିଲ୍ଡ ଡାଇରେକ୍ଟର କ୍ୟାମେରା ସାମ୍ନାରେ ଏନେଇ କିଛି କହିବାକୁ ମନା କରିଥିଲେ । କିନ୍ତୁ ପରୋକ୍ଷରେ ବହୁ ସଂଖ୍ୟାରେ ଗଛ କଟାଯିବାକୁ ସେ ଅସ୍ବୀକାର କରିଥିଲେ । କେବଳ ଏନଟିସିଏ ଗାଇଡ଼ ଲାଇନ ଅନୁସାରେ ଘାସ ପଡ଼ିଆ କରାଯାଉଥିବା ସଫେଇ ଦେଇଛନ୍ତି ସାତକୋଶିଆ ଫିଲ୍ଡ ଡାଇରେକ୍ଟର ।

ତେଣେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ଜଙ୍ଗଲ ଓ ବନ୍ୟଜନ୍ତୁ ସୁରକ୍ଷା ଆଇନକୁ ଖୋଲାଖୋଲି ଭାବେ ଉଲଘଂନ କରିଥିବା ବନ ବିଭାଗ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସ୍ଥାନୀୟ ଅଧିବାସୀ ଓ ପରିବେଶବିତମାନେ ଦାବି କରିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details